ହେଡଲାଇନସ୍:

ତିତଲି ପ୍ରଭାବିତ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଗସ୍ତ : ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ପାରଳାରେ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସର୍ବାଧିକ ତିତଲି ବାତ୍ୟା ପ୍ରଭାବିତ ବ୍ଲକ ଅଞ୍ଚଳର ରାୟଗଡର କଇଁପୁର ଅଞ୍ଚଳରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆସି ବ୍ୟାପକ କ୍ଷୟକ୍ଷତି ଅଞ୍ଚଳ ସବୁ ପରିଦର୍ଶନ କରି ଅଞ୍ଚଳବାସୀଙ୍କୁ ଦୁଃଖଦ ସମବେଦନା ଜଣାଇଥିଲେ । କମିଶନର ସେଠୀ ରାୟଗଡ ବ୍ଲକର କଇଁପୁର ଲାଙ୍ଗା ସାହି,ରାଇସିଂ,ସୁଆବା,ଜିରାଙ୍ଗ ପ୍ରଭୃତି ଅଞ୍ଚଳ ଗସ୍ତ କରି ପାହାଡ ଧସି କିଭଳି ବ୍ୟାପକ କ୍ଷୟକ୍ଷତି ହୋଇଛି, ପାହାଡ ଧସେଇ କିଭଳି ନଦୀ ଆସିବା ଭଳି ଦେଖାଯାଇଛି, ରାସ୍ତାଘାଟ, ବଣପାହାଡ, ସ୍କୁଲ ଛାତ, ଘରଛାତ ଏବଂ ପ୍ରଭୃତି କ୍ଷୟକ୍ଷତି କିଭଳି ହୋଇଛି , ପଞ୍ଚାୟତ କାର୍ଯ୍ୟାଳୟରେ ରିଲିଫ କାର୍ଯ୍ୟକ୍ରମ ଓ ଜିରାଙ୍ଗ ପୋଲ ଧୋଇ ହୋଇ ନଷ୍ଟ ହୋଇଯାଇଥିବା ପ୍ରଭୃତି ଦେଖିଥିଲେ । ଏ ସମ୍ପର୍କରେ ଅଧିକାରୀ ଓ ଅଞ୍ଚଳବାସୀଙ୍କର ସହ ଆଲୋଚନା କରିଥିଲେ । ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଜିଲ୍ଲା ବିଜେଡିର ସଭାପତି ପ୍ରଦୀପ କୁମାର ନାୟକ ଥିଲେ । ଏହି ଅବସରରେ ଜିଲ୍ଲାରେ ତିତଲି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ ସହ ବିଭିନ୍ନ ବିଭାଗ ପକ୍ଷରୁ ଏହି ଦିଗରେ କାର୍ଯ୍ୟକ୍ରମ କାର୍ଯ୍ୟକାରୀତାର ଅଗ୍ରଗତ ସମ୍ପର୍କରେ ବୁଝିବା ପାଇଁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ କମିଶନର ସେଠୀ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଶକ୍ତିସଚିବ ହେମନ୍ତ ଶର୍ମା, ଗୃହନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ସଚିବ ଜି.ମାଧúବାଧାନ୍‍ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ହେମଚାନ୍ଦ ଚୌଧୁରୀ, ସମ୍ୱଲପୁର ଆର ଡି ସି ଡି.ଭି ସ୍ୱାମୀ ଏବଂ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ଓ ଉପରିସ୍ଥ ଅଧିକାରୀ ଯୋଗ ଦେଇଥିଲେ । ମୁଖ୍ୟତଃ ବାତ୍ୟା ପରବର୍ତ୍ତୀ ସମସ୍ତ ବିଭାଗୀୟ ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କମିଶନର ସେଠୀ କହିଥିଲେଯେ ତିତଲି ବାତ୍ୟା ଜିଲ୍ଲାବାସୀଙ୍କ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନୀ କରିଛି । ଲୋକ ମାନଙ୍କ ଯେଉଁ କ୍ଷୟକ୍ଷତି ହୋଇଛି ନିଶ୍ଚିତ ଭାବେ ସରକାରଙ୍କ ପକ୍ଷରୁ ତାହା ବହନ କରାଯିବ । ଲୋକଙ୍କ ଜୀବନ ଜିବୀକା ପାଇଁ ଯେଉଁ ପଶୁ ସମ୍ପଦ ଥିଲା ତାର କ୍ଷୟକ୍ଷତି ଭରଣ ପାଇଁ ସରକାରଙ୍କ ପକ୍ଷରୁ ଦୁଇକୋଟି ଟଙ୍କା ଦିଆଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାରେ ୪୨ ହଜାର ହେକ୍‍ଟର ଫସଲ ନଷ୍ଟ ହୋଇଛି । ଯେଉଁ ମାନଙ୍କ ଫସଲ ନଷ୍ଟ ହୋଇଛି ସେମାନଙ୍କୁ ହେକ୍‍ଟର ପିଛା ୧୩ ହଜାର ୫୦୦ ଓ ୧୮ହଜାର ଟଙ୍କା ଦିଆଯିବ । ଏ ଦିଗରେ ସଠିକ ରିପୋର୍ଟ ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଦିଗରେ କ୍ଷୟକ୍ଷତିର ଭରଣ ପାଇଁ ୩୫୦ କୋଟି ଟଙ୍କା ଦିଆଯାଇଛି । ଲୋକଙ୍କ ଏକାଉଣ୍ଟକୁ କିଭଳି ତାହା ଯିବ ଏହା ଏକ ବଡ ଚ୍ୟାଲେଞ୍ଜ, ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପାହାଡ ତଳୁ ଆଣି ଥଇଥାନ କରାଯାଇ ସେମାନଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ସରକାର କରିବେ ।

0
0
0
s2sdefault