ହେଡଲାଇନସ୍:

ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ: ପ୍ରଦୀପ ପାଣିଗ୍ରାହୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରାଜ୍ୟରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା, ମିଛ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର

  • ମୋଦିଜୀଙ୍କ ଯୋଜନାରେ ନବୀନ ବାବୁ ନିଜ ଦଳୀୟ ରଙ୍ଗ ଓ ଚିହ୍ନ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି

  • ମୋଦିଙ୍କ ଯୁଗରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବ

ଭୁବନେଶ୍ୱର, ତା.୨୪/୦୩: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କରୋନା ମାହାମାରୀ ବିରୁଦ୍ଧ ଲଢେଇରେ ‘ସ୍ୱାସ୍ଥ୍ୟ ପରିଚାଳନାର’ ଭାରତବର୍ଷର ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରମାଣିତ କରିଛନ୍ତି । ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ବିକଶିତ ଓ ପ୍ରଭାବଶାଳୀ ରାଷ୍ଟ୍ରଗୁଡିକ ମୋଦିଜୀଙ୍କୁ ପ୍ରଶଂସା କରିଛନ୍ତି । ୨୦୧୪ ପୂର୍ବରୁ ସ୍ୱାସ୍ଥ୍ୟ ପରିଚାଳନାରେ ଅତ୍ୟନ୍ତ ଦୁର୍ବଳ ରାଷ୍ଟ୍ର ଭାବେ ପରିଗଣିତ ଭାରତବର୍ଷ, ଆଜି ଦୃତ ଗତିରେ ବିକଶିତ ହେବାରେ ଲାଗିଛି । ୨୦୧୪ ପୂର୍ବରୁ ଉନ୍ନତମାନର ଚିକିତ୍ସା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ଭାରତବର୍ଷ, ଆଜି ମୋଦିଙ୍କ ଯୁଗରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି । ଏହା ଦ୍ୱାରା ବିଦେଶୀମାନେ ଭାରତକୁ ଆସି କମ୍ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ପାଇବେ ଏବଂ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଅକ୍ସିଜେନ ସିଲିଣ୍ଡର, ପିପିଇ କିଟ୍‌, ଭ୍ୟାକ୍‌ସିନ ରପ୍ତାନୀ କ୍ଷେତ୍ରରେ ଭାରତ ଅଗ୍ରଣୀ ରାଷ୍ଟ୍ର ହୋଇଛି । ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ’କୁ ମୁଳମନ୍ତ୍ର କରି ମୋଦିଜୀ ଦେଶବାସୀଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟରତ । ଅନ୍ୟ ପଟେ ବିଜେଡି ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସରକାରୀ ମେଡିକାଲରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଯୋଗୁଁ ଲୋକେ ଚିକିତ୍ସା ପାଇବାରୁ ବଂଚିତ ହେଉଥିବା କାରଣରୁ ବାଧ୍ୟ ହୋଇ ବ୍ୟୟବହୁଳ ଘରୋଇ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା ପଡିଥିବାବେଳେ ମିଛ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ୩୧ କୋଟି ଭାରତୀୟ ଉପକୃତ ହୋଇଛନ୍ତି । ଜନ ଔଷଧି କେନ୍ଦ୍ରଗୁଡିକରେ ୨୦୦୦ରୁ ଉର୍ଦ୍ଧ୍ୱ ଔଷଧ ଏବଂ ମେଡିକାଲ ସରଞ୍ଜାମ ଅତ୍ୟନ୍ତ ଶସ୍ତା ମୂଲ୍ୟରେ ଉପଲବ୍ଧ । ଅତ୍ୟନ୍ତ ଶସ୍ତା ମୂଲ୍ୟରେ ଔଷଧ ଯୋଗାଇ ଦେବା ପାଇଁ ଦେଶବ୍ୟାପୀ ୧୦୦୦୦ରୁ ଉର୍ଦ୍ଧ୍ୱ ଜନ ଔଷଧି କେନ୍ଦ୍ର ଖୋଲାଯାଇଥିବାବେଳେ ୨୫ ହଜାର କୋଟି ଟଙ୍କା ସଂଚୟ ସମ୍ଭବ ହୋଇଛି । ଓଡିଶାରେ ୪୮୮ଟି ଜନ ଔଷଧି କେନ୍ଦ୍ର ଖୋଲାଯାଇଛି ଏବଂ ୭୮୦ କୋଟି ଟଙ୍କା ସଂଚୟ ସମ୍ଭବ ହୋଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓଡିଶାରେ ୭୨୫୧ଟି େଓ୍‌ôଲନେସ ସେଂଟର ଖୋଲାଯାଇଛି ।
ଅନ୍ୟ ପଟେ ୨୪ ବର୍ଷର ଶାସନ ପରେ ବି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି । ରାଜ୍ୟର ୨୮୨୮୫ ନର୍ସିଂ ଅଫିସର ମଧ୍ୟରୁ ୧୭୩୮୫ ପଦ ଖାଲି, ୩୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ ପଦବୀ ଖାଲି, ୨୨୩୫ ଲ୍ୟାବରୋଟରୀ ଟେକନିସିଆନ ପଦବୀରୁ ୯୧୫ ଖାଲି, ୬୯୫ ରେଡିଓଲୋଜିଷ୍ଟ ପଦବୀରୁ ୩୭୮ ଖାଲି ପଡିଛି । ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ୩ଟି ପ୍ରମୁଖ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବେ ବୋଲି ଘୋଷଣା କରିଥିଲା ବିଜୁ ଜନତା ଦଳ, ମାତ୍ର ତାହା ପାଣିର ଗାର ହୋଇ ରହିଗଲା । ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ରୋଗୀମାନେ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି । ଓଡ଼ିଶାର ସ୍ୱାସ୍ଥ୍ୟସେବା ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ହସ୍ପିଟାଲ ନଯାଇ କାହିଁକି ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ମେଦାନ୍ତକୁ ଯାଉଛନ୍ତି ? ରାଜ୍ୟର ୩-୩ ଜଣ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତଃ ଡା.ଦାମ ରାଉତ, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଶ୍ରୀ ନବ ଦାସଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାନଯାଇ ଏୟାରଲିପ୍ଟ ସହାୟତାରେ କାହିଁକି ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ? ଯଦି ଶାସକ ବିଜେଡିର ମନ୍ତ୍ରୀମାନେ ସରକାରୀ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି, ତାହାଲେ ସାଧାରଣ ଓଡ଼ିଶାବାସୀଙ୍କ ଅବସ୍ଥା କ’ଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରି ନିଜ ଯୋଜନାରେ ନାମିତ କରିବାରେ ଓଡିଶା ସରକାର ପାରଙ୍ଗମ । ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରିବା ପାଇଁ ବାରମ୍ବାର ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ଥିବା ମୁଖ୍ୟମନ୍ତ୍ରୀ ଏଭଳି ଏକ ଜନକଲ୍ୟାଣକାରୀ ଯୋଜନାକୁ ଲାଗୁ କରୁନାହାଁନ୍ତି କାହିଁକି? ମୋଦିଜୀଙ୍କ ଯୋଜନାରେ ନବୀନ ବାବୁ ନିଜ ଦଳୀୟ ରଙ୍ଗ ଓ ଚିହ୍ନ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ । ବାସ୍ତବରେ ରାଜ୍ୟ ସରକାରଙ୍କ କଥା ପ୍ରବଳ ଏବଂ କାର୍ଯ୍ୟ ଦୁର୍ବଳ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏହି ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

0
0
0
s2sdefault