ହେଡଲାଇନସ୍:

ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଡ. ଅଜୟ କୁମାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ତା. ୭.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଉପସ୍ଥିତ ଥିବା ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କୁ ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବା ସହ ସେମାନେ ଜିଲ୍ଲା ଠାରୁ ବୁଥସ୍ତରରେ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ସବୁ ସମ୍ପନ୍ନ କରିଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲେ । ଯଥାଶୀଘ୍ର ଜିଲ୍ଳାଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କମିଟିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ସେ କହିଥିଲେ । “ଦେଶପାଇଁ ଦାନ” କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଏକ ୨୦ ଦିନିଆ ଜନସମ୍ପର୍କ ଯାତ୍ରା କରାଯିବ । ଏକ ସ୍ୱତନ୍ତ୍ର ବସ ଯୋଗେ କଂଗ୍ରେସର ବରିଷ୍ଠ ନେତୃବର୍ଗ ଯାଇ ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରିବେ ଏବଂ ମୋଦି ଓ ନବୀନ ସରକାରର ଜନବିରୋଧି ନୀତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବେ । ସେ ଭୁବନେଶ୍ୱରରେ ଅଧିକ ଦିନ ରହି ଦଳର କାର୍ଯ୍ୟକ୍ରମକୁ ତଦାରଖ କରିବେ । ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ, କଂଗ୍ରେସ ସଭାପତି ମାଲିକାର୍ଜ୍ଜୁନ ଖଡ଼ଗେ ଓ ସମ୍ମାନନୀୟ ରାହୁଲ ଗାନ୍ଧୀ ତାଙ୍କୁ ଯେଉଁ ଗୁରୁ ଦାୟୀତ୍ୱ ଦେଇଛନ୍ତି ତାହାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଥିଲେ । ସେ କହିଥିଲେ ବୁଥସ୍ତରର ଜଣେ ସାଧାରଣ କର୍ମୀ ମୋତେ ବିନା ଦ୍ୱିଧାରେ ସାକ୍ଷାତ କରି ସଂଗଠନ ସମ୍ପର୍କରେ ଜଣାଇପାରିବେ ।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋଦି ଓ ନବୀନ ଶାସନରେ ସାଧାରଣ ଜନତା ଅତିଷ୍ଠ । ୨୦୨୪ ବର୍ଷଟି ପରିବର୍ତନର ବର୍ଷ ହେବ । କଂଗ୍ରେସ ଦଳ ଏ ଦେଶରେ ବ୍ରିଟିଶ ରାଜକୁ ଖତମ କରିଛି । ମୋଦି ରାଜ ଓ ନବୀନ ରାଜର ବେଳକାଳ ସରିଆସୁଛି । ଶ୍ରୀ ପଟ୍ଟନାୟକ ଦୁନିଆରେ ଘଟିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାବଳୀର ଉଦାହରଣ ଦେଇ କହିଥିଲେ ଯେ ଓଡ଼ିଆ ଲୋକ ବହୁ ଅସମ୍ଭବ କଥାକୁ ସମ୍ଭବ କରିଛନ୍ତି । ଉଦାହରଣସ୍ୱରୂପ ୧୨ ବର୍ଷର ଧର୍ମପଦ କୋଣାର୍କ ମୁଣ୍ଡିମାରିବା ଘଟଣା, ୧୨ ବର୍ଷର ବାଜି ରାଉତର ବିରତ୍ୱ କଥା ସମସ୍ତେ ଜାଣନ୍ତି । ଏଣୁ ଏହି ଭ୍ରଷ୍ଟାଚାରୀ ଶାସନକୁ କ୍ଷମତାଚ୍ୟୁତ କରିବା ବଡ଼କଥା ନୁହେଁ । ନବୀନ ସରକାର ଏ ରାଜ୍ୟରେ ଚାଷୀ, ଯୁବକ, ଛାତ୍ର, ମହିଳା, ଓବିସି, ଆଦିବାସୀ ଓ ଦଳିତ ସମସ୍ତ ବର୍ଗଙ୍କୁ ଉପେକ୍ଷା କରିଛନ୍ତି । ନିର୍ବାଚନ ଅତି ନିକଟତର । ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟକରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ରାଉତ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସପ୍ତଗିରି ଉଲ୍ଲାକା, ଶିବାନନ୍ଦ ରାୟ, ରମେଶ ଜେନା, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗୋ, ରଣଜିତ ପାତ୍ର, ୟାସିର ନୱାଜ, ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ମହାପାତ୍ର, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ,ସଂଜୀବ ଗିରି, ହେମନ୍ତ ଦାସ ପ୍ରମୁଖ ଅନ୍ୟାନ୍ୟ ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ କଂଗ୍ରେସ ସଭାପତ, ନଗର କଂଗ୍ରେସ ସଭାପତି ପ୍ରମୁଖ ତୃଣମୂଳସ୍ତରର ସଂଗଠନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

0
0
0
s2sdefault