ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତୀୟ କଳା ସଂସ୍କୃତି ତଥା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ଅହରହ ପ୍ରୟାସ ଜାରି ରଖିଛି ଏମ୍ ଆର୍ଟ ଅନୁଷ୍ଠାନ । ଗୁଣପୁର ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଭାରତୀୟ କଳା ଓ ସାଂସ୍କୃତିକ କେନ୍ଦ୍ର ରାୟଗଡ଼ା , ଅନୁଷ୍ଠାନ ଗୁଣପୁର ଶାଖା ପକ୍ଷରୁ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହୋଇଥିବା ଏକାଗ୍ରତା ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୩ କାର୍ଯ୍ୟକ୍ରମରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବିଶିଷ୍ଟ ନୃତ୍ୟ ଶିଳ୍ପୀ ଶ୍ରୀ ସୁନୀଲ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ସୁବୋଧ ଆଚାର୍ଯ୍ୟ, ଅଭିନେତ୍ରୀ ତଥା ଓଡ଼ିଶୀ ବିଶାରଦ ଗୁରୁ ଶ୍ରୀମତୀ ପ୍ରତିଭା ପଣ୍ଡା ଓ ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ନୃତ୍ୟ ଗୁରୁ ସୁଶ୍ରୀ ସସ୍ମିତା ପଣ୍ଡା ଓ ମୂଖ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ପ୍ରକାଶ ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ଗୁଣପୁର ଶାଖାର ୨୧ ଜଣ ନୃତ୍ୟ ଶିଳ୍ପୀ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକ ଓ ଅତିଥି ମାନଙ୍କ ମନମୋହିବା ସହ ସମ୍ମାନିତ ହୋଇଥିଲେ । ଏହି ଅନୁଷ୍ଠାନଟି ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଣପୁରର ପିଲାମାନଙ୍କୁ ନେଇ ବିଭିନ୍ନ ମଞ୍ଚରେ ସେମାନଙ୍କ କଳା ପ୍ରଦର୍ଶନ କରିବା ସହ ସେମାନଙ୍କର ପରିଚୟ ସୃଷ୍ଟି କରିବା ଦିଗରେ ସଦା ଚେଷ୍ଟିତ । ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟ ସହ ଗୁଣପୁର ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠିତ କରାଇବାର ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।









