ଓଡ଼ଗାଁ,୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ଅଯୋଧ୍ୟା ଠାରେ ନବନିର୍ମିତ ଭବ୍ୟ ମନ୍ଦିର ସହିତ ପ୍ରଭୁ ରାମଲାଲାଙ୍କ ମନ୍ଦିର ପ୍ରବେଶ ଓ ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ଓଡ଼ଗାଁ ଠାରେ ଜୟ ଶ୍ରୀରାମ ସେବା ସମିତି ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ଶନିବାର ଠାରୁ ଆୟୋଜିତ ରାମତାରକ ଯଜ୍ଞର ଆଜି ହୋଇଥିଲା ପୂର୍ଣ୍ଣାହୁତି । ଏହି ଅବସରରେ ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ସୋମବାର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଆଗମନ ଫଳରେ ଅଢେ଼ଇ ଘଣ୍ଟା ବିଳମ୍ବରେ ପହଡ଼ ପଡ଼ିଥିଲା । ମନ୍ଦିର ପ୍ରବେଶ ପଥରୁ ମନ୍ଦିରର ଗମ୍ଭିରା ପର୍ଯ୍ୟନ୍ତ ସାଜସଜ୍ଜା ଥିଲା ବେଶ ଆକର୍ଷଣୀୟ । ମଧ୍ୟାହ୍ନରେ ପଟୁଆର ମାଧ୍ୟମରେ ଜୟ ଶ୍ରୀରାମ ଧ୍ବନିର ପ୍ରକମ୍ପିତ ହୋଇଥିଲା ସାରା ଓଡ଼ଗାଁ ଅଞ୍ଚଳ । ଏନେଇ ଗାଁରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ସହିତ ବିଭିନ୍ନ ସଂଗଠନ ମାନଙ୍କ ଦ୍ଵାରା ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା ।
ଘରର ଛାତ ଉପରେ ରାମ ଧ୍ଵଜା ସହିତ ଝାଲର ଉଡୁଥିବା ଦେଖାଯାଇଥିଲା । ସନ୍ଧ୍ୟାରେ ମନ୍ଦିର ପରିସରରେ ୫ ହଜାରୁ ଉର୍ଦ୍ଧ୍ବ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଅନ୍ୟାନ୍ୟ ମନ୍ଦିର ସହିତ ଘରେ ଘରେ ଆଜିର ପ୍ରଦୀପ ପ୍ରଜ୍ଜ୍ୱଳନ ଦିପାବଳୀର ଭ୍ରମ ସୃଷ୍ଟି କରିଥିଲା । ବୈଦିକ ବ୍ରାହ୍ମଣ ହରିବନ୍ଧୁ ଷଡ଼ଙ୍ଗୀ, ଶାନୁନୁ ଦାଶ, ଶିବ ଷଡ଼ଙ୍ଗୀ, ଦୁର୍ଗା ଷଡଙ୍ଗୀ ଓ ଦିଲୀପ ଆଚାର୍ଯ୍ୟଙ୍କ ମନ୍ତ୍ର ଧ୍ବନିରେ ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ସନ୍ତୋଷ ପ୍ରଧାନ, ବିକାଶ ନାୟକ, ସୁଶାନ୍ତ କୁମାର ସାହୁ, ବିଷ୍ଣୁ ପ୍ରସାଦ ଭଟ୍ଟ, ଶୁରେଶ ସାମନ୍ତରା, ଶ୍ରୀମନ୍ତ ମହାରଣା, ବିଜୟ କୁମାର ଦାଶ, ବରେନ୍ଦ୍ର ନନ୍ଦ, ମାନସ ରଞ୍ଜନ ସାହୁ, ତପନ ସାମନ୍ତରା, ସୁକାନ୍ତ ସାହୁ, କାର୍ତ୍ତିକ ପଣ୍ଡା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ଓଡ଼ଗାଁ ଶ୍ରୀ ରଘୁନାଥ ଧାମ ସହିତ ପୁରପଲ୍ଲୀ ଉତ୍ସବ ମୁଖର, ତ୍ରିଦିବସୀୟ ରାମତାରକ ଘୃତଯଜ୍ଞର ପୂର୍ଣ୍ଣାହୁତି
- Hits: 293







