ଭୁବନେଶ୍ୱର: ରାଜ୍ୟରେ ୨୩ ଗୋଟି ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀ ଛାତ୍ରୀମାନଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରତି ଛାତ୍ରୀଙ୍କୁ ପ୍ରତିଦିନ ୨ଟି ଲେଖାଏଁ ମାଣ୍ଡିଆ ଲଡ଼ୁ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଥିବା ମୋଟ ୨୭୭ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ୧୯ ହଜାର ୬୬୯ ଜଣ ଛାତ୍ରୀ ଉପକୃତ ହେବେ । ଏହା ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ପାଇଲଟ୍ ବେସିସ୍ ପ୍ରୋଗ୍ରାମ୍ ଅଟେ । ପିଏମ୍ ପୋଷଣ ଯୋଜନାରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି ଯୋଜନା ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ପାଚିକାମାନେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରିବେ । ଏଥିନିମନ୍ତେ ପାଚିକାମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏପି୍ରଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏଥିସହିତ ସେମାନଙ୍କୁ ଲଡ଼ୁ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଭିଡିଓ ଚିତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏହି ଯୋଜନା ଚଳିତ ନଭେମ୍ବର ୬ ତାରିଖରୁ ପାଇଲଟ୍ ବେସିସରେ ଆରମ୍ଭ କରାଯିବ । ଏହି ଲଡ଼ୁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ମାଣ୍ଡିଆ ଆଦି ସାମଗ୍ରୀ ସ୍ଥାନୀୟ ବଜାରରୁ କ୍ରୟ କରି ପାଚିକାମାନେ ଲଡ଼ୁ ପ୍ରସ୍ତୁତ କରିବେ । ସ୍କୁଲ ଚାଲୁଥିବା ଦିନଗୁଡ଼ିକରେ ପିଲାମାନଙ୍କୁ ଦିନକୁ ଦୁଇଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।








