ହେଡଲାଇନସ୍:

୩୫ ବର୍ଷ ଧରି ଗୁମୁଟି ତଳେ ଜୀବନ କଟାଉଥିବା ବିଧବା ମହିଳାଙ୍କୁ ଥଇଥାନର ବ୍ୟବସ୍ଥା କଲେ ଉପନଗରପାଳ ଜିତେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୧୮ ନମ୍ବର ୱାର୍ଡ ଅଧୀନରେ ରହିଥିବା ଭଞ୍ଜପୁର-ମୁର୍ଗାବାଡ଼ି ରାସ୍ତା ପାଶ୍ୱର୍ରେ ଏକ ଗୁମୁଟି ତଳେ ଦୀର୍ଘ ୩୫ ବର୍ଷ ଧରି ବସବାସ କରିଆସୁଥିବା ବିଧବା ଅସହାୟ ମହିଳା ଓ ତାଙ୍କ ପୁଅକୁ ଥଇଥାନ କରିବା ନିମନ୍ତେ ସହାୟତାର ହାତ ବଢ଼ାଇ ଆଗେଇ ଆସିଛନ୍ତି ଉପନଗରପାଳ ଜିତେନ୍ଦ୍ର ମହାନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପ୍ରାୟ ଆଜକୁ ୪୦/ ୪୫ ବର୍ଷ ପୂର୍ବେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅଞ୍ଚଳର ସୃଷ୍ଟିଧର ମୁଖୀ ନିଜର ପରିବାର ଚଳାଇବା ନିମନ୍ତେ ବାରିପଦା ସହରକୁ ଆସି ରିକ୍ସା ଟାଣୁଥିଲେ । ଭଞ୍ଜପୁର ଅଞ୍ଚଳରେ ଏକ ଖାଲି ଜମି ଦେଖି ଚାଲିଆଟିଏ ବନାଇ ମୁଣ୍ଡ ଗୁଞ୍ଜି ଆସୁଥିଲା ; ମାତ୍ର ଘର କରିଥିବା ଜମିଟି ରେଳବାଇର ବୋଲି ତାକୁ ଜଣା ନଥିଲା । ବାଙ୍ଗିରିପୋଷି-ରୁପସା ନେରୋଗଜ ରେଳ ପଥ ବ୍ରଡ଼ଗଜ ହେବା କାରଣରୁ ରେଳବାଇ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହେବା ପରେ ସୃଷ୍ଟିଧର ବସବାସ କରୁଥିବା ଘରକୁ ହରାଇ ଦେଇ ଏକ ଗୁମୁଟି ତଳେ ଆଶ୍ରୟ ନେଇଥିଲା ଓ ସେଠାରେ ୩୫ ବର୍ଷ ହେବ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ପୌରପ୍ରଶାସନର ଆଢ଼ୁଆଳର ବାହାରେ ରହି ବସବାସ କରିଆସୁଥିଲେ । କିନ୍ତୁ, କପାଳ ଲିଖନ କେ କରିବ ଆନ । ଚଳିତ ଦୁର୍ଗାପୂଜା ସମୟରେ ୬୫ ବର୍ଷିୟା ବୃଦ୍ଧା ସ୍ତ୍ରୀ ଜ୍ୟୋସ୍ନାଙ୍କ ହାତରୁ ଶଙ୍ଖା ଓ ମୁଣ୍ଡରୁ ସିନ୍ଦୁର ହରାଇ ଦେଇଥିଲେ । ସ୍କୁଲର ଦୁଆର ମାଡ଼ି ନ ଥିବା ୧୯ ବର୍ଷର ପୁଅ ଜୀବନ ମୁଖୀକୁ ଧରି କିପରି ନିଜର ସଂସାର ଚଳାଇବେ ସେହି ଚିନ୍ତାରେ ଭାଙ୍ଗିପଡ଼ିଥିଲେ ଜ୍ୟୋତ୍ସ୍ନା ମୁଖୀ । ଏହି ସମୟରେ ଏକ ଗୁମୁଟି ତଳେ ଏକ ଅସହାୟ ମହିଳା ଜୀବନ ବିତାଉଥିବାର ଖବର ପହଁଞ୍ଚିଥିଲା ବାରିପଦା ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ନିକଟରେ । ଛୁଟି ଯାଇଥିଲେ ଘଟଣାସ୍ଥଳକୁ । ଦେଖିବାକୁ ପାଇଥିଲେଧଳା ଧୋତି ପିନ୍ଧି ଜଣେ ବିଧବା ମହିଳା ଚୁଲିରେ ରୋଷେଇ କରୁଥିବାର । ତା ନିକଟରୁ ସବୁ କଥା ପଚାରି ବୁଝିଥିଲେ । ଲୁହରେ ଆଖିକୁ ଭିଜାଇ ମହିଳା ଜଣକ ନିଜର କାହାଣୀ ବର୍ଣ୍ଣନା କରିବା ପରେ ଜ୍ୟୋତ୍ସ୍ନା ମୁଖୀ ଓ ତାର ପୁଅ ଜୀବନକୁ ସାଥୀରେ ଧରି ନିରାଶ୍ରୟ ଆଶ୍ରୟସ୍ଥଳୀ-୧ରେ ପହଁଞ୍ଚିଥିଲେ । ଆଶ୍ରୟସ୍ଥଳର ଦେଖାଶୁଣା ଦାୟିତ୍ୱରେ ରହିଥିବା କେତେକ ଯୁବତୀ ଆସି ସଂଗେସଂଗେ ବିଧବା ମହିଳା ଜ୍ୟୋତ୍ସ୍ନା ଓ ତାଙ୍କ ପୁଅ ଜୀବନକୁ ଚା, ବିସ୍କୁଟ ପରଶି ଦେଇ ଏକ ରୁମ ଦେଖାଇ ଦେଇଥିଲେ । କିନ୍ତୁ , ପୁଅ ଜୀବନ ତାଙ୍କ ମାଙ୍କୁ ବିଧବା ଭତ୍ତା ଦେବା ସାଙ୍ଗକୁ ଏକ ବାସ ଜମି ଓ ଘର ଯୋଗାଇ ଦେବାକୁ ଉପନଗରପାଳ ଶ୍ରୀମହାନ୍ତିଙ୍କୁ ଅନୁରୋଧ କରିଥିଲେ । ଜୀବନର ଅନୁରୋଧ ଶୁଣିବା ପରେ ଶ୍ରୀମହାନ୍ତି, ଏହା ସମୟ ସାପେକ୍ଷ ଓ ଏଥି ନିମନ୍ତେ ଫଟୋ ପରିଚୟ ପତ୍ର, ଆଧାର କାର୍ଡ ଆଦିର ଆବଶ୍ୟକତା ରହିଅଛି । ତେଣୁ, ଏଥି ନିମନ୍ତେ ରହିଥିବା ଆଇନଗତ ଅସୁବିଧା ଦୂର କରିବା ନିମନ୍ତେ ସମୟ ଲାଗିବ । ଏହାପରେ ସବୁ କିଛି ସରକାରୀ ସହାୟତା ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

0
0
0
s2sdefault