ରାଉରକେଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉଦ୍ଯାପନୀ କାର୍ଯ୍ୟକ୍ରମ
ରାଉରକେଲା :(ବସନ୍ତ କୁମାର ଜେନା): ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି। ଏହି କ୍ରମରେ ରାଉରକେଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଉରକେଲା ପୋଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ର କୁମାର ରାଉତ ଯୋଗଦେଇ ଉଭୟ ମାନସିକ ଓ ଶିକ୍ଷାଗତ ସଂସ୍କାର ଆସିଲେ ଦୁର୍ନୀତି ଅନେକ ମାତ୍ରାରେ କମିବ ବୋଲି କହିଥିଲେ। ସ୍ଥାନୀୟ ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧୀକ୍ଷକ ଦେବ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଦେବେନ୍ଦ୍ର ନାଥ ବେହେରା ଯୋଗଦେଇଥିଲେ। ଡ. ବେହେରା ତାଙ୍କ ବକ୍ତବ୍ୟରେ ଆମ ସମାଜରେ ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପ୍ରସାର ଓ ପ୍ରଚାର ହେବା ଫଳରେ ଦୁର୍ନୀତି ରୂପକ ବ୍ୟାଧି ଦୂର ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଦୁର୍ନୀତି ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥିଭାବେ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ଦୁର୍ନୀତି ନିବାରଣ ବିଭାଗ ସମେତ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ। ପାନପୋଷ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପରମାନନ୍ଦ ପୃଷ୍ଟି ଅନ୍ୟତମ ଅତିଥିଭାବେ ଯୋଗଦେଇ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦୁର୍ନୀତିର ହାର ଯଥେଷ୍ଟ କମ୍ ବୋଲି କହିଥିଲେ।
ଏହି ଅବସରରେ ପୂର୍ବରୁ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଏବଂ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସ୍ଥାନୀୟ ଦୁର୍ନିତୀ ନିବାରଣ ବିଭାଗର ଡିଏସ୍ପି ମାନସ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ଦୁର୍ନିତୀ ନିବାରଣ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସହଯୋଗ କରିଥିଲେ। ଏହା ପୂର୍ବରୁ ବିଭାଗ ପକ୍ଷରୁ ସକାଳେ ଏକ ସଚେତନତା ରାଲି ର ମଧ୍ଯ ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।








