ହେଡଲାଇନସ୍:

"କ୍ଷତିଗ୍ରସ୍ତ ଅଂଚଳରେ ଲୋକଙ୍କୁ ତତ୍କାଳ ସ୍ୱାସ୍ଥ୍ୟସେବା ଯୋଗାଇ ଦିଅ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିତଲି ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର - ବାତ୍ୟାଚଂଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ବୈଠକ ବିବରଣୀରୁ ପ୍ରକାଶ କ୍ଷତିଗ୍ରସ୍ତ ଅଂଳରେ ୧୫୪ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ବାହାର ଜିଲ୍ଲାରୁ ୫୪ଜଣ ଡାକ୍ତରଙ୍କୁ ଆଣି ମୁତୟନ କରାଯାଇଛି । ବର୍ତମାନ ସୁଦ୍ଧା ୨୯,୦୧୫ ଜଣଙ୍କୁ ଚିକିତ୍ସାଳୟ ସେବା ଯୋଗାଇ ଦିଆଯାଇଥିବାବେଳେ ନିରାପଦ ପ୍ରସବ ଲାଗି ୨୭୨ ଜଣ ଗର୍ଭବତୀ ମହିଳାଙ୍କୁ ମା’ଗୃହ ଓ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ୮୬ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍ କାର୍ଯ୍ୟ କରୁଥିବାବେଳେ ଏମାନଙ୍କୁ ୧୯୩ଟି ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର (ଏମ୍ଆର୍ସି)ରେ ମୁତୟନ କରାଯାଇଛି । କ୍ଷତିଗ୍ରସ୍ତ ଅଂଚଳରେ ଲୋକଙ୍କୁ ତତ୍କାଳ ସ୍ୱାସ୍ଥ୍ୟସେବା ଯୋଗାଣ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ବାତ୍ୟା ପୂର୍ବରୁ ଆବଶ୍ୟକ ପରିମାଣର ଜୀବନ ରକ୍ଷାକାରୀ ଔଷଧ ଗଚ୍ଛିତ ଥିବାବେଳେ ଜଳ ବିଶୋଧନ ପାଇଁ ଆବଶ୍ୟକ ହେଉଥିବା ହାଲୋଜେନ ବଟିକା, ଆଂଟିବାୟୋଟିକ୍ସ ,ପାରାସିଟାମଲ, ଆଂଟାସିଡ, ସାପକାମୁଡା ଇଞ୍ଜେକସନ, ବ୍ଲିଚିଂପାଉଡର ଓ ଓଆରଏସ ପାକେଟକୁ ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ଅଂଳକୁ ପଠାଯିବାର ବ୍ୟବସ୍ଥା ହୋଇଛି ।

ବର୍ତମାନ ସୁଦ୍ଧା ୨୫କିଲୋ ଓଜନର ୫୪୫୦ ପାକେଟ ବ୍ଲିଚିଙ୍ଗ ପାଉଡର ପ୍ରଭାବିତ ଅଂଳକୁ ପଠାଯାଇଥିବାବେଳେ ୧୨,୩୦,୦୦୦ ପାକେଟ ଓଆରଏସ୍ ଓ ୮୫,୮୦୩୨ହାଲୋଜେନ ବଟିକା ଓ ୨୫୦୦ ସାପକାମୁଡା ଇଞ୍ଜେକସନ ଓ ୮୦,୦୦୦ ସାଲାଇନ ପ୍ରଭାବିତ ଜିଲ୍ଲାକୁ ପଠାଯାଇଥିବା ଅଧିକାରୀମାନେ ଅବଗତ କରିଛନ୍ତି । କୌଣସି ଠାରେ ଯେଭଳି ମହାମାରୀ ନବ୍ୟାପେ ସେଥିପାଇଁ ଆବଶ୍ୟକ ପରିମାଣ ଔଷଧ ଓ ଇଞ୍ଜେକସନ ଯୋଗାଯାଇଛି । 

ନିୟମିତ ଭାବେ ପାନୀୟଜଳ ଉତ୍ସ  ଗୁଡିକୁ ବିଶୋଧନ କରାଯାଉଛି । ବର୍ତମାନ ସୁଦ୍ଧା ୮୯୨୮୨ ହଜାର ଖୋଲା ପାନୀୟ ଜଳଉତ୍ସ ବିଶୋଧନ କରାଯାଇଥିବାବେଳେ ୪୦୩୫ ରୁ ଅଧିକ ଗ୍ରାମରେ ସଫେଇ କାର୍ଯ୍ୟ ହୋଇଛି । କ୍ଷତିଗ୍ରସ୍ତ ଅଂଳର ଗାଁ ଗୁଡିକୁ ସଫା କରିବାଲାଗି ଗାଁ କଲ୍ୟାଣ ସମିତି ଗୁଡିକ ସହଯୋଗ ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ପ୍ରଭାବିତ ଜିଲ୍ଲାରେ ଚାଲୁଥିବା ସ୍ୱାସ୍ଥ୍ୟସେବା କାର୍ଯ୍ୟର ନିୟମିତ ଅନୁଧ୍ୟାନ ଲାଗି ରାଜ୍ୟ ସ୍ତରରେ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି ।

ସଚିବାଳୟ ଠାରେ ଅନୁଷ୍ଠିତ ତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା ଓ ଡାଃ ମିର୍ଜା ନଇମ୍ ବେଗ୍ , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ସ୍ୱପ୍ନେଶ୍ୱର ଗଡନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault