ହେଡଲାଇନସ୍:

ପୁସ୍ତକ ମେଳାର ଷଷ୍ଠ ସଂଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର,ତା-୨୦.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଷଷ୍ଠ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସଂଳାପକାର ଡଃ ରଜନୀ ରଞ୍ଜନ କହିଥିଲେ ଶିକ୍ଷକ ଓ କବି ଭାବପ୍ରବଣ ହେଵା ନିହାତି ଆବଶ୍ୟକ । ପବନର ଛନ୍ଦ ଥାଏ,ଜଳର ମଧ୍ୟ ଛନ୍ଦ ଥାଏ । ସେହିପରି ଭାବେ ଆମ ଜୀଵନଚର୍ଯ୍ୟାରେ ମଧ୍ୟ ଛନ୍ଦର ଆବଶ୍ୟକତା ରହିଛି । ଛନ୍ଦକୁ ଚିହ୍ନି ପାରୁଥିବା ବ୍ୟକ୍ତିଟି କବି ହୋଇପାରେ । ଅନ୍ୟତମ ସମ୍ମାନନୀୟ ଅତିଥି ଗାଳ୍ପିକ ଆର୍ଯ୍ୟ ଯଜ୍ଞଦତ୍ତ ସାହିତ୍ୟକୁ ମଣିଷ ଜୀବନର ଏକ ଆବଶ୍ୟକତା ବୋଲି କହିଥିଲେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସାହିତ୍ୟମନସ୍କ ହେବା ଉଚିତ । ସମସ୍ତେ କିଛି କିଛି ସାହିତ୍ୟ ପଢ଼ିବା ଆବଶ୍ୟକ । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଆଚାର୍ଯ୍ୟ କହିଥିଲେ ଜଗତସିଂହପୁରବାସୀଙ୍କ ପାଖରେ ମୁଠାଏ ହୃଦୟ ରହିଛି । ଏ ମାଟିର ମହକ,ପ୍ରାଚୁର୍ଯ୍ୟ ଅବର୍ଣ୍ଣନୀୟ । ଯିଏ ଜୀବନର ସମସ୍ତ ସୁଖ, ଦୁଃଖ, ଯନ୍ତ୍ରଣାକୁ ବହନ କରିପାରେ ସେ ହେଉଛି ଵହି । ବନ୍ଧୁ ଭାବେ ହିତ ସାଧନା କରୁଥିବା କାରଣରୁ ତାର ନାମ ଵହି । ଫକୀର ମୋହନ ବିଶ୍ବବିଦ୍ୟାଳୟ,ବାଲେଶ୍ଵରର କୁଳପତି ଡଃ ସନ୍ତୋଷ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଜଗତସିଂହପୁର ମାଟିରେ ଛିଡ଼ା ହେଲେ ଛାତି ଫୁଲିଉଠେ । ଏ ମାଟିର କଥା କହିବା ସମୟରେ ମନରେ ସ୍ବତଃ ପୁଲକ ଭରିଯାଏ । ଏ ମାଟି କଳା, ସଂସ୍କୃତି, ସାହିତ୍ୟ ସବୁଠାରୁ ସ୍ବତନ୍ତ୍ର । ଜଗତସିଂହପୁର ଜିଲ୍ଲା ମଣିଷ କରିବା ଶିଖିଛି । ଏ ମାଟି ମଧ୍ୟ ଉତ୍କର୍ଷ କରେଇବା ଶିଖିଛି । କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ତାଙ୍କ ବକ୍ତବ୍ୟରେ ଜଗତସିଂହପୁର ପୁସ୍ତକ ମେଳାର ସଫଳତା କାମନା କରିବା ସହିତ ତାଙ୍କର ପୁସ୍ତକ ମେଳା ସଂପର୍କରେ ଅନୁଭୂତି ରଖିଗଲେ ।ପ୍ରାରମ୍ଭରେ ଶ୍ରୀଯୁକ୍ତ କୃଷ୍ଣ ପ୍ରସାଦ ଆଚାର୍ଯ୍ୟ ଵେଦପାଠ କରିଥିବା ବେଳେ ପରିଷଦର ଯୁଗ୍ମ ସମ୍ପାଦକ ଆଇନଜିବୀ ନରେଶ ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଓଡ଼ିଶାର ଲବ୍ଧ୍ ପ୍ରତିଷ୍ଠିତ କ୍ୟାମେରାମ୍ୟାନ୍ ଅଭିରାମ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ କରିଥିଲେ । ଆଜିର ଉତ୍ସବରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ସଭ୍ୟା ପ୍ରଜ୍ଞାପାରମିତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ "ତୁଳସୀ ସାହିତ୍ୟ ସଂସଦ" କାଦୁଅପଡା ଆନୁକୂଲ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ "ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍" ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋଆ ୟୁନିଭରସିଟ୍ ଡିନ୍ ଡଃ ଜ୍ୟୋତିରଞ୍ଜନ ଦାସ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ ମ୍ୟାନେଜର ଲକ୍ଷ୍ମୀ ନାରାୟଣ ଚୌଧୁରୀ, ଶିକ୍ଷାବିତ୍ ନିକୁଞ୍ଜ କିଶୋର ବେହେରା ଓ ସୁବାଷ ଚନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର୍ ପ୍ରଦୀପ୍ତ କିଶୋର ଚୌଧୁରୀ ପରିଚାଳନା କରିଥିବା ବେଳେ ଦୁର୍ଯୋଧନ ମହାରଣା,ବିପିନ ସେଠୀ,ଅବିନାଶ ସ୍ବାଇଁ ଓ ପ୍ରିୟବ୍ରତ ଦାସ ସହଯୋଗ କରିଥିଲେ । ସଂଧ୍ୟାରେ ଆକୃଷ୍ଟ ,ଓଡିଶୀ ଓ ଫୋକ୍ ଡ୍ୟାନ୍ସ୍ ଗ୍ରୁପ୍,ବୋଲଗଡର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଲବ କୁମାର ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ,ସଂପାଦକ ଆଇନଜୀବି ଶାରଦା ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି, ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, କାର୍ଯ୍ୟକାରିଣୀ ସଭ୍ୟ ସତ୍ୟବ୍ରତ ବିଶ୍ବାଳ, ମାନସ୍ କୁମାର କାନୁନଗୋ, ମାନସ କୁମାର ରଥ, ମନୋଜ କୁମାର ଦାଶ, ଦୁର୍ଯୋଧନ ମହାରଣା, ସରୋଜ କୁମାର ସାହୁ, ଅବନୀକାନ୍ତ ମହାରଣା, ସୌଭାଗ୍ୟ ରଞ୍ଜନ ବିଶ୍ବାଳ,ସଭ୍ୟ ମନୋଜ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault