ହେଡଲାଇନସ୍:

ଅଦିନିଆ ବର୍ଷା ସାଥିରେ ହାତୀଭୟ ଚାଷୀଙ୍କ ପାଇଁ କାଳ ସାଜିଛି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ ସୀମାନ୍ତରେ ଘୁରିଲେଣି ୧୩ ଟିକିଆ ହାତୀପଲ

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର):ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜେଇଦେଇଥିବା ବେଳେ ଏବେ ପୁଣି ହାତୀ ଭୟ ଚାଷୀଙ୍କ ଫସଲ ପାଇଁ ଯେପରି କାଳ ସାଜିଛି । କିଛି ମାସର ବ୍ୟବଧାନ ପରେ ପୁଣିଥରେ ହାତୀପଲ ଓଡ଼ଗାଁ ମୁହାଁ ହୋଇଛନ୍ତି। ବୁଧବାର ୧୩ ଟିକିଆ ହାତୀପଲ ଆସି ନୋତରପଲ୍ଲୀ ଓ ଆଖପାଖ ଅଞ୍ଚଳରେ ପସି ବ୍ୟାପକ ଧାନଫସଲ ନଷ୍ଟ କରିଥିବା ଜଣାପଡିଛି। ସୂଚନାଅନୁଯାୟୀ ଗତକାଲି ଗଞ୍ଜାମରୁ ୧୩ ଟିକିଆ ହାତୀପଲ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳରେ ପ୍ରବେଶ କରିଛନ୍ତି। ଓଡ଼ଗାଁ ବନାଞ୍ଚଳର ଗୋଛା, ଗୟଳସିଂହ ପାହାଡ଼ରେ ଆସି ରହିବାପରେ ସନ୍ଧ୍ୟା ହେଲେ ଗାଁମୁହାଁ ହେଉଛନ୍ତି । ଏହି ୧୩ଟିକିଆ ହାତୀପଲ ଭିତରେ ୩ଟି ମାଇ ହାତୀ, ୩ଟି ଦନ୍ତା ଥିବାବେଳେ ୭ଟି ଛୁଆହାତୀ ଥିବା ବନବିଭାଗ କହିଛି । ହାତୀର ଗତିବିଧି ଉପରେ ବନବିଭାଗ ସତର୍କ ନଜର ରଖିବା ସହିତ ଅଘଟଣକୁ ଏଡ଼ାଇବା ପାଇଁ ବିଦ୍ୟୁତକାଟ କରାଯାଉଛି। ବୁଧବାର ନୋତରପଲ୍ଲୀ ଅଞ୍ଚଳରେ ହାତୀପଲ ଥିବା ଖବରପାଇ ବନବିଭାଗ ଏବଂ ବିଦ୍ୟୁତ୍ ବିଭାଗ ପହଞ୍ଚି ବିଦ୍ୟୁତ୍ ବିଛିନ୍ନ କରାଇଥିବା ଜଣାପଡ଼ିଛି । ଗୁରୁବାର ଗୟଳସିଂହ କଂପାଟମେଣ୍ଟ ୨ରେ ହାତୀପଲ ଥିବାବେଳେ ସନ୍ଧ୍ୟାରେ ଓଡ଼ଗାଁ ଏନ୍ଏସି ନିକଟସ୍ଥ ମଠଖଜୁରିଆ, କୁମ୍ଭିଆପଲ୍ଲୀ ଓ କୋମଣ୍ତ ପଞ୍ଚାୟତ ନୋତରପଲ୍ଲୀ ଅଞ୍ଚଳରେ ଆସି ପହଞ୍ଚିଥିବା ଜଣାପଡିଛି। ହାତୀପଲ ଧାନଜମିରେ ପଶି ଏକର ଏକର ଫସଲନଷ୍ଟ କରୁଥିବାରୁ ଚାଷୀଙ୍କ ମେରୁଦଣ୍ତ ଯେପରି ଭାଙ୍ଗିପଡିଛି। ଅଦିନିଆ ବର୍ଷାରେ ଚାଷୀର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ହାତୀପଲକୁ ନେଇ ଚିନ୍ତାରେ ଚାଷୀକୂଳ । ସରକାର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବିହୋଇଛି । ଅନ୍ୟ ପଟରେ ବନବିଭାଗ ହାତୀପଲକୁ ଘଉଡେଇବାକୁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତକାଟ ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ଅଞ୍ଚଳବାସୀ କହିଛନ୍ତି।

0
0
0
s2sdefault