ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତରେ ଚାଲିଥିବା ସ୍ୱିରୁଲିନା ପ୍ରକଳ୍ପ ବୁଲିଦେଖିବାକୁ ତେଲେଙ୍ଗାନା ରାଜ୍ୟ ସରକାରଙ୍କର ଏକ ୧୫ ଜଣିଆ ପ୍ରତିନିଧି ଦଳ ଏକ ଦୁଇଦିନିଆ ସୁନ୍ଦରଗଡ ଗସ୍ତରେ ଆସି ପ୍ରକଳ୍ପକୁ ବୁଲିଦେଖିବା ସହ ବିଭିନ୍ନ ଅଂଶୀଦାରଙ୍କ ସହ କଥା ହୋଇଛନ୍ତି ।ତେଲେଙ୍ଗାନା ରାଜ୍ୟର ଅର୍ଥ ଏବଂ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହି ୧୫ ଜଣିଆ ଦଳ ସୁନ୍ଦରଗଡ ଗସ୍ତରେ ଆସିଥିଲେ ।
ଏହି ପରିଦର୍ଶନ କାଳରେ ସେମାନେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର ସହାୟତାତେ ହାତକୁ ନିଆଯାଇଥିବା ସ୍ପିରିଲୁନା ଚାଷ , ସ୍ପିରିଲୁନା ଚିକ୍କିର ପ୍ରସ୍ତୁତି , ବିତରଣ ଏବଂ ଏହାର ପ୍ରଭାବ ବିଷୟରେ ଜାଣିବାକୁ ସୁଯୋଗ ପାଇଥିଲେ ।
ତେଲେଙ୍ଗାନା ର ପ୍ରତିନିଧି ଦଳ ପ୍ରଥମେ ଜିଲ୍ଲାରେ ପହିଁଚି ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ଭାବ ବିନିମୟ କରି ସ୍ପିରିଲୁନା ପ୍ରକଳ୍ପ ଏବଂ ଏହାର କାର୍ଯ୍ୟକାରୀତା ସଂପର୍କରେ ବୁଝିଥିଲେ । ଏହାପରେ ସେମାନେ କୃଷି ବିଜ୍ଞାନ କେନ୍ଦ୍ର ବୁଲି ସ୍ପିରୁଲିନା ଚାଷର ପଦ୍ଧତି ବିଷୟରେ ଜାଣିଥିଲେ ।
ଏହାପରେ ସେମାନେ ସ୍ଥାନୀୟ ସ୍ତରରେ ସ୍ୱିରୁଲିନା ଚିକ୍କି ପ୍ରସ୍ତୁତି କରୁଥିବା ରଂଗାଢିପାର ମା’ ଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ଏବଂ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଭାବ ବିନିମୟ କରି ଚିକ୍କିର ପ୍ରସ୍ତୁତି ପ୍ରଣାଳୀ, ଆର୍ଥିକ ଦିଗ ଏବଂ ଲାଭ ଆଦି ବିଷୟରେ ପଚାରି ବୁଝିଥିଲେ । ଏହାପରେ ସେମାନେ ପୁଣିଥରେ ଡିଏମଏଫ ଅଧିକାରୀଙ୍କ ସହ ମିଶି ୨୦୨୦ ମସିହାରେ ଲେଫ୍ରିପଡା ବ୍ଲକରେ ହୋଇଥିବା ପାଇଲଟ ଷ୍ଟଡି ବିଷୟରେ ବୁଝିଥିଲେ ।
୧ ନଭେମ୍ବର ଦିନ ଏହି ପ୍ରତିନିଧି ଦଳ ସବଡେଗା ଏବଂ ବାରଗାଁଓ ବ୍ଲକ୍ କୁ ଯାଇ ସେଠାରେ ଅଂଗନୱାଡି କର୍ମୀ ଏବଂ ମା ମାନଙ୍କ ସହମିଶି ଏହି ଚିକ୍କିର ବିତରଣ ଏବଂ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।
ଏହାପରେ ସେମାନେ Rajganpur ଚୁଙ୍ଗିମାଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରି ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ଚିକ୍କି ପ୍ରସ୍ତୁତି ୟୁନିଟ୍ ବୁଲି ଦେଖି ଏହାର ସ୍ଫାପନ କରିବାର ଆବଶ୍ୟକତା ବୁଝିଥିଲେ ।
ତେଲେଙ୍ଗାନା ରାଜ୍ୟର ଏହି ପ୍ରତିନିଧିଦଳ ସ୍ପିରୁଲିନାକୁ ନେଇ ଜିଲ୍ଲା ପ୍ରଶାସନର ବହୁମୁଖୀ ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଏହା ଜିଲ୍ଲାରୁ ଅପପୁଷ୍ଟି କୁ ଦ୍ରୁତ ହାରରେ ଦୁର କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ରାଜ୍ୟ
ସ୍ପିରୁଲିନା ପ୍ରକଳ୍ପ ବିଷୟରେ ବୁଝିବା ପାଇଁ ତେଲେଙ୍ଗାନା ରାଜ୍ୟ ପ୍ରତିନିଧି ଦଳର ସୁନ୍ଦରଗଡ ଗସ୍ତ
- Hits: 247








