"ଜିତିବା ଅପେକ୍ଷା ଶିଖିବା ଜରୁରୀ"
-
ଗଜପତିରେ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଟିପ୍ସ
-
ସୋସିଆଲ ମିଡ଼ିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ
-
ସଫଳତା ପାଇଁ ପାଠ ପଢ଼ିବା ସହ ବ୍ୟକ୍ତିତ୍ୱ ବିକାଶ ଜରୁରୀ
-
ଗଜପତିର ସମସ୍ତ ୧୭ଟି କଲେଜ ଫାଇଭ-ଟି ରୂପାନ୍ତରଣରେ ସାମିଲ
-
ବାପା, ମା ଓ ଗୁରୁଙ୍କୁ ସମ୍ମାନ ଦେଲେ ସଫଳତା ମିଳିବ ଓ ନୂଆ ଓଡ଼ିଶା ଗଠନ ହେବ
ଭୁବନେଶ୍ୱର: ସୋସିଆଲ ମିଡିଆ ଦୁଇ ପଟ ଧାର ଥିବା ଖଣ୍ଡା ପ୍ରତି । ତେଣୁ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ଯକ୍ଷ ଭି କେ ପାଣ୍ଡିଆନ । ଆଜି ଗଜପତି ଜିଲ୍ଲାରେ ଆୟୋଜିତ ନୂଆ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର କିଛି ଟିପ୍ସ ଦେବାକୁ ଯାଇ ଫାଇଭ ଟି ଅଧ୍ଯକ୍ଷ କହିଛନ୍ତି ନିଜର ସ୍ବପ୍ନ ପୂରଣ କରିବାରେ ସାମାଜିକ ଗଣମାଧ୍ଯମ ସହାୟକ ହୋଇପାରିବ । କିନ୍ତୁ ଏଥିରେ ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ ।
ନୂଆ-ଓ କାର୍ଯ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଥିବା ଆଗ୍ରହ ଦୃଷ୍ଟିରୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ । କାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏହା ଏକ ମାଧ୍ଯମ I ଶିକ୍ଷାର୍ଥୀମାନେ ନିଜର ଆଭ୍ୟନ୍ତରିଣ ପ୍ରତିଭାର ବିକାଶ ପାଇଁ ସବୁବେଳେ ଉଦ୍ୟମ କରିବା ଉଚିତ । କାରଣ ଏହାଦ୍ବାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ ବୋଲି କହିଥିଲେ ଭି କେ ପାଣ୍ଡିଆନ |
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜୀବନରେ ସଫଳତା ପାଇବାକୁ ହେଲେ ପାଠପଢା ଯେତିକି ଗୁରୁତ୍ବପୂର୍ଣ ନିଜର ପର୍ସନାଲିଟି ଡେଭଲପମେଣ୍ଟ ମଧ୍ଯ ସେତିକି ଜରୁରୀ । ବ୍ଳକ, ଜିଲ୍ଲା କିମ୍ଵା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ ଗୁରୁତ୍ବପୂର୍ଣ । କାରଣ ପ୍ରତିଯୋଗିତାରେ ଜିତିଲେ ଖୁସି ଲାଗେ, କିନ୍ତୁ ଭାଗ ନେଲେ ଅନେକ କିଛି ଶିକ୍ଷା ମିଳିଥାଏ । ଏହି ଶିକ୍ଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିବାରେ ସହଯୋଗ କରିବ ବୋଲି ସେ କହିଥିଲେ ।
ବଡ ବଡ ସହରର ବଡ ବଡ କଲେଜରେ ପାଠ ପଢୁଥିବା ପିଲାଙ୍କ ପରି ଗଜପତିର ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଉନ୍ନତ ଶିକ୍ଷାଦାନର ସୁଯୋଗ ଦେବାକୁ ସବୁ କଲେଜର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ଗଜପତିର ସମସ୍ତ ୧୭ଟି କଲେଜ ଫାଇଭ-ଟି ରୂପାନ୍ତରଣ ସାମିଲ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ରୂପାନ୍ତରଣ କାର୍ଯ୍ୟ ସରିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ସ୍ମାର୍ଟ ଲାବ ସୁବିଧା ପାଇବେ । ସେମାନେ ବି ବଡ ବଡ କଲେଜର ଶିକ୍ଷାର୍ଥୀଙ୍କ ପରି ସ୍ବପ୍ନ ଦେଖିପାରିବେ ।
ଜୀବନରେ କେତେ ଜଣ ଛାତ୍ର ସଫଳ ହେବାକୁ ସ୍ବପ୍ନ ଦେଖୁଛନ୍ତି, କିଏ ନିଜର ଶରୀର ପାଇଁ ଦୈନିକ ୩୦ ମିନିଟ ବ୍ୟାୟାମ କରୁଛନ୍ତି, କେତେ ଜଣ ନିଜ ଭବିଷ୍ୟତ ପାଇଁ ଦୈନିକ ୧୪ ଘଣ୍ଟା ପରିଶ୍ରମ କରୁଛନ୍ତି, କେତେଜଣ ସୋସିଆଲ ମିଡିଆରେ ଏକ ଘଣ୍ଟାରୁ କମ ସମୟ ନଷ୍ଟ କରୁଛନ୍ତି, କେତେ ଜଣ ପ୍ରତିଦିନ ୧୫ ମିନିଟ ଯୋଗ କରୁଛନ୍ତି ଓ କେତେଜଣ ନିଜ ବାପା, ମା ଓ ଗୁରୁଙ୍କୁ ସମ୍ମାନ ଦେଉଛନ୍ତି ଏମିତି ଛାତ୍ରଛାତ୍ରୀଙ୍କୁ ୬ଟି ପ୍ରଶ୍ନ ପଚାରିଥିଲେ ଭି କେ ପାଣ୍ଡିଆନ । ଏହିସବୁ ପ୍ରଶ୍ନ ଛଳରେ ସେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବାର ମନ୍ତ୍ର ଦେଇଥିଲେ I
ଏହି ଅବସରରେ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ନିଜ ସଫଳତାର କାହାଣୀ କହିଥିଲେ । ସେ ବି ଏକ ଗାଁ ସ୍କୁଲରୁ ପାଠ ପଢିଥିଲେ ଏବଂ ଦୈନିକ ୨୦ କିଲୋମିଟିର ସାଇକେଲରେ କଲେଜ ଯାଉଥିଲେ । ତେଣୁ ସରକାରୀ କଲେଜରେ ପାଠ ପଢିବି ଜଣେ ସଫଳ ହୋଇପାରିବ । ସଚିନ ତେନ୍ଦୁଲକରଙ୍କ ଉଦାହାରଣ ଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ସହ ନିଜର ବ୍ୟକ୍ତିତ୍ୱ ବିକାଶ କରିବାକୁ ପରାମର୍ଶ ଦେଇଥିଲେ ଭି କେ ପାଣ୍ଡିଆନ ।







