ଭଞ୍ଜନଗର/ଉଦୟନାଥ ପଣ୍ଡା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂସୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡିସେମ୍ବର ୯ ଏଥି ନିମନ୍ତେ ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଅଧିନ ୩ ଟି ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ସଚେତନ କରିବା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି ।
ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ସବୁଜ ପତକା ଦେଖାଇ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଏହି ରଥ ଉପଖଣ୍ଡ ର ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀ ର ୬ ଟି ବ୍ଲକ ଓ ୪ ଟି ଏନ.ଏ.ସି ବୁଲି ଭୋଟର ମାନଙ୍କୁ ସଚେତନ କରିବ। ଭୋଟର ସଚେତନତା ରଥ ଶୁଭାରମ୍ଭ ସମୟ ରେ ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠିଙ୍କ ସମେତ ଡେପୁଟି କଲେକ୍ଟର ଶ୍ରୀମତୀ ଦିପ୍ତିମୟୀ ପ୍ରଧାନ, ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ମୁକ୍ତିକାନ୍ତ ନାୟକଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଆଗାମୀ ସାଧାରଣ ନିର୍ବାଚନ ପୁର୍ବରୁ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ୟ ରଖିଛନ୍ତି। ୧୮ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ତୃଟି ସଂଶୋଧନ ଓ ନାମ ବାଦ ଦେବାକୁ ଆବେଦନ କାରୀ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରି ପାରିବେ। ନଭେମ୍ବର ୫,୧୧,୧୯ ଓ ୨୫ ତାରିଖରେ ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରାଯାଇଛି। ଏହି ଦିନ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀ(ବିଏଲଓ) ନିକଟସ୍ଥ ମତଦାନ କେନ୍ଦ୍ରରେ ରହି ଆବେଦନ ଫର୍ମ ଗ୍ରହଣ କରିବେ।ଡିସେମ୍ବର ୯ ପର୍ଯ୍ୟନ୍ତ ତାଲିକାରେ ଯୋଗ,ବାଦ୍,ସଂଶୋଧନ ଏବଂ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ ଗ୍ରହଣ କରାଯିବ। ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଫର୍ମ-୬, ତାଲିକାରୁ ନାମ ବାଦ୍ ଦେବାକୁ ଫର୍ମ-୭ ଓ ତଥ୍ୟ ସଂଶୋଧନ କରିବା କୁ ଫର୍ମ-୮ ରେ ଆବେଦନ କରିବାକୁ କୁହାଯାଇଛି। ୨୦୨୪ ଜାନୁଆରୀ ୫ ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି।








