ହେଡଲାଇନସ୍:

  ରାଜ୍ୟରେ ଭୂସ୍ଖଳନ   ସମ୍ଭାବନାର ବୈଜ୍ଞାନିକ ଆକଳନ ହେବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ

   ଉପକୂଳ ଜିଲ୍ଲା ସଂଲଗ୍ନ ଜିଲ୍ଲାମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ସଘନ କରାଯିବ ।

ପ୍ରାକୃତିକ ବିପର୍ଯ୍ୟୟ ନିରୋଧ ଭିତ୍ତିଭୂମୀ ପାଇଁ ଆଧୂନିକ ବୈଷୟିକ କୌଶଳ ପ୍ରୟୋଗ ହେବ ।

ଉଦ୍ୟାନ ଚାଷୀମାନଙ୍କୁ ମନରେଗାରେ ସହାୟତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡିକରେ ସ୍ୱାଭାବିକ କାର୍ଯ୍ୟ ଚାଲୁ ରଖିବାକୁ ନିର୍ଦ୍ଦେଶ ।

ଭୁବନେଶ୍ୱର,(ଶାସକ ପ୍ରଶାସକ) ବାତ୍ୟା, ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଥିପାଇଁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଅଧିକ କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ଅଂଚଳ ମାନଙ୍କରେ ମୁତୟନ କରାଯାଇଛି । ଇତି ମଧ୍ୟରେ ପ୍ରାୟ ଶତକଡା ୬୦ ଭାଗ କ୍ଷତିଗ୍ରସ୍ତ ଗ୍ରାମରେ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ଆର୍ଥିକ , ବୈଷୟିକଏବଂ ପ୍ରଶାସନିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ତିତ୍ଲି ଓ ତତପରବର୍ତ୍ତୀ ବର୍ଷା ଏବଂ ବନ୍ୟାରେ ପ୍ରପୀଡିତ ଅଂଚଳମାନଙ୍କରେ ରିଲିଫ୍ ଓ ପୁନଉଦ୍ଧାର କାର୍ଯ୍ୟ ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କ୍ଷତିଗ୍ରସ୍ତ କାଜୁ ଏବଂ ଅନ୍ୟାନ୍ୟ ଉଦ୍ୟାନ ଫସଲ ଚାଷୀମାନଙ୍କୁ ମନରେଗା ଯୋଜନାରେ ସାମିଲ କରିବା ପାଇଁ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ ଗୁଡିକ ର ପୁନରୁଦ୍ଧାର କାର୍ଯ୍ୟ ସରିବା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଓଡ଼ିଶା ଜିବୀକା ମିଶନରେ ସାମିଲ କରି କର୍ମନିୟୋଜନ ଓ ରୋଜଗାର ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି ଗୁଡିକରେ ସ୍ୱାଭାବିକ ଶିକ୍ଷାଦାନ ଓ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ପୂଜା ଛୁଟି ଖୋଲିବା ବେଳକୁ ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରାବାସ ଗୁଡିକରେ ବିଦୁ୍ୟତ ସଂଯୋଗ ଏବଂ ପାନୀୟ ଜଳ ଯୋଗାଣ ନିଶ୍ଚିତ କରାଇବାକୁ ମଧ୍ୟ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ରାଜ୍ୟରେ ଭୂସ୍ଖଳନ  ସମ୍ଭାବନାର ବୈଜ୍ଞାନିକ ଆକଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତିତ ଜଳବାୟୁ ଦୃଷ୍ଟିରୁ ଉପକୂଳ ଜିଲ୍ଲା ସଂଲଗ୍ନ ଜିଲ୍ଲାମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସଘନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ ଜିଲ୍ଲାମାନଙ୍କରେ ବ୍ୟାପକ ସଚେତନତା ସୃଷ୍ଟି, ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣ, ଆଗୁଆ ସତର୍କ ସୂଚନା ପ୍ରସାରଣ ଆଦି କାର୍ଯ୍ୟକୁ ଦୃଢ଼ିଭୁତ କରାଯିବ ।

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣତାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ନିରୋଧକ ଭିତ୍ତିଭୂମୀ ନିର୍ମାଣ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ଗ୍ରାମ ଉନ୍ନୟନ, ଶକ୍ତି, ପୁର୍ତ୍ତ ଓ ଜଳ ସଂପଦ ଆଦି ବିଭାଗରେ ବିପର୍ଯ୍ୟୟ ନିରୋଧକ ଅତ୍ୟାଧୁନିକ ବୈଷୟିକ କୌଶଳ ଗୁଡିକର ପ୍ରାୟୋଗ କରାଯିବ । ଏଥି ପାଇଁ ବମ୍ବେସ୍ଥିତ ଆଇ.ଆଇ.ଟି. ର ସହାୟତା ନିଆଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତି ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସେଠୀ କହିଥିଲେ ଯେ ଅନୁକମ୍ପା ମୂଳକ ରିଲିଫ୍ ବାବଦରେ ପ୍ରାୟ ୩୭୫ କୋଟି ଟଙ୍କାର ଖର୍ଚ୍ଚ ଆକଳନକୁ ବୈଠକରେ ଅନୁମୋଦନ କରାଯାଇଛି । ଏ ବାବଦରେ ପ୍ରଥମ କିସ୍ତିଭାବେ ଜିଲ୍ଲାପାଳମାନଙ୍କୁ ୧୦୨ କୋଟି ଟଙ୍କା ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି । ଚାଉଳ, ଚୁଡା, ଗୁଡ ଏବଂ ଅନ୍ୟାନ୍ୟ ତୁରନ୍ତ ରିଲିଫ୍ ଦ୍ରବ୍ୟର ମୂଲ୍ୟ ଓ ପରିବହନ ଖର୍ଚ୍ଚ ବାବଦରେ ପ୍ରାୟ ୨୦.୩୧ କୋଟି ଟଙ୍କାର ଖର୍ଚ୍ଚ ଅନୁମୋଦନ କରାଯାଇଛି । ଏହାଛଡା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ଶକ୍ତି ବିଭାଗର ୨୭ କୋଟି, ଜଳ ସଂପଦ ବିଭାଗର ୭.୭୪ କୋଟି, ପୁର୍ତ୍ତ ବିଭାଗର ୪୯.୫୫ କୋଟି, ଗ୍ରାମ ଉନ୍ନୟନର ୫୫.୦୮ କୋଟି ଏବଂ ପଂଚାୟତି ରାଜ ଓ ପାନୀୟ ଜଳଯୋଗାଣ ବିଭାଗର ୬୨୪.୨୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ପ୍ରାଥମିକ କ୍ଷୟକ୍ଷତି ଆକଳନ ସୂଚନା ଭିତ୍ତିରେ ଗୃହ ନିର୍ମାଣ, ଲୁଗାପଟା, ବାସନକୁସନ ଏବଂ ଘରୋଇ ବସ୍ତୁ, କୃଷି ଜମିରୁ ବାଲିଚର ଉଠାଣ, ଗୃହପାଳିତ ପଶୁମାନଙ୍କ ମୃତୁ୍ୟ ସହାୟତା, କ୍ଷତିଗ୍ରସ୍ତ ନୌକା ଏବଂ ଜାଲ ଆଦିର ପୁନରୁଦ୍ଧାର ଆଦି ବାବଦରେ ୨୧୮.୫୦ କୋଟି ଟଙ୍କାର ଅଟକଳକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି ବୋଲି ଶ୍ରୀ ସେଠୀ କହିଥିଲେ ।

ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍, କୃଷି ଉତ୍ପାଦନ  କମିଶନର ଶ୍ରୀ ଗଗନ କୁମାର ଧଳ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ୍ କୁମାର ତ୍ରିପାଠୀ, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତୁହିନ୍ କାନ୍ତ ପାଣ୍ଡେଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

0
0
0
s2sdefault