ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ‘ସୁରଭି ଓ କଳା ଉତ୍ସବ’
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷା ସହିତ ଉପଯୁକ୍ତ ପୋଷଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସୁରଭି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ତଥା ସଠିକ ପୋଷଣ ଗ୍ରହଣ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗୀତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ସୁରଭି ଓ କଳା ଏବଂ ପୋଷଣ ପ୍ରତିଯୋଗୀତା ଉତ୍ସବ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ୮ଟି ବ୍ଳକ ଶିକ୍ଷା ବିଭାଗ ଅନ୍ତର୍ଗତ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ,ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶାତ୍ମବୋଧ ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ । ଜିଲ୍ଲାସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମକୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ଉଦଘାଟନ କରିବା ପରେ ବିଭିନ୍ନ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ,ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁପ୍ରସାଦ ସାହୁ,ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ,ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ନୟାଗଡ଼ ମୁନିସିପାଲଟି ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ଯୋଗଦାନ କରି ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ନିମନ୍ତେ ସୁରଭିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ଶିକ୍ଷା ସହିତ ପୋଷଣର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବରୁ ଅତି ଗରୀବ ଲୋକର ଖାଦ୍ୟଭାବେ ବିବେଚନା ହେଉଥିବା ମାଣ୍ଡିଆ ଏବେ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ଖାଦ୍ୟର ମାନ୍ୟତା ପାଇଥିବା ଡ.ସାହୁ କହିଥିଲେ । ଆଗରୁ ଲୋକମାନେ କଂସା ପିତ୍ତଳ ବାସନକୁସନ ବ୍ୟବହାର କରି ନିରୋଗ ରହୁଥିବା ବେଳେ ଏବେ ଷ୍ଟିଲ ସିଲଭର ବାସନକୁସନ ବହୁଳ ଭାବେ ବ୍ୟବହୃତ ହୋଇ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି । ପିଲାମାନେ ଫାଷ୍ଟଫୁଡ ଖାଦ୍ୟ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହା ସ୍ୱାସ୍ଥ୍ୟ ପାଇଁ ବହୁ ହାନୀକାରକ ବୋଲି କହିବା ସହିତ ଶିକ୍ଷକମାନେ ପିଲାମାନଙ୍କୁ ବିଭିନ୍ନ ଖାଦ୍ୟ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ ବୋଲି ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ,ପୁଷ୍ପ ଅର୍ପଣ କରିଥିବା ବେଳେ ପରବର୍ତ୍ତି ସମୟରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ,ସମସ୍ତ ବ୍ଳକର ଶିକ୍ଷାଧିକାରୀ ସିଆରସିସି,ଶିକ୍ଷକ,ସମଗ୍ର ଶିକ୍ଷା ସଂଯୋଜକ ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ।








