" ଡିଜିଟାଲ ଯୁଗରେ ବଦଳୁଥିବା ସାମାଜିକ ସ୍ଥିତି ଓ ସାମ୍ବିଧାନିକ ନିୟମାବଳୀ" ଉପରେ କର୍ମଶାଳା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରତିବର୍ଷ ୨୬ ନଭେମ୍ବର ତାରିଖ, ସମ୍ବିଧାନ ଦିବସଭାବରେ ପାଳିତ ହୁଏ । ଏହି ଦିନ ଭାରତର ସମ୍ବିଧାନ ଗୃହୀତ ହୋଇ, ୨୬ ଜାନୁଆରୀ, ୧୯୫୦ ମସିହାରେ ପ୍ରଚଳିତ ହୋଇଥିଲା । ଏହି ବିସ୍ତୃତ ଆଇନ, ଭାରତୀୟ ନାଗରିକ ମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ସହିତ, ରାଷ୍ଟ୍ର ପରିଚାଳନା ପାଇଁ ଦିଗଦର୍ଶନ ଦେଇ ଆସିଛି । ବର୍ତ୍ତମାନ ସମୟର ପ୍ରଯୁକ୍ତିବିଦ୍ୟା ଓ ଏ. ଆଇ.ର ଆଗମନ ଦ୍ବାରା, ନାଗରିକର ମୌଳିକ ଅଧିକାର, କର୍ତ୍ତବ୍ୟ ଓ ରାଷ୍ଟ୍ର ପ୍ରତି ଦାୟିତ୍ୱ ବହନ କରିବାରେ, ଦ୍ଵନ୍ଦାତ୍ମକ ପରିସ୍ଥିତି ଉପରେ, ଏପରି କର୍ମଶାଳାର ଆବଶ୍ୟକତା ରହିଅଛି । ଏହି ଲକ୍ଷ୍ୟରେ, ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସରେ – "ଡିଜିଟାଲ ଯୁଗରେ ବଦଲୁଥିବା ସାମାଜିକ ସ୍ଥିତି ଓ ସାମ୍ବିଧାନିକ ନିୟମାବଳୀ" ଉପରେ ଏକ କର୍ମଶାଳା, ଜିଲ୍ଲା କୋର୍ଟ ପରିସରେ ଅନୁଷ୍ଠିତ ହୋଇଅଛି । ମୁଖ୍ୟ ଅତିଥିଭାବେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ଜଜ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ପୋକସୋ ଅଦାଲତ ବିଚାରପତି ମାନସ କୁମାର ପଣ୍ଡା, ରେଜିଷ୍ଟାର ସିଭିଲ କୋର୍ଟ ଡଃ ନିଶାକର ସାହୁ, ମହିଳା ଅଦାଲତ ବିଚାରପତି ଡଃ ରୀନତୀ ମିଶ୍ର, ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ଓ ଏସ.ଡି. ଯେ. ଏମ. ସୌଭାଗ୍ୟ ରଞ୍ଜନ ପ୍ରଧାନ କର୍ମଶାଳାରେ ଅଂଶ ଗ୍ରହଣ କରି ଦିଗଦର୍ଶନ ଦେଇଥିଲେ ।
କର୍ମଶାଳାରେ ଆଇନ ସେବା ପ୍ରାଧୂକାରଣ ସଚିବ ବିଶେଷ କୁମାର ସାହୁ ସ୍ଵାଗତ ସମ୍ବର୍ଦ୍ଧନା ସହିତ ଆଭିମୁଖ୍ୟ ପ୍ରଦାନ କରିଥିଲେ । ପ୍ରାଧିକରଣ ପଞ୍ଜୀକୃତ ଅଧିବକ୍ତା ଭବାନୀ ଶଙ୍କର ସାହୁ, ସୁନୀଲ କୁମାର ମହାପାତ୍ର, ପୁଲିସ ଟ୍ରେନିଂ ସ୍କୁଲ ଅଧକ୍ଷ,ଭବେଶ କୁମାର ନାୟକ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଉପଖଣ୍ଡ ପୁଲିସ ଅଧିକାରୀ, ଖଣ୍ଡପଡା ବିମଳ କୁମାର ବାରିକ- ଉକ୍ତ ବିଷୟବସ୍ତୁ ଉପରେ ମତ ପୋଷଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଓକିଲ ସଂଘ, ପୁଲିସ ଅଧିକାରୀ, ପ୍ରାଧ୍ୟାକରଣ ପଞ୍ଜୀକୃତ ଅଧିବକ୍ତା, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ, ରୁଚିକା, ତପସ୍ୟା ଶିଶୁଗୃହ, ସେବା ଅନୁଷ୍ଠାନ, ଆଇନ ସ୍ଵେଚ୍ଛା ସେବୀ କର୍ମୀ ପ୍ରମୁଖ ବିପୁଳ ପରିମାଣରେ ଅଂଶ ଗ୍ରହଣ କରିଥିଲେ । ବିଶେଷକରି,ସମର ଶିକ୍ଷାର୍ଥୀ ଛାତ୍ରମାନେ, ଏହିପରି ଏକ ସମୟପଯୋଗୀ କର୍ମଶାଳାରେ ପ୍ରଭାବିତ ହେବା ସହିତ ସଚିବ ବିଶେଷ କୁମାର ସାହୁଙ୍କଠାରୁ ଅଧିକ ତଥ୍ୟ ବୁଝିଥିଲେ । ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଏବଂ ପ୍ରାଧିକରଣର ସମସ୍ତ କର୍ମଚାରୀ କର୍ମଶାଳା ପରିଚାଳନାରେ ସହଯୋଗ କରିଥିବାବେଳେ, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର ଧନ୍ୟବାଦ ପ୍ରଦାନ କରିଥିଲେ ।








