ବାରିପଦା()- ପୂର୍ବତନ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ୱଚ୍ଛତା ଉପରକୁ ମୟୂରଭଞ୍ଜବାସୀ ଅଙ୍ଗୁଳି ଉଠାଇଛନ୍ତି । ଶ୍ରୀ ରାଉତ କୃଷିମନ୍ତ୍ରୀ ରହିଥିବା ବେଳେ ବାରିପଦା ସହରର ତକତପୁରସ୍ଥିତ ସହକାରୀ କୃଷି ଉପନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟରେ ସନ୍ତୋଷ ମିଶ୍ର ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚଞ୍ଚକତା କରାଯାଇ କିପରି ୩ୟ ଶ୍ରେଣୀ କର୍ମଚାରୀ ଭାବରେ ନିଯୁକ୍ତି ମିଳି ପାରିଛି ସେ ବିଷୟରେ ଟିକିନିଖି ତଥ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥି ସହିତ ବଡ଼ସାହି ବିଧାୟକ ଏହା ଉପରେ ମଧ୍ୟ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ଗଣମାଧ୍ୟମରେ ବିଭିନ୍ନ ସମୟରେ ଏହି ଜାଲିଆତି ଉପରେ ଖବର ପ୍ରକାଶ ପାଇ ଆସୁଥିଲେ ମଧ୍ୟ ପୂର୍ବତନ କୃଷିମନ୍ତ୍ରୀ ଶ୍ରୀରାଉତ ଏହାକୁ ଅଣଦେଖା ପ୍ରଦର୍ଶନ କରି ଆସୁଥିଲେ । ବିଧାୟକଙ୍କ ପ୍ରଶ୍ନ ପରେ ବି ମନ୍ତ୍ରୀଙ୍କ ତାହାରି ଉପରେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରିନଥିଲେ । ସେହିପରି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସଂଘ ମଧ୍ୟ ଶ୍ରୀମିଶ୍ରଙ୍କ ଚାକିରୀରେ ଚଞ୍ଚକତା ଉପରେ ଅଭିଯୋଗ ଆଣିଥିଲେ । ମାତ୍ର ଏହି ସମସ୍ତ ଅଭିଯୋଗ ଉପରେ ତଦନ୍ତ କରାଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ପାରିଲା ନାହିଁ । ଫଳରେ ଜାଲିଆତି ମାଧ୍ୟମରେ ତକତପୁରଠାରେ ରହିଥିବା ମୂର୍ତ୍ତିକା ରସାୟନବିତଙ୍କ କାର୍ଯ୍ୟାଳୟରେ ମୂର୍ତ୍ତିକା ପରୀକ୍ଷା ସାହାଯ୍ୟକାରୀ (ଲାବୋରେଟୋରୀ ଆଟେଣ୍ଡାଂଟ)ରୁ ବାରିପଦା ସହକାରୀ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏଲଡ଼ିସି କିରାଣୀ ଓ ପରବର୍ତ୍ତି ସମୟରେ ପଦୋନ୍ନତି ନେଇ ଉକ୍ତ କାର୍ଯ୍ୟାଳୟରେ କୁଳିମଞ୍ଜିଖାଇ ମଞ୍ଜି ପୋତିବା ନ୍ୟାୟରେ ଚାକିରୀ କରି ଶେଷରେ ବରିଷ୍ଠ କିରାଣୀ ଭାବେ ଅବସର ନେଲେ । ପୂର୍ବତନ କୃଷିମନ୍ତ୍ରୀ ଶ୍ରୀରାଉତ ମୟୂରଭଞ୍ଜର ଚାରା ଘୋଟାଲା ପରି ସନ୍ତୋଷ ମିଶ୍ରଙ୍କ ଚାକିରୀରେ ହୋଇଥିବା ଜାଲିଆତି ଓ ଚଞ୍ଚକତା ଉପରେ କେଉଁ କାରଣରୁ ନୀରବ ଦ୍ରଷ୍ଟା ସାଜିଥିଲେ ତାହାକୁ ନେଇ ମୟୂରଭଞ୍ଜବାସୀ ପ୍ରଶ୍ନ କରିବା ସାଙ୍ଗକୁ ଅକ୍ଟୋବର ୨୧ ବାରିପଦା ଛଉପଡ଼ିଆଠାରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ଭାଷଣରେ ଏହାର ଉତ୍ତର ରଖିବା ନିମନ୍ତେ ଦାବି ମଧ୍ୟ କରିଛନ୍ତି ।
ପ୍ରକାଶ ଥାଉକି, ବାରିପଦା ମୂର୍ତ୍ତିକା ରସାୟନବିତ୍ଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୧୭୦/୨୧.୦୮.୧୯୮୪ ଅନୁସାରେ ଅସ୍ଥାୟୀ ଓ ଆଡ୍ହକ ଭାବେ ଶ୍ରୀ ମିଶ୍ରଙ୍କୁ କନିଷ୍ଠ କିରାଣୀ ପଦବୀରେ ନିଯୁକ୍ତି ଦେଲେ । ଏହି ନିଯୁକ୍ତି ତାଙ୍କ କାର୍ଯ୍ୟାଳୟର ଏକ ନୋଟ ସିଟ୍ ମଧ୍ୟରେ ସୀମିତ ରହିଥିଲା । ନିଯୁକ୍ତିର ଠିକ୍ ୪ ମାସ ପରେ ପର୍ନବାର ସନ୍ତୋଷ କୁମାର ମିଶ୍ରଙ୍କୁ ବାରିପଦା ରସାୟନବିତ୍ ତାଙ୍କର ପତ୍ର ସଂଖ୍ୟା ୧୬୫୨/ ୦୫.୧୨.୧୯୮୪ ଅନୁସାରେ କନିଷ୍ଠ କିରାଣୀ ଭାବରେ ତାଙ୍କର କାର୍ଯ୍ୟରେ କଣ୍ଟିନୁ୍ୟ କରିବାକୁ ଏକ ଆଦେଶନାମା ଜାରି କରିଥିଲେ । ଏଠାରେ ପ୍ରଶ୍ନ ଉଠିଛି, ବାରିପଦା ରସାୟନବିତ୍ ଜଣେ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ହୋଇ ଥିବା ସମୟରେ ତାଙ୍କର ପୋଷ୍ଟିଂ ଦେବାର କ୍ଷମତା କେଉଁଠାରୁ ଆସିଲା ଅଥବା ତାଙ୍କୁ ଏହି କ୍ଷମାତା ଦେଲା କିଏ । ପୁଣି ସନ୍ତୋଷ କୁମାର ମିଶ୍ରଙ୍କୁ କନିଷ୍ଠକିରାଣୀ ଭାବେ ନିଯୁକ୍ତି ଦେବା ପରେ ସେହି ଆଦେଶନାମାରର ନକଲ କେଉଁ କାରଣରୁ ଊପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରା ଯାଇ ନ ଥିଲା । ଏହି ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ-୨୦୦୫ ବଳରେ ଲୋକ ଲୋଚନକୁ ଆସିବା ସଂଗେ ସଂଗେ ବାରିପଦା ମୂର୍ତ୍ତିକା ରସାୟନବିତଙ୍କର ଜାଲିଆତି ଓ ସନ୍ତୋଷ କୁମାର ମିଶ୍ରଙ୍କର ଚାକିରୀର ଚଞ୍ଚକତା ଧରା ପଡ଼ିଯାଇଥିଲା ।