ହେଡଲାଇନସ୍:

ନବୀନ ଶାସନରେ ମାଁ ଓ ଭଉଣୀମାନେ ଅସୁରକ୍ଷିତ : ଉର୍ମିଳା ମହାପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଜିଠାରୁ ରାଜ୍ୟରେ ‘ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ’

  •  ରାଜ୍ୟରେ ଏକତୃତୀୟାଂଶ ମହିଳା ରକ୍ତହୀନତାରେ ପିଡୀତ

  •  ଶିଶୁ କନ୍ୟା ଓ ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣାମାନ ଯେତିକି ସମ୍ବେଦନଶୀଳ, ସେତିକି ଲଜ୍ୟାଜନକ

  •  ବିଭିନ୍ନ ଅପରାଧରେ ମାତ୍ର ୩୫% ଚାର୍ଜସିଟ ହେଉଥିବାବେଳେ କେବଳ ୫% ଦୋଷୀ ଦଣ୍ଡିତ ହେଉଛନ୍ତି

  •  ଆଗାମୀ ଦିନରେ ଦ୍ୱିତୀୟ ନଗଡାର ଚିତ୍ର ସାମ୍‌ନାକୁ ନଆସୁ, ସେଥିପ୍ରତି ରାଜ୍ୟ ସରକାର ସଜାଗ ରହିବା ଦରକାର


ଭୁବନେଶ୍ୱର,ତା.୧୪/୧୧: ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲୁଥିବା ମହିଳା ନିର୍ଯ୍ୟାତନା ଉପରେ ରୋକ୍ ଲାଗି ନପାରିବା ଅତ୍ୟନ୍ତ ଲଜ୍ଜା ଓ ଚିନ୍ତା ଜନକ ବିଷୟ । “ଆମ ଓଡିଶା, ନବୀନ ଓଡିଶା” ସ୍ଲୋଗାନ ଦେଉଥିବା ଶାସକ ବିଜେଡି ଦଳ ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ମହିଳା ନିର୍ଯ୍ୟାତନାର ଶିକାର ହୋଇ ଜୀବନ ଯୁଦ୍ଧରେ ହାରି ଯାଉଥିବା ମାଁ ଓ ଭଉଣୀମାନଙ୍କୁ ନ୍ୟାୟ ମିଳୁନାହିଁ । ବର୍ତମାନ ଶିକ୍ଷାନୁଷ୍ଠାନମାନଙ୍କରେ ନାବାଳିକା କନ୍ୟା ଓ ଛାତ୍ରୀ ବଳାତ୍କାରର ଶିକାର ହେଉଛନ୍ତି । କେତେବେଳେ ଶିକ୍ଷକ ଓ କେତେବେଳେ ଜଗୁଆଳୀ ତ ଆଉ କେତେବେଳେ ରୋଷେୟାଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଅନେକ ଜାଗାରେ ନାବାଳିକା ଝିଅ ମଧ୍ୟ ଗର୍ଭବତୀ ହେବାର ନଜିର ରହିଛି । ଅତ୍ୟନ୍ତ ଦୁଃଖର ବିଷୟ ଆମ ରାଜ୍ୟରେ ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ଚାର୍ଜସିଟ୍ ହାର ୩୫% ଥିବାବେଳକୁ ଦଣ୍ଡବିଧାନ ହାର ମାତ୍ର ୫% । ନବୀନ ସରକାରରେ ରାଜ୍ୟର ମାଁ ଓ ଭଉଣୀାମାନେ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ଉର୍ମିଳା ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ; ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ କରି ଦେଶର ପ୍ରଗତୀ ରଥରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମହିଳାଙ୍କୁ ରାଷ୍ଟ୍ର ନିର୍ମାତା ବୋଲି କହିଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ “ଆମ ଓଡିଶା, ନବୀନ ଓଡିଶା” ସ୍ଲୋଗାନ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ମହିଳାମାନେ ବହୁଳ ଭାବେ ନିର୍ଯ୍ୟାତିତ, ନିଷ୍ପେଷିତ ଏବଂ ଅବହେଳିତ । ରାଜ୍ୟରେ ବଢିଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର, ନାବାଳିକା କଲେଜ ଛାତ୍ରୀ ଏବଂ କୋମଳମତୀ ଶିଶୁକନ୍ୟାମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ମହିଳା ଶକ୍ତିକୁ ଜାଗ୍ରତ କରିବାର ବିଶେଷ ଉପାୟ ହେଉଛି ଶିକ୍ଷା । ଖାଲି ସେତିକି ନୁହେଁ ଶିକ୍ଷା ହେଉଛି ଭବିଷ୍ୟତ ଜୀବନର ଭିତିଭୂମି ଯାହାକୁ ଏକ ଉପକରଣ ରୂପେ ନେଇ ଆମେ ସାମାଜିକ ପରିବର୍ତନ କ୍ଷେତ୍ରରେ ଉପଯୋଗ କରିପାରିବା । ଗୁରୁ ହେଉଛନ୍ତି ଗୁଣ, ରୂପ ଓ ପରିମାର୍ଜିତ ଆଦର୍ଶ ଜୀବନର ଜ୍ୱଳନ୍ତ ପ୍ରତିମୂର୍ତି, କିନ୍ତୁ ଆଜି ରାଜ୍ୟରେ ଓଡିଶାରେ କାହିଁକି କେଜାଣି ଶିକ୍ଷାନୁଷ୍ଠାନମାନଙ୍କରେ ଯୌନ ପିପାଶୁ ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶୀକାର ହେଉଛନ୍ତି କୋମଳମତୀ ଶିଶୁ କନ୍ୟା ଓ ନାବାଳିକା ଛାତ୍ରୀମାନେ । ସଦ୍ୟ କେନ୍ଦ୍ରାପଡା କଲେଜ ହେଉ ବା ନବରଙ୍ଗପୁର ସ୍କୁଲ ହେଉ ଏସବୁ ଘଟଣା ଘଟିଚାଲିଛି । ଆଜି କେଉଁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଂଚାୟତ ଜନ୍ତାରି ଉଚ୍ଚ ବିଦ୍ୟାଳୟ ହଷ୍ଟେଲ୍‌ରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀକୁ ରୋଷେୟା ଅସଦାଚରଣ କରିଛନ୍ତି । ଛାତ୍ରୀ ବିରୋଧ କରିଥିବାରୁ ରୋଷେୟା ମାଡ ମାରିଛି । ନିକଟରେ ବାଲେଶ୍ୱରର ସୋରୋ ଠାରେ ଜଣେ ଭିନ୍ନକ୍ଷମ ଯୁବତୀକୁ ଲିପ୍‌ଟ୍ ଦେବା ଆଳରେ ଦୁଷ୍କର୍ମ କରାଯାଇଛି । ଖାଲି ସେତିକି ନୁହେଁ ବିଭିନ୍ନ ସେବାଶ୍ରମ, କନ୍ୟାଶ୍ରମରେ ନାବାଳିକା କନ୍ୟାମାନେ ଗର୍ଭବତୀ ହେଉଛନ୍ତି । ଏହା ଯେତିକି ସମ୍ବେଦନଶୀଳ, ସେତିକି ଲଜ୍ୟାଜନକ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି ।
୨୩ ବର୍ଷ ଭିତରେ ରାଜ୍ୟରେ ମହିଳା ତଥା କନ୍ୟାମାନଙ୍କୁ କେତେ ସୁରକ୍ଷା ମିଳିଛି ବା ସମ୍ମାନ ମିଳିଛି ତାହା ରାଜ୍ୟବାସୀ ଜାଣିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ନ୍ୟାୟ ଦେବା ଆଳରେ ତଦନ୍ତ କମିଶନ ପରେ କମିଶନ ବସାଯାଇଛି ସେଥିପାଇଁ ସରକାରଙ୍କ ପାଣ୍ଠିରୁ ଅନେକ ଅର୍ଥ ବ୍ୟୟ ହୋଇଛି, ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ନଜିର ନାହିଁ । ବେବିନା, ଇତିଶ୍ରୀ ଠାରୁ ଆରମ୍ଭ କରି ମାଧବୀଲତା କୁନ୍ଦୁଲୀ ପୀଡିତା, ସସ୍ମିତା, ମମିତା ଭଳି ମହିଳାମାନେ ବିଭତ୍ସ ଭାବରେ ଶିକାର ହୋଇ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସତ କିନ୍ତୁ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ପାଇପାରିନାହାଁନ୍ତି । ଆଜି ସେମାନେ ଇତିହାସ ପାଲଟି ଯାଇଛନ୍ତି, ମାତ୍ର ସମସ୍ତ ଘଟଣାବଳୀ ଲୋକଙ୍କ ମନରୁ ଲିଭିନାହିଁ । ଏନ୍‌ସିଆର୍‌ବିି ରିର୍ପୋଟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର ନୈରାଶ୍ୟଜନକ । ରାଜ୍ୟରେ ବିଭିନ୍ନ ଅପରାଧରେ ମାତ୍ର ୩୫% ଚାର୍ଜସିଟ ହେଉଥିବାବେଳେ ମାତ୍ର ୫% ଦୋଷୀ ଦଣ୍ଡିତ ହେଉଛନ୍ତି । ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣରେ ମହିଳା ତଥା କନ୍ୟା ସନ୍ତାନଙ୍କ ପ୍ରତି ଅତ୍ୟାଚାର ବଢି ବଢି ଚାଲିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଲାଗିଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି ।
ସେହିପରି ଆଜିର ଶିଶୁ କାଲିର ଭବିଷ୍ୟତର ନାଗରିକ । ଶିଶୁ ସୁସ୍ଥ ସବଳ ସୁସ୍ଥ ମାନସିକତା ନେଇ ଜନ୍ମଲାଭ କରୁ ଏକଥା ସମସ୍ତେ ଚାହାଁନ୍ତି । ଖାଲି ସେତିକି ନୁହେଁ କନ୍ୟା ସନ୍ତାନଙ୍କୁ ବଂଚାଇବା ତାକୁ ଶିକ୍ଷିତ କରିବା ଆର୍ଥିକ ଦୃଷ୍ଟିରୁ ତାର ଭବିଷ୍ୟତ ସୁରକ୍ଷିତ ରଖିବା ନୂଆ ଭାରତରେ ମହିଳା ସଶକ୍ତିକରଣର ମୂଳ ସିଦ୍ଧାନ୍ତ । କେନ୍ଦ୍ର ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି । ମିଶନ ଇନ୍ଦ୍ରଧନୁଷ୍ ପ୍ରତିଷେଧକ ଟିକା ବ୍ୟବସ୍ଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲ ଖୁଂଟ ପରି କାମ କରୁଛି, ୨୦୧୭ରେ ମାତୃତ୍ୱଲାଭ (ସଂଶୋଧନ) ଅଧିନିୟମ ଅନୁମୋଦିତ ହେବା ପରେ ଭାରତ ସର୍ବାଧିକ ମାତୃତ୍ୱ ଅବକାଶ ଦେବାରେ ତୃତୀୟ ସ୍ଥାନରେ ଅଛି ଯାହାକି ଏହା ପୂର୍ବରୁ ୧୨ ସପ୍ତାହ ଥିଲା ବର୍ତମାନ ୨୬ ସପ୍ତାହ ହୋଇଛି| ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭାରତବର୍ଷରେ ୩୬ଟି ରାଜ୍ୟରେ କାମ କରୁଛି । ଏହି ଯୋଜନାରେ ସମଗ୍ର ଭାରତ ବର୍ଷର ଗର୍ଭବତୀ ମହିଳା ତଥା ଶିଶୁମାନେ କିଭଳି ସୁରକ୍ଷିତ ରହିବେ ସେ ବିଷୟକୁ ପ୍ରାଥମିକତା ଦିଆଯାଇଛି । ଗର୍ଭାବସ୍ଥାରେ ପୋଷଣ ସମ୍ବନ୍ଧୀୟ ଆବଶ୍ୟକତା ପୁରା କରିବାରେ ସହାୟତା ପାଇଁ ମହିଳାମାନଙ୍କୁ ୫୦୦୦ ଟଙ୍କାର କ୍ଷତି ପୁରଣ ରାଶି ଦିଆଯାଇଥାଏ । କେନ୍ଦ୍ର ସରକାର ଏହି ସହାୟତା ରାଶିକୁ ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ସ୍ଥାନାନ୍ତରିତ କରାଯିବାର ବ୍ୟବସ୍ଥା କରିଛନ୍ତି । ମାତ୍ର ଆମ ରାଜ୍ୟରେ ଏକତୃତୀୟାଂଶ ମହିଳା ରକ୍ତହୀନତାରେ ପିଡୀତ । ପୁଷ୍ଟିକର ଆହାର ନପାଇ ମୃତୁବରଣ କରିବାରେ ମହିଳାମାନେ ଆମ ଓଡିଶାରେ ମଧ୍ୟ ପଛରେ ନାହାଁନ୍ତି । ସାରା ଦେଶରେ ତଳଆଡୁ ସପ୍ତମରେ ଅଛି । ଏବେ ବି ଆଦିବାସୀ ବହୁଳ ଅଂଚଳରେ ଗର୍ଭବତୀ ମା’ ତଥା ଶିଶୁମାନେ ଆଜି କୁପୋଷଣର ଶିକାର ହେଉଛନ୍ତି ରାଜ୍ୟ ସରକାର କୋଟି କୋଟି ଟଙ୍କା ସେ କ୍ଷେତ୍ରରେ ଖର୍ଚ୍ଚ କରୁଥିଲେ ମଧ୍ୟ ବିଶେଷ ସୁଫଳ ମିଳୁନାହିଁ । ଆଗାମୀ ଦିନରେ ଦ୍ୱିତୀୟ ନଗଡାର ଚିତ୍ର ସାମ୍‌ନାକୁ ନଆସୁ ସେଥିପ୍ରତି ରାଜ୍ୟ ସରକାର ସଜାଗ ରହିବା ଦରକାର ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ଓ ପ୍ରବକ୍ତା ଡ. ଲକ୍ଷ୍ମଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault