ହେଡଲାଇନସ୍:

ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ଆମର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ

  • • ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

  • • ପିଏମ୍ ଉଷା ଯୋଜନାରେ ଓଡ଼ିଶାକୁ ମିଳିବ ପ୍ରାୟ ୫୦୦ କୋଟି ଟଙ୍କା

  • • ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

  • • ନିଜର ରାଜନୈତିକ ପ୍ରତିବାଦକୁ ଜାହିର କରିବା ପାଇଁ ପୂର୍ବ ସରକାର ଏହି ଯୋଜନା ଲାଗୁ କରିନଥିଲା

  • • ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ, ବୌଦ୍ଧିକ ଶକ୍ତିର ଅଧିକାରୀ ହେବା ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି

  • • ଓଡ଼ିଶାର ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ

  • • ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ - ୨୦୨୦କୁ ସଂଶୋଧିତ କରି ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତାକୁ ବଜାୟ ରଖିବା ଦିଗରେ ଓଡ଼ିଶା ସରକାର ପଦକ୍ଷେପ ନେବେ ବୋଲି ଆଶା

  • • ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବଣ୍ତାଘାଟିର ମଙ୍ଗଳା ମୁଦୁଲିଙ୍କ ଉଦାହରଣ ଦେଲେ


ଭୁବନେଶ୍ୱର, ଅଗଷ୍ଟ ୩୧,୨୦୨୪ – ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ଆଣିବା ଲକ୍ଷ୍ୟରେ ଶନିବାର ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ-ଉଷା)କୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।

'ସ୍ୱାୟତ୍ତ ଶାସନ ଦିବସ'ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦- ୪୦ ଅନୁପାତରେ ପାଣ୍ଠି ସହାୟତାରେ, ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ସ୍ୱୀକୃତି ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ ରହିଛି ।

ନିଜର ରାଜନୈତିକ ପ୍ରତିବାଦକୁ ଜାହିର କରିବା ପାଇଁ ପୂର୍ବ ସରକାର ଏହି ଯୋଜନା ଲାଗୁ ନକରିବା ବିଡମ୍ବନାର ବିଷୟ ଥିଲା । ତେବେ ନୂଆ ଓଡ଼ିଶା ସରକାରଙ୍କ ସହ ଆଜି ଏମଓୟୁ ବ୍ୟକ୍ତିଗତ ଭାବେ ସନ୍ତୋଷର କ୍ଷଣ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ପିଏମ୍-ଉଷା ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଆକାଂକ୍ଷୀ ଜିଲ୍ଲା, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ପିଏମ ଉଷା ଯୋଜନାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ଓ ପ୍ରଶାସନିକ ସଂସ୍କାର ଇତ୍ୟାଦି ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଅନୁଦାନ ଆସିବ ।

Imageଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ । ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି । ଅର୍ଥାତ୍ ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି । ବୌଦ୍ଧିକ ଶକ୍ତିର ଅଧିକାରୀ ହେବା ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର । ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ - ୨୦୨୦କୁ ପୁଣି ଥରେ ସଂଶୋଧନ କରି ୟୁଜିସିର ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତା ଓ ସ୍ୱତନ୍ତ୍ରତାକୁ ବଜାୟ ରଖିବା ଦିଗରେ ଓଡ଼ିଶା ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେପରି ବୈଶ୍ୱିକ ସ୍ତରରେ ନେତୃତ୍ୱ ନେବ, ଏହା ଆମର ସଂକଳ୍ପ । ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ଉଜ୍ଜ୍ୱଳ ହେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ବଣ୍ତାଘାଟିର ମଙ୍ଗଳା ମୁଦୁଲିଙ୍କ ଉଦାହରଣ ଦେଇଥିଲେ । ମଙ୍ଗଳା ମୁଦୁଲିଙ୍କ ପରି ବଣ୍ଡା, ଗରିବ, ଆଦିବାସୀ ପିଲାମାନେ ଯେପରି ଆଗକୁ ବଢିବେ ସେପରି ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ଦରକାର ବୋଲି ବୋଲି ସେ କହିଥିଲେ ।

ଉଲ୍ଲେଖନୀୟ ଯେ, ପିଏମ୍ ଉଷା ଯୋଜନା ଏମଓୟୁ ସ୍ୱାକ୍ଷର ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।

0
0
0
s2sdefault