ହେଡଲାଇନସ୍:

୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ: ପାରିତ ହେଲା ଆଭ୍ୟନ୍ତରୀଣ ସଡକ ଉନ୍ନତିକରଣ ପ୍ରସ୍ତାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ୫ମ ଜିଲ୍ଲା ପରିଷଦର ସପ୍ତମ ବୈଠକରେ ଜିଲ୍ଲାର ଆଭ୍ୟନ୍ତରୀଣ ସଡକ ସଂଯୋଗ ଓ ରାସ୍ତା ଉନ୍ନତିକରଣ ଉପରେ ଏକ ସ୍ୱତନ୍ତ୍ର ବୈଠକ ଜରିଆରେ ପ୍ରସ୍ତାବ ପାରିତ କରାଯାଇଛି । କେନ୍ଦ୍ର ଅନୁଦାନ ନିମନ୍ତେ ଏହା ଅତ୍ୟନ୍ତ ଜରୁରୀ ଥିବା ହେତୁ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଏହାକୁ ସର୍ବସମ୍ମତି କ୍ରମେ ଗୃହରେ ପାରିତ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ସଦସ୍ୟମାନେ ଏହି ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ପାଇଁ ଅଡି ବସିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏ ସମ୍ପର୍କରେ ଗୃହକୁ ଅବଗତ କରିଥିଲେ । ପରେ ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀମାନେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସର୍ଭେ କରାଯିବା ସହ ଯୋଜନା ପ୍ରସ୍ତୁତ କରାଯାଇଥିବା ଗୃହକୁ ଜଣାଇଥିଲେ । ତେବେ ଆସନ୍ତା ମାର୍ଚ୍ଚ ୩୧ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ବନ୍ଦ ହୋଇ ଅନ୍ୟ ସ୍କିମ ଚାଲୁ ହେବା ସମ୍ଭାବନା ଥିବାରୁ ଏହି ଯୋଜନାକୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯାଇଛି । ଫଳରେ ଆଗାମୀ ଦିନରେ ଏହି ଯୋଜନାରେ ସାମିଲ ଥିବା ରାସ୍ତା ଗୁଡିକର ନିର୍ମାଣ କିମ୍ବା ଉନ୍ନତିକରଣ କରାଯିବ ବୋଲି ଜଣାପଡିଛି । ଏଥିରେ ଜିଲ୍ଲାର ସମସ୍ତ ଜନବସତି ଯେପରି ରାସ୍ତା ସଂଯୋଗୀକରଣରୁ ବଂଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ବିଶେଷ କରି ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମରେ ଥିବା ସ୍କୁଲ, ଡାକ୍ତରଖାନା, ଅଙ୍ଗନୱାଡି କେନ୍ଦ୍ର, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଭଳି ସରକାରୀ ଅନୁଷ୍ଠାନ ଗୁଡିକ ଥିବା ଗ୍ରାମଗୁଡିକୁ ଏବଂ ଗ୍ରାମରେ ଥିବା ରାସ୍ତାକୁ ରେଟିଂ କରାଯାଇ ପ୍ରାଥମିକତା ସୂତ୍ରରେ ରାସ୍ତା ଉନ୍ନତିକରଣର ବ୍ୟବସ୍ଥା କରାଯାଇଛି । ତେବେ ପ୍ରଥମ ଚରଣରେ ପ୍ରତି ବ୍ଲକରେ ୧୨ କି.ମି. ରାସ୍ତାର ଉନ୍ନତିକରଣ ଚଳିତ ଆର୍ଥିକ ବର୍ଷ ମଧ୍ୟରେ କରାଯିବ ବୋଲି ଜଣାପଡିଛି । ପ୍ରସ୍ତାବ ଅନୁଯାୟୀ ବର୍ତମାନ ପ୍ରସ୍ତୁତ କରାଯାଇଥିବା ଯୋଜନାରେ ଜିଲ୍ଲାର ସର୍ବମୋଟ ୧୧୭ ଗୋଟି ରାସ୍ତାର ଉନ୍ନତିକରଣ କରି ଏଥିରେ ମୋଟ ୬୮୦.୩୧୭ କି.ମି. ରାସ୍ତା ସାମିଲ ରହିବ । ପରେ ପ୍ରତି ଜିଲ୍ଲା ପରିଷଦ ଜୋନକୁ ୩.୭୫ ଲକ୍ଷ ଟଙ୍କା ହିସାବରେ ମୋଟ ୪୫ ଲକ୍ଷ ଟଙ୍କା ଜିଲ୍ଲାକୁ ମିଳିଥିବା ପି.ଡି., ଡି.ଆର.ଡି.ଏ. ପ୍ରକାଶ କରିଥିଲେ । ତେବେ ସଦସ୍ୟମାନେ ତାଙ୍କର ପ୍ରସ୍ତାବଗୁଡିକ ତୁରନ୍ତ ପରିଷଦ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଥିଲା । ସେହିପରି ମୋଟର ଯାନ ଟ୍ୟାକ୍ସ ଅଧିନରେ ଜିଲ୍ଲା ପରିଷଦ ଜୋନ୍ୱାରୀ ଟ ୪, ୬୮, ୧୧୨/- ହିସାବରେ ସର୍ବମୋଟ ଟ ୨୧୦,୬୫, ୦୪୦ ମିଳିଥିବା ପ୍ରକାଶ କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ଉଚ୍ଚଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ, ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନା, ମାନ୍ୟବର ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଳେଶ୍ୱର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ପାତ୍ର, ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ, ପି.ଡି. ଡି.ଆର.ଡି.ଏ. ଶ୍ରୀ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଢୀ, ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସଦସ୍ୟ ସଦସ୍ୟା, ଲାଇନ ଡିପାର୍ଟମେଂଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault