ଭୁବନେଶ୍ୱର, ଜାନୁଆରୀ ୨୪, ୨୦୨୪: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ବିଭାଗ କନଫରେନ୍ସ ହଲରେ ଆଜି ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସ ଦ୍ବାରା ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀ ଓ ରାଜ୍ୟର ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଋ ପ୍ରାୟ ୬୬୫ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l
ବୈଠକରେ କଲେଜ ଗୁଡିକର ୫- ଟି କଲେଜ ରୂପାନ୍ତରୀକରଣ ଅନ୍ତର୍ଗତ ଭିତ୍ତିଭୂମି ବିକାଶ ନିମନ୍ତେ ଯୋଗାଇ ଦିଅଯାଉଥିବା ଅର୍ଥରାଶି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଥିଲା l କଲେଜ ଭିତ୍ତିଭୂମି ନିର୍ମାଣ ତଥା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାଗୁଡିକ ନିମନ୍ତେ ହେଉଥିବା ଖର୍ଚ୍ଚ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଉଛି, ଏବଂ ଏହା ଛାତ୍ରଛାତ୍ରୀମାନେ ଜାଣିବା ଉଚିତ l ଏଣିକି କଲେଜରେ ହେଉଥିବା ରୂପାନ୍ତରୀକରଣର ଫୋଟ ଉଠାଇ ତାହାକୁ ସାମ୍ସ ପୋର୍ଟାଲରେ ଅପଲୋଡ଼ କରାଯିବ କିମ୍ବା ଏହାକୁ ନେଇ ଡକୁମେନ୍ଟ ତିଆରି କରିପାରିବେ ବୋଲି ଶ୍ରୀ ଅଗ୍ରୱାଲ ବୈଠକରେ ସୂଚନା ଦେଇଥିଲେ l
ଏହାଛଡା ରାଜ୍ୟର ସମସ୍ତ ମହାବିଦ୍ୟାଳୟଗୁଡିକରେ ଚାଲୁଥିବା ରୂପାନ୍ତରୀକରଣ କାର୍ଯ୍ୟକୁ ଫେବୃୟାରୀ ୧୦ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ୨୨ ଜାନୁୟାରୀ ୨୦୨୪ ସୁଦ୍ଧା ରାଜ୍ୟର ୭ ଗୋଟି ସରକାରୀ ଶିକ୍ଷକ ପ୍ରଶିକ୍ଷଣ କଲେଜକୁ ଆସବାବପତ୍ର କିଣିବା ବାବଦରେ ୭୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ଏବଂ ୮ ଟି ସରକାରୀ ଡିଗ୍ରୀ କଲେଜକୁ ୧୫୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି l ଏହି ଅର୍ଥରେ ସେମାନେ ମାର୍ଚ୍ଚ ୨୦୨୪ କଲେଜ ନିମନ୍ତେ ଆସବାବପତ୍ର କିଣି ପାରିବେ l ଏହିକ୍ରମରେ ଅଣ ଅନୁଦାନପ୍ରାପ୍ତ ୩୦୧ଟି ଡିଗ୍ରୀ କଲେଜରେ ଭିତ୍ତିଭୂମି ବିକାଶ ନିମନ୍ତେ ୯୬ କୋଟି ୯୮ ଲକ୍ଷ ୫୧ ହଜାର ଟଙ୍କା ଅନୁମୋଦନ କରାଯାଇଛି l ଏବଂ ୮୪ ଟି ସାଇନ୍ସ କଲେଜରେ ଲାବୋରେଟରି ନିର୍ମାଣ ନିମନ୍ତେ ୧୨ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି l ଏହି ଅର୍ଥକୁ ଯଥାଶୀଘ୍ର କାମରେ ଲଗାଇବାକୁ ବୈଠକରେ ଶ୍ରୀ ଅଗ୍ରୱାଲ ଅଧ୍ୟକ୍ଷମାନଙ୍କୁ କହିଥିଲେ l
ଏହାଛଡ଼ା କଲେଜଗୁଡିକରେ ଖାଲି ପଡିଥିବା ପଦବୀ ବିଷୟରେ ସବିଶେଷ ବିବରଣୀ ଯଥାଶୀଘ୍ର ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ କହିଥିଲେ l ବିବରଣୀ ପାଇବା ପରେ ଏସଏସବି(SSB) ମାଧ୍ୟମରେ ସେଗୁଡିକୁ ତ୍ଵରାନିତ୍ଵ ଭାବେ ପୂରଣ କରାଯିବ l ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଇ – ମେଧାବୃତ୍ତି, ବ୍ୟାସକାବ୍ୟ ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଭଳି ଛାତ୍ରବୃତ୍ତିର ସୁଯୋଗ ନେବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ l ଆବେଦନରେ କୌଣସି ପ୍ରକାର ସମସ୍ଯା ଦେଖାଦେଲେ ଟୋଲ ଫ୍ରି ନମ୍ବର ୦୬୭୪-୨୩୨୩୪୦୧, ୪୦୨, ୪୦୩, ୪୦୪ ରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି l ସେହିପରି ଲାପଟପ୍ ଯୋଜନା ରେ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ଲାପଟପ୍ କିଣିବା ନିମନ୍ତେ ଯୋଗାଇ ଦିଅଯାଉଛି l ତାହାର ସଦୁପଯୋଗ କରିବାକୁ ବୈଠକରେ କୁହାଯାଇଛି l ସୂଚନାଯୋଗ୍ୟ ଯେ, ୨୦୨୨ ଶିକ୍ଷାବର୍ଷରେ ୧୪୨୬୨ ଛାତ୍ରଛାତ୍ରୀଙ୍କୁ ଏବଂ ୨୦୨୩ ଶିକ୍ଷାବର୍ଷରେ ୧୨୫୫୦ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ସହାୟତା ପ୍ରଦାନ କରାଯାଇଛି l ଏବଂ ବୈଠକ ଶେଷରେ କଲେଜ ଅଧ୍ୟକ୍ଷମାନେ ନିଜନିଜ କଲେଜର ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତାହାର ସମାଧାନ ପଚାରି ବୁଝିଥିଲେ l
ରାଜ୍ୟ
ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
- Hits: 278







