ହେଡଲାଇନସ୍:

‘ସ୍ୱାୟତ୍ତ ଶାସନ ଦିବସ’ରେ କଟକରେ ବିଭିନ୍ନ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଆଧୁନିକ ସହର କରିବା - ଧର୍ମେନ୍ଦ୍ର ପ୍ରଧାନ

• ଖାନନଗର ଠାରେ ଗେଲ୍ ଇଣ୍ଡିଆର ‘ଗ୍ୟାସଚୁଲା ଶବଦାହ କେନ୍ଦ୍ର’ ଲୋକାର୍ପିତ
• ଦରଘା ବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
• ବକ୍ସି ବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ କଲେ
• କଟକ ଟାଉନ ହଲରେ ଲୋକାର୍ପିତ ‘କଟକ ଆର୍ଟ ଗ୍ୟାଲେରୀ’ କଳାର ବିକାଶରେ ସହାୟକ ହେବ
• ‘ସୁଭଦ୍ରା ଯୋଜନା’ରେ ପଞ୍ଜିକରଣ କରୁଥିବା ମା’ ଭଉଣୀଙ୍କୁ ଭେଟି କଲେ ଆଲୋଚନା
• ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ଦେଲେ ପରାମର୍ଶ

Imageକଟକ, ଅଗଷ୍ଟ ୩୧,୨୦୨୪ – ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ ବଡ଼ ମେଡିକାଲ କଟକର ଗାରିମା ଓ ଅନନ୍ୟ ପରିଚୟକୁ ପ୍ରତିଫଳିତ କରିଆସିଛି । ଏଠାରେ ପାଳିତ ଐତିହାସିକ ‘ବାଲିଯାତ୍ରା’ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ମୁକସାକ୍ଷୀ । ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଏକ ଆଧୁନିକ ସହର ଭାବେ ତିଆରି କରିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ନିଗମ ତରଫରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ପ୍ରଥମେ ଖାନନଗର ଠାରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମିତ ‘ଗ୍ୟାସଚୁଲା ଶବଦାହ କେନ୍ଦ୍ର’ର ଲୋକାର୍ପଣ କରିଥିଲେ । ପରେ ବକ୍ସି ବଜାର ଠାରେ ପାଇକ ବିଦ୍ରୋହର କର୍ଣ୍ଣଧାର ତଥା ମହାନ୍ ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଦରଘା ବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’କୁ ମଧ୍ୟ ଉଦଘାଟନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଟାଉନ ହଲରେ ଏକ ଅତ୍ୟାଧୁନିକ୍ ଆର୍ଟ ଗ୍ୟାଲେରୀକୁ ମଧ୍ୟ ଶ୍ରୀ ପ୍ରଧାନ ଉଦଘାଟନ କରିଛନ୍ତି ।

Imageଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସ୍ୱାୟତ୍ତ ଶାସନ ଦିବସରେ ଖାନନଗରରେ କଟକ ମହାନଗର ନିଗମ ସହଯୋଗରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମିତ ‘ଗ୍ୟାସଚୁଲା ଶବଦାହ କେନ୍ଦ୍ର’ ପରିବେଶକୁ ସୁରକ୍ଷିତ ରଖିବ । କଟକରେ ଶବଦାହ ପାଇଁ ହେଉଥିବା ଅସୁବିଧା ଦୂର ହେବ । ସେହିପରି ବକ୍ସି ବଜାର ଠାରେ ଐତିହାସିକ ପାଇକ ବିଦ୍ରୋହର ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଉନ୍ମୋଚିତ ପ୍ରତିମୂର୍ତ୍ତି ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ ଭାବେ ଦଣ୍ଡାୟମାନ ହୋଇରହିବ । ଏହାବ୍ୟତିତ ନେତାଜୀଙ୍କ ଜନ୍ମସ୍ଥାନ ପରିସରରେ ଭବ୍ୟ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’ ମହାନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ବିଚାର ଓ ଆଦର୍ଶକୁ ଯୁଗ ଯୁଗ ଧରି ବଞ୍ଚାଇ ରଖିବ । ସ୍ୱତନ୍ତ୍ରତା ସଂଗ୍ରାମର ମହାନାୟକ ତଥା ଓଡ଼ିଶା ମାଟିର ବରପୁତ୍ର ନେତାଜୀ ଆଗାମୀ ଯୁବପିଢ଼ି ପାଇଁ ସର୍ବଦା ପ୍ରେରଣାର ସାରଥି ହୋଇରହିବେ । ସେହିପରି କଟକ ଟାଉନହଲ ଠାରେ ‘କଟକ ଆର୍ଟ ଗ୍ୟାଲେରୀ’ ପ୍ରତିଷ୍ଠା ପ୍ରଶଂସନୀୟ । ଆମର କଳା, ସଂସ୍କୃତି, ସ୍ଥାପତ୍ୟ ଓ ଇତିହାସ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ । କଟକ ଭଳି ଐତିହ୍ୟସମ୍ପନ୍ନ ସହରରେ ଏହି ଅତ୍ୟାଧୁନିକ ଗ୍ୟାଲେରୀରେ ପ୍ରଦର୍ଶିତ ସୃଜନଶୀଳ ଚିତ୍ରକଳା, ଫଟୋଚିତ୍ର ଓ କଳାତ୍ମକ ସାମଗ୍ରୀ କଳାପ୍ରେମୀଙ୍କୁ ଆକୃଷ୍ଟ କରିବା ସହ କଳାର ବିକାଶରେ ବିଶେଷ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Imageକେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ମହାନଦୀ ଅବବାହିକାର ପ୍ରମୁଖ ସହର କଟକ । ସବୁ ଓଡ଼ିଆଙ୍କ ପାଇଁ କଟକ ଏକ ସ୍ମରଣୀୟ କେନ୍ଦ୍ର । କଟକ ଭାଇଚାରାର ସହର । ଏକ ବ୍ୟବସାୟିକ କେନ୍ଦ୍ର । କଟକର ସଂସ୍କାର ମୋ ଧମନୀରେ ଅଛି । ଓଡ଼ିଶାରେ କଟକର ସ୍ଥାନ ଅନନ୍ୟ । କାରଣ କଟକ ନ ବଢିଲେ ଓଡ଼ିଶାର ଉନ୍ନତି ହେବ ନାହିଁ । କଟକ ସହର ସୁନ୍ଦର ଓ ସ୍ୱଚ୍ଛ ସହର ହେଉ । ସହରର ସାମଗ୍ରିକ ବିକାଶ ଆମର ଦାୟିତ୍ୱ । ଇଣ୍ଡୋନେସିଆର ବାଲି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଐତିହାସିକ ‘ବାଲିଯାତ୍ରା’ ସମ୍ପର୍କରେ ବର୍ଣ୍ଣନା କରିଥିଲେ, ଯାହା ବାଲିଯାତ୍ରାର ପ୍ରସିଦ୍ଧି ବଢାଇଛି। ଓଡ଼ିଶାର ପର୍ବ ପର୍ବାଣୀ ସହ ବାଲିଯାତ୍ରାର ଆହୁରି ପ୍ରଚାରପ୍ରସାର କରିବା ଦିଗରେ ପ୍ରୟାସ କରିବା ନେଇ ସେ ଆଶ୍ୱାସନା ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ କଟକ ଠାରେ ‘ସୁଭଦ୍ରା ଯୋଜନା’ରେ ପଞ୍ଜିକରଣ କରୁଥିବା ମାତୃଶକ୍ତିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ସେ କହିଛନ୍ତି ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା ସରକାରଙ୍କ ଏହି ଯୋଜନାକୁ ନେଇ ମା’ ଭଉଣୀମାନେ ଖୁସିପ୍ରକାଶ କରିଛନ୍ତି । ‘ସୁଭଦ୍ରା ଯୋଜନା’ରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦, ୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବେ । ଓଡ଼ିଶାରେ ଏପରି ଜନକଲ୍ୟାଣକାରୀ ଯୋଜନା କେବେ ହୋଇନଥିଲା ବୋଲି ସେ କହିଛନ୍ତି ।

Imageସେହିପରି କଟକ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ଏହି ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଭବନ, ଶ୍ରେଣୀଗୃହ, ଛାତ୍ରୀ ନିବାସ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାର ଓ କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ରାଜ୍ୟସଭା ସାଂସଦ ଓ କଟକ ଜିଲ୍ଲାର ବିଧାୟକଗଣ, କଟକ ମହାନଗର ନିଗମର ମେୟର, ଡେପୁଟି ମେୟର ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault