ହେଡଲାଇନସ୍:

ସରକାରୀ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥ ତଥା ବାଲିମାଫିଆଙ୍କ ଲୁଟ୍‌ତରାଜ : ମନୋଜ ମହାପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ମିଥ୍ୟା ମକଦ୍ଦମାରେ ବିଜେପି କର୍ମୀଙ୍କୁ ଗିରଫ କରାଯାଉଛି

  •  କୌଣସି ସମ୍ବେଦନଶୀଳ ମହିଳା ହିଂସା ପ୍ରସଙ୍ଗରେ ନ୍ୟାୟ ମିଳୁନାହିଁ

  •  ଅପରାଧୀଙ୍କ ସୁରକ୍ଷାଦାତା ବିଜେଡି

  •  ଯାଜପୁରରେ ଶାସକ ଦଳର ବିଧାୟକ, ନେତାଙ୍କ ପ୍ରୋରଚନାରେ ପୋଲିସ କାର୍ଯ୍ୟ କରୁଛି

  •  ଆନ୍ଦୋଳନ କରୁଥିବା ଗ୍ରାମବାସୀ ଓ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ନିସର୍ତରେ ତୁରନ୍ତ ଖଲାସ କରୁ ପୋଲିସ

  •  ଯେଉଁମାନେ ବାଲି, ମୋରମ୍ ଲୁଟ୍‌ରେ ସାମିଲ ଅଛନ୍ତି ସେମାନଙ୍କ ଗାଡି ସିଜ୍ କରିବା ସହ ଫୌଜଦାରୀ ମକୋଦ୍ଦମା ରୁଜୁ କରୁ ପୋଲିସ

ଭୁବନେଶ୍ୱର, ତା.୦୪/୧୧: ବିଜେଡି ସରକାର ମହିଳା ସଶକ୍ତିକରଣକୁ ନେଇ ସର୍ବଦା ପ୍ରଚାର କରିଥାଏ । ମା’ମାନଙ୍କ ସମ୍ମାନ, ସୁରକ୍ଷା ପାଇଁ ଚିନ୍ତିତ ବୋଲି ଡିଣ୍ଡିମ ପିଟୁଥାଏ । ୨୩ବର୍ଷ ଶାସନରେ ଶାସକ ଦଳର ନେତାମାନେ ମହିଳାଙ୍କୁ କେଉଁ ପ୍ରକାର ସମ୍ମାନ ଦେଇଛନ୍ତି ତାହା ସର୍ବଜନ ବିଦିତ । ଗତକାଲି ଜଣେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜ୍ୟାଜନକ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପୂର୍ବରୁ ସମ୍ବାଦ, କନକ, ଓଟିଭି, ନିର୍ଭୟ ଓ ଅର୍ଗସର ସାମ୍ବାଦିକ ଓ ସାମ୍ବାଦିକାମାନେ ମାଡ ଖାଇଛନ୍ତି । ଗତକାଲି ସଞ୍ଜୟ ନାୟକ(ଟୁଟୁ) କତବ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଖବର ସଂଗ୍ରହବେଳେ ତାଙ୍କୁ ଚାପୁଡା ମାରିଲେ । କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛନ୍ତି । ଶ୍ରୀ ନାୟକଙ୍କ ବିରୋଧରେ ପୂର୍ବରୁ ପ୍ରକୃତି ମିଶ୍ର, ଯଶ୍ମିନ ରଥ, ପୁପୁଲ ଭୂୟାଁଙ୍କ ଭଳି ବହୁ ମହିଳା ବିଭିନ୍ନ ସମସ୍ୟା ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଯେଉଁ ଆକ୍ରମଣ କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରୁଛି । ଚିରାଚରିତ ଢଙ୍ଗରେ ଓଡ଼ିଶା ପୋଲିସ କେବଳ ମକଦ୍ଦମା ରୁଜୁ କରି ଚୁପ୍ ବସିଛି । କ’ଣ ପାଇଁ ଟୁଟୁ ନାୟକଙ୍କୁ ବର୍ତମାନ ସୁଦ୍ଧା ଗିରଫ କରାଯାଉ ନାହିଁ । ରାଜ୍ୟ ପ୍ରଶାସନ କରୁଛି କ’ଣ? ଟୁଟୁ ନାୟକ କ’ଣ ରାଜ୍ୟ ସରକାରଙ୍କ ଜ୍ୱାଇଁ କି ? ନା ସରକାରଙ୍କ ଜ୍ୱାଇଁଙ୍କ ବନ୍ଧୁ? । ତୁରନ୍ତ ଫୌଜଦାରୀ ମକଦ୍ଦମା ରୁଜୁ କରି ଟୁଟୁ ନାୟକଙ୍କୁ ଗିରଫ କରାଯାଉ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଦାବି କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ ସୂଚନା ଅଧିକାରୀ କର୍ମୀ ଫେସ୍‌ବୁକ୍‌ରେ ପୋଷ୍ଟ ସେୟାର କରିଥିଲେ ବୋଲି ତାଙ୍କୁ ଗିରଫ କରାଗଲା, ତାହାଲେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଟୁଟୁଙ୍କୁ ପୋଲିସ କାହିଁକି ଗିରଫ କରୁନାହିଁ? ପୋଲିସର ହାତ କିଏ ବାନ୍ଧିଛି? ଏଥିରୁ ସ୍ପଷ୍ଟ ସମସ୍ତ ଅପରାଧୀଙ୍କୁ ବିଜୁ ଜନତା ଦଳ ସୁରକ୍ଷା ଦେଉଛି । ରାଜ୍ୟରେ ମାଫିଆମାନେ ରାଜ୍ୟ ରାଜକୋଷର ଅନ୍ତବୁଜୁଳାକୁ ଟାଣି ନିଜର ସମ୍ପତି ବଢ଼ାଉଛନ୍ତି । ପୂର୍ବରୁ ଖଣି, ପାଣି, ଡାଲି ସ୍କାମ ହୋଇଥିଲା ଏବେ ବାଲି ସ୍କାମ୍ ଚାଲିଛି । ବାଲି ଚୋରୀରେ ତଳ ରୁ ତୃତୀୟ ମହଲା ଯାଏଁ ସମସ୍ତେ ସଂଶ୍ଳୀଷ୍ଟ ଅଛନ୍ତି । ମାଇନିଂ ସ୍କାମ୍‌ରେ ୬୮ହଜାର କୋଟି ଫାଇନ କରିଥିଲେ ନବୀନ ବାବୁ, ଏହାପରେ ୫୦ହଜାର କୋଟି ଟଙ୍କା ଖଣି ମାଲିକଙ୍କୁ ଛାଡ କରାଗଲା । ଏ କେସ୍ ପିନାକୀ ମିଶ୍ର ଲଢ଼ୁଥିଲେ । ଓଡ଼ିଶାର ସମ୍ପତି ରାଜ କୋଷରେ ରହୁ ନା ମାଫିଆଙ୍କୁ ଛାଡ କରାଯାଉ ଏହାର ଜବାବ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ପାଖରେ ରଖୁ ।
ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ଓ କମଳପୁର ସମେତ ଅନ୍ୟାନ୍ୟ ଘାଟରେ ବ୍ୟାପକ ମାତ୍ରାରେ ବାଲି ଲୁଟ୍ ହେଉଛି । ଏ ବାଲି ବାଲେଶ୍ୱର ଓ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଯାଉଛି । ସେହିପରି ଧର୍ମଶାଳାର ଡଙ୍କାରୀ ପାହାଡକୁ ଲୁଟ୍ କରାଗଲା । ଏ ଘଟଣାରେ ମାନ୍ୟବର ଲୋକାୟୁକ୍ତ ଓ ରାଜ୍ୟ ଭିଜିଲାନ୍ସ ୨୦୦କୋଟି ଟଙ୍କା ହରିଲୁଟ୍ କରିଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ସେଥିରେ ସଂଶ୍ଳୀଷ୍ଟ ତତ୍‌କାଳୀନ ଜିଲ୍ଲାପାଳ ଓ ୫ଜଣ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ରାଜ୍ୟ ସରକାର ପୁରଷ୍କୃତ କରିଥିଲେ । ସେହିଭଳି ଯାଜପୁର ଜିଲ୍ଲାର ବାଲି ମାଫିଆଙ୍କ ପାଖରେ ମାର୍ଚ୍ଚ ମାସରୁ ଲିଜ୍ ନାହିଁ । କମଳପୁର ଘାଟରେ ବାଲି ଲୁଟ୍‌କୁ ବିରୋଧ କରି ମାର୍କଣ୍ଡପୁର, ବାସୁଦେବପୁର, ଯାହନପୁରର ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ । ସେଥିରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ସାମିଲ ଥିଲା । ବିଡମ୍ବନାର ବିଷୟ ପୋଲିସ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଗ୍ରାମବାସୀ ଓ ବିଜେପି ଯୁବମୋର୍ଚ୍ଚାର ନେତା ଓ କର୍ମୀମାନଙ୍କୁ ଗିରଫ କରିଛି । ରାଜ୍ୟରେ କୌଣସି ନୀତି ନିୟମ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । “ଚୋରକୁ ମାଫ୍‌, ଆନ୍ଦୋଳନକାରୀଙ୍କୁ ଗିରଫ” ଏହା କେତେଦୂର ସମୀଚିନ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବାଲି, ମୋରମ, ଚିପ୍ସ ପ୍ରଭୃତି ଲଘୁଖଣିଜ ପଦାର୍ଥରେ ବର୍ଷକୁ ପ୍ରାୟ ୧୦ହଜାର କୋଟି ଟଙ୍କା ରାଜ୍ୟରୁ ଲୁଟୁଛନ୍ତି ମାଫିଆମାନେ । ଯାଜପୁରରେ ଶାସକ ଦଳର ବିଧାୟକ, ନେତାଙ୍କ ପ୍ରୋରଚନାରେ ପୋଲିସ କାର୍ଯ୍ୟକରୁଛି । ତୁରନ୍ତ ପୋଲିସ ଆନ୍ଦୋଳନ କରୁଥିବା ଗ୍ରାମବାସୀ ଓ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ନିସର୍ତରେ ଖଲାସ କରିବା ସହ ଯେଉଁମାନେ ଏଭଳି ଲୁଟ୍‌ରେ ସାମିଲ ଅଛନ୍ତି ସେମାନଙ୍କ ଗାଡି ସିଜ୍ କରିବା ସହ ଫୌଜଦାରୀ ମକୋଦ୍ଦମା ରୁଜୁ କରି ମାଫିଆମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ । ଭାରତୀୟ ଜନତା ପାର୍ଟିର ଏକ ରାଜ୍ୟସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ ସମସ୍ତ ବାଲିଘାଟ ଓ ମୋରମ ଖଣିକୁ ଗସ୍ତ କରି ତଦନ୍ତ କରିବା ସହ ଖୁବ୍‌ଶୀଘ୍ର ବାଲିମାଫିଆଙ୍କ ମୁଖା ଖୋଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ଯୁବମୋର୍ଚ୍ଚାର ଉପସଭାପତି ସଂଗ୍ରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault