ହେଡଲାଇନସ୍:

ସନ୍ଦେହଜନକ ଅବସ୍ଥାରେ ମିଳିଛି ଶ୍ରମିକ ମୃତ ଦେହ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଏକ୍ସିସ୍ ବ୍ୟାଙ୍କ୍ ନିକଟ ସାଇରାମ କମ୍ପ୍ଲେକ୍ସରୁ ଜଣେ ଶ୍ରମିକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ମୃତକ ହେଲେ ବିଚିତ୍ର ଦାସ(୫୦), ତାଙ୍କ ଘର ଗଞ୍ଜାମ ଜିଲ୍ଲା ବାଲିପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ୍ ଶବ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ବିଚିତ୍ର ଏଠାରେ ବିଦ୍ୟୁତ୍ କମ୍ପାନିର ଜଣେ ଠିକାଦାର ପାଖରେ ଶ୍ରମିକ ଭାବେ କାମ କରୁଥିଲେ। ସବୁଦିନ ବିଚିତ୍ର ସକାଳ ୮ଟାରେ ଠିକାଦାର ପାଖକୁ କାମ ପାଇଁ ଯାଉଥିଲେ । ଆଜି ଦିନ ୧୧ଟା ପର୍ଯ୍ୟନ୍ତ କାମକୁ ଆସିନଥିଲେ। ଫୋନ୍ କରିବାରୁ ମଧ୍ୟ ସେ ଧରିନଥିଲେ। ଶେଷରେ ଠିକାଦାର ବିଚିତ୍ର ରହୁଥିବା ଜାଗାକୁ ଯାଇଥିଲେ । ଦୀର୍ଘ ସମୟ ଧରି କବାଟ ମାରିଥିଲେ । ନ ଖୋଲିବାରୁ ଠିକାଦାର ଜଣଙ୍କ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଁଞ୍ଚି କବାଟ ଭାଙ୍ଗି ପଶିଥିଲେ। ଖୋଜାଖୋଜି କଲାବେଳକୁ ପାଇଖାନା ଗୃହରେ ବିଚିତ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ହୃଦ୍‌ଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

 

0
0
0
s2sdefault