ହେଡଲାଇନସ୍:

ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ଟେଣ୍ଡରରେ ଅନିୟମିତତା ଅଭିଯୋଗ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଟକ (ଶାସକ ପ୍ରଶାସକ ବ୍ୟୁରୋ) ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗରେ ପ୍ରତିବର୍ଷ ପରି ଚଳିତ ବର୍ଷ ୨୦୧୮-୧୯ ପାଇଁ ୨୧.୦୮.୨୦୧୮ରେ ଟେଣ୍ଡର ପ୍ରକାଶ ହେଲା । ଟେଣ୍ଡରରେ ଜୋତା, କନା, ବୁଟ୍ ପଲିସ୍ ଇତ୍ୟାଦି ସାମଗ୍ରୀ ପାଇଁ ଟେଣ୍ଡର ଆହ୍ୱାନ କରାଗଲା । ୧୦.୦୯ ଟେଣ୍ଡର ଦାଖଲର ଶେଷ ତାରିଖ ରହିଥିଲା । ୧୨.୦୯ରେ ଟେଣ୍ଡର ଆବେଦନ କରିଥିବା ବ୍ୟକ୍ତି ବିଶେଷ / ଫାର୍ମ ଗୁଡ଼ିକର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯାଇଥିଲା । ୨୪.୦୯ରେ ଟେଣ୍ଡର ସାମଗ୍ରୀର ମାନ ନିର୍ଦ୍ଧାରଣ ଯାଞ୍ଚ କରାଗଲା । ମାନ ନିର୍ଦ୍ଧାରଣ ଯାଞ୍ଚ ବେଳେ ପ୍ରାୟ ୨୩ଟି ସାମଗ୍ରୀର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରାଯାଇଥିଲା । ଟେଣ୍ଡର ସାମଗ୍ରୀର ଯାଞ୍ଚ ସମୟରେ ବିଭାଗୀୟ ଆଇ.ଜି. ରାଜେଶ କୁମାର, ମୁଖ୍ୟ ଅଗ୍ନିଶମ ପଦାଧିକାରୀ, ଅଭିଜ୍ଞ ଟେକ୍ସଟାଇଲ୍ ମାନନିର୍ଦ୍ଧାରଣକାରୀ ଓ ଇ.ପି.ଏମ୍. ପଦାଧିକାରୀ ଉପସ୍ଥିତ ରହିଥିଲେ । 

ନିୟମ ଅନୁଯାୟୀ ପ୍ରତ୍ୟେକ ଟେଣ୍ଡର ସାମଗ୍ରୀର ମାନ ପରୀକ୍ଷଣ ଓ ଯାଞ୍ଚ କରିବାକୁ ଜଣେ ଅଭିଜ୍ଞ (ଏକ୍ସପର୍ଟ) ମାନ ନିର୍ଦ୍ଧାରଣକାରୀ ପଦାଧିକାରୀ ରହିବାର କଥା । ଏହି ଟେଣ୍ଡରରେ ମାନ ଯାଞ୍ଚ ସମୟରେ ଟେକ୍ସଟାଇଲ୍ ପାଇଁ ଏକ୍ସପର୍ଟ ପଦାଧିକାରୀ ରହିଥିଲେ । ମାତ୍ର ଜୋତାର ମାନ ନିର୍ଦ୍ଧାରଣ କରିବାକୁ କୌଣସି ଏକ୍ସପର୍ଟ ନଥିଲେ ।

ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗରେ ଜୋତା ଟେଣ୍ଡର ପାଇଁ ଆଠଜଣ ଆବେଦନକାରୀ ଟେଣ୍ଡର ପକାଇଥିଲେ । ଟେଣ୍ଡରର ବିଜ୍ଞାପନ ନିୟମ ଅନୁଯାୟୀ ସର୍ବପ୍ରଥମେ ଓ.ଇ.ଏମ୍. (ସିଧାସଳଖ ସାମଗ୍ରୀର (ଜୋତା) ନିର୍ମାଣକାରୀ କମ୍ପାନୀମାନଙ୍କୁ ଟେଣ୍ଡରରେ ସର୍ବପ୍ରଥମେ ସୁଯୋଗ ଦିଆଯିବା କଥା । ଏହାପରେ ନିର୍ମାଣକାରୀ କମ୍ପାନୀର ଏଜେଣ୍ଟ କିମ୍ବା ଡ଼ିଲର ପ୍ରଭୃତିଙ୍କୁ ସୁଯୋଗ ଦିଆଯିବ । କିନ୍ତୁ ହୋମ୍ ଗାର୍ଡ ଓ ଅଗ୍ନିଶମ ଟେଣ୍ଡରରେ ଖୋଦ୍ ଆଇ.ଜି. ରାଜେଶ କୁମାରଙ୍କ ଉପସ୍ଥିତିରେ ଟେଣ୍ଡରରେ ଚଞ୍ଚକତା ଓ ପ୍ରିୟାପ୍ରୀତି ତୋଷଣ କରି ଅନିୟମିତତା ହୋଇଛି ବୋଲି ଅଭିଯୋଗ ଉଠିଛି । 

ବାଟା କମ୍ପାନୀ ନିଜେ ଟେଣ୍ଡରରେ ଅଂଶଗ୍ରହଣ କରିନଥିଲା । ବାଟା କମ୍ପାନୀର ଜୋତାକୁ କେତେକ ଏଜେଣ୍ଟ୍ ନିଜର ଘରୋଇ ଫାର୍ମ ନାଁରେ ଟେଣ୍ଡରରେ ଯୋଗାଇବାକୁ ଆବେଦନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଟେଣ୍ଡରରେ ଜନୈକ ଜୋତା ଉତ୍ପାଦନକାରୀ କମ୍ପାନୀ "ଦର୍ପା ଇଣ୍ଡଷ୍ଟ୍ରି ପଲିମର ପ୍ରାଇଭେଟ୍ ଲିମିଟେଡ଼୍' ନିଜେ ଆବେଦନ କରିଥିଲେ । କାଗଜପତ୍ର ଯାଞ୍ଚ ଓ ସ୍ପେସିଫିକେଶନ୍ ନିର୍ଦ୍ଧାରଣରେ ଦର୍ପା ଇଣ୍ଡଷ୍ଟ୍ରିର ଜୋତା ସଫଳ ହୋଇଥିଲା । କିନ୍ତୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ଏହି କମ୍ପାନୀର ଜୋତାକୁ ମାନନିର୍ଦ୍ଧାରଣ ସମୟରେ ଅନୁପଯୁକ୍ତ କରି ଟେଣ୍ଡରରୁ ବାଦ୍ ଦିଆଯାଇଥିଲା । ବାଟା କମ୍ପାନୀ ଜୋତା ଯୋଗାଇବା ପାଇଁ ଚାରି ଜଣ ଟେଣ୍ଡର ଆବେଦନକାରୀ ଘରୋଇ ଫାର୍ମରେ ଆବେଦନ କରିଥିଲେ । ଠିକ୍ ସେହିପରି ଖ୍ୟାତନାମା ଫୋର୍ସ କମ୍ପାନୀ ମଧ୍ୟ ଟେଣ୍ଡରରେ ଭାଗ ନେଇଥିଲେ । ୨୪.୯.୨୦୧୮ ଦିନ ଯେତେବେଳେ ଜୋତାର ମାନ ନିର୍ଦ୍ଧାରଣ ଯାଞ୍ଚ କରାଯାଇଥିଲା ବାଟା ଜୋତା ଯୋଗାଇବା ପାଇଁ ନିଜ ଘରୋଇ ଫାର୍ମରେ ଦୁଇ ଜଣ ଆବେଦନକାରୀ ଟେଣ୍ଡର ଆବେଦନ କରିଥିଲେ ସେଇ ଦୁଇଜଣଙ୍କର ଜୋତାକୁ ଗ୍ରହଣ କରାଯାଇଥିଲା ଏବଂ ଅନ୍ୟ ଦୁଇଜଣ (ବାଟା ଜୋତା ଯୋଗାଇବାକୁ) ଟେଣ୍ଡର ଆବେଦନ କରିଥିବା ସଂସ୍ଥାକୁ ବାଦ୍ ଦିଆଯାଇଥିଲା । ଏପରିକି ଫୋର୍ସ ଜୋତାକୁ ମଧ୍ୟ ବାଦ୍ ଦିଆଯାଇଥିଲା । ଦର୍ପା ଇଣ୍ଡଷ୍ଟ୍ରି ଜୋତା ଏକମାତ୍ର ନିର୍ମାଣକାରୀ ଫାର୍ମଭାବେ ହୋମ୍ ଗାର୍ଡ ଓ ଅଗ୍ନିଶମ ଟେଣ୍ଡରରେ ଭାଗନେଇଥିଲା । ସେ ମଧ୍ୟ ବାଦ୍ ପଡ଼ିଥିଲା ।

ବାଟା ଜୋତାପାଇଁ ଚାରିଜଣ ଟେଣ୍ଡର ଆବେଦନକାରୀ ଥିବାବେଳେ କେଉଁ ନିୟମ ଓ କିପରି ଦୁଇଜଣ ଆବେଦନକାରୀଙ୍କ ଜୋତାକୁ ଟେଣ୍ଡରରେ ଗ୍ରହଣ କରାଗଲା ଏବଂ ସେହି ସମାନ ବାଟା ଜୋତା ଯୋଗାଇବା ପାଇଁ ଆବେଦନ କରିଥିବା ଅନ୍ୟ ଦୁଇ ଘରୋଇ ସଂସ୍ଥା ସତ୍କମଲ ଓ ଶଙ୍କର ଫାର୍ମକୁ ଟେଣ୍ଡରରୁ କାହିଁକି ବାଦ୍ ଦିଆଗଲା । ଫୋର୍ସ କମ୍ପାନୀର ଏଜେଣ୍ଟ୍ ଓ ଦର୍ପା ଇଣ୍ଡଷ୍ଟ୍ରିର ଜୋତାକୁ ଟେଣ୍ଡରର ମାନନିର୍ଦ୍ଧାରଣ ବେଳେ କ'ଣ ପାଇଁ ବାଦ୍ ଦିଆଗଲା ତାହା ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଜୋତା ସମେତ ଅନ୍ୟାନ୍ୟ ସାମଗ୍ରୀରେ ମଧ୍ୟ ଏହିପରି ଅନିୟମିତତା ହୋଇଛି ବୋଲି ଖୋଲାଖୋଲି ଅଭିଯୋଗ ହେଉଛି । ଟେକ୍ସଟାଇଲ ସାମଗ୍ରୀ (କପଡ଼ା) ଯୋଗାଣରେ ପ୍ରଥମେ ରେମଣ୍ଡର ଘରୋଇ ଫାର୍ମକୁ ମାନନିର୍ଦ୍ଧାରଣରେ ସାମିଲ କରାଯାଇଥିଲା ଏବଂ ଏସ୍. କୁମାର ଭଳି ଖ୍ୟାତନାମା ଟେକ୍ସଟାଇଲ କମ୍ପାନୀକୁ ବାଦ୍ ଦିଆଯାଇଥିଲା । ଅଭିଯୋଗ ହେବା ପରେ ଏସ୍.କୁମାରକୁ ପୁନଶ୍ଚ ଟେଣ୍ଡରରେ ସାମିଲ କରାଯାଇଛି ବୋଲି ଶୁଣାଯାଉଛି । ସେହିପରି ଏକ ବୁଟ୍ପଲିସ୍ କମ୍ପାନୀକୁ ମାନ ନିର୍ଦ୍ଧାରଣ ଯାଞ୍ଚରେ ସ୍ୱୀକୃତି ଦିଆଯାଇ ପରେ ପୁଣି ଉକ୍ତ କମ୍ପାନୀକୁ ବାଦ୍ ଦେଇଦିଆଗଲା । ଏଭଳି କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତିରେ ଗନ୍ଧ ହୋମ୍ ଗାର୍ଡ ଓ ଅଗ୍ନିଶମ ଟେଣ୍ଡରରେ ସ୍ପଷ୍ଟ ବୁଝା ପଡ଼ୁଛି ବୋଲି ଚର୍ଚ୍ଚା ହେଉଛି । ଏହାଦ୍ୱାରା ରାଜ୍ୟ ସରକାର ପ୍ରତିବର୍ଷ ପ୍ରାୟ କୋଟି କୋଟି ଟଙ୍କା କ୍ଷତି ସହୁଥିବାବେଳେ କିଛି ଅସାଧୁ ପଦାଧିକାରୀ ମାଲାମାଲ୍ ହେଉଛନ୍ତି ଏବଂ ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ନିମ୍ନମାନର ସାମଗ୍ରୀ ଯୋଗାଇ ଦିଆଯାଉଛି ।

କେଉଁ ନିୟମ ଓ କିପରି ବ୍ୟବସ୍ଥାରେ କାହିଁକି ଦର୍ପା ଇଣ୍ଡଷ୍ଟ୍ରି, ଫୋର୍ସ ଓ ସତ୍କମଲ୍ ଓ ଶଙ୍କର ଫାର୍ମର ମାନ ନିର୍ଦ୍ଧାରଣ (ଟେକ୍ନିକାଲ୍ ସିଲେକ୍ସନ୍) ଯାଞ୍ଚ ସମୟରେ ଟେଣ୍ଡରରୁ ବାଦ୍ ଦିଆଗଲା ତାହା ପଚାରବାରୁ ଉପସ୍ଥିତ ହୋମ୍ ଗାର୍ଡ ଓ ଅଗ୍ନିଶମ ପଦାଧିକାରୀ ଏସବୁର ନିର୍ଦ୍ଧିଷ୍ଟ କାରଣ ଦିଆଯିବନାହିଁ ବୋଲି ରୋକଠୋକ ଶୁଣାଇଥିଲେ । ଏହି ଟେଣ୍ଡରରେ ହୋଇଥିବା ଦୁର୍ନିୀତି ଓ ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ଆଇ.ଜି. ରାଜେଶ କୁମାରଙ୍କୁ ପଚାରିବାରୁ ସେ କହିଥିଲେ, ""ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗରେ ମୁଁ କିଛି କହିପାରିବି ନାହିଁ । ଯଦି କିଛି ଅଭିଯୋଗ ଅଛି ତେବେ ଲିଖିତ ଭାବେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଜଣାଇବାକୁ ସେ କହିଥିଲେ'' ।

ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗ ଅଧିନରେ ରହିଛି । ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗରେ ଟେଣ୍ଡର ଦୁର୍ନୀତି ଓ ଅନିୟମିତତା ଯେଉଁ ଅଭିଯୋଗ ଉଠିଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ପ୍ରଶାସନ ଓ ସାଧୁ ସରକାର ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଏଥିପାଇଁ ଏହାର ତଦନ୍ତ ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗ କରିବାକୁ ଦାବୀ ହେଉଛି । ଏହି ଅଭିଯୋଗ ଆଇ.ଜି. ରାଜେଶ କୁମାରଙ୍କ ସାଧୁତା ଉପରେ ଆଙ୍ଗୁଠି ଉଠାଉଥିବାବେଳେ, ଅନିୟମିତତା ଅଭିଯୋଗର ସତ୍ୟତା ଉପରେ ଗୃହ ବିଭାଗ ତଦନ୍ତ କରିବା ପାଇଁ ଦାବି ହେଉଛି |ଏହାକୁ ନେଇ କିଛି ସାମାଜିକ କର୍ମୀ କୋର୍ଟ କଚେରୀରେ କେଶ୍ ଦାୟର କରିବାକୁ ପ୍ରସ୍ତୁତ ହେଲେଣି ।

0
0
0
s2sdefault