ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୩.୧୧.୨୦୨୩/ସୁମନ୍ତ କୁମାର ଦାସ:ଦୁର୍ନୀତି ଏପରି ଏକ ବିଷବୃକ୍ଷ ଯାହା ଦେଶ ତଥା ରାଜ୍ୟର ପ୍ରଗତି ପଥରେ ସାଜିଛି ପ୍ରତିବନ୍ଧକ। ତେଣୁ ଓଡିଶା ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର 30 ତାରିଖ ଠାରୁ ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।ଏଥିପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା ।ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ଉପସ୍ଥିତ ଜନତାଙ୍କୁ ଦୁର୍ନୀତି କୁ ପ୍ରଶ୍ରୟ ନଦେଇ ସମସ୍ତଙ୍କ ସହଯୋଗ ରେ ଏହାକୁ ବିରୋଧ କରିବାକୁ କହିଥିଲେ। ବର୍ତ୍ତମାନ ସରକାରଙ୍କ ତରଫରୁ ସମସ୍ତ କାର୍ଯ୍ୟ ଅନଲାଇନ ଜରିଆରେ ହେଉଥିବାରୁ ସ୍ଵଚ୍ଛତା ଆସିପାରିଛି।ତେଣୁ ସମସ୍ତଙ୍କ ର ସହଯୋଗରେ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ଶ୍ରୀ ଭୋଇ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଦୁର୍ନୀତି ଏକ ବିକୃତ ମାନସିକତା ଏବଂ ସ୍ଵଚ୍ଛତା ଓ ସତ୍ୟନିଷ୍ଠତା ହିଁ ସମାଜ ରେ ପରିବର୍ତ୍ତନ ଆଣିପାରିବ ବୋଲି କହିଥିଲେ।ଓଡିଶା ସରକାରଙ୍କ 5T ର ମୁଖ୍ୟ ଦୁଇଟି 'ଟି ' ଟେକ୍ନୋଲୋଜି ଓ ଟ୍ରାନ୍ସପାରେନ୍ସି ଉପରେ ଗୁରୁତ୍ବ ଦେଇ ଜିଲ୍ଲା ପ୍ରଶାସନ ର ସମସ୍ତ କାର୍ଯ୍ୟ ସ୍ବଚ୍ଛତାର ସହ ସଂପାଦନ କରି ଜନସାଧାରଣଙ୍କ ଅସୁବିଧାର ସମାଧାନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତଙ୍କ ସହଯୋଗ ରେ ସଚ୍ଚୋଟତାର ସହିତ ଆମର ଭବିଷ୍ୟତ ପୀଢି ପାଇଁ ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ନିମନ୍ତେ ଶ୍ରୀମତୀ ପଟାୱରି ଆହ୍ବାନ ଦେଇଥିଲେ।ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ ଭାବେ ସମ୍ବୋଧିତ କରି ଜିଲ୍ଲାପାଳ ସେମାନଙ୍କୁ ସର୍ବଦା ସତ୍ଯ ପଥରେ ଯିବାପାଇଁ ଉପଦେଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ଦୁର୍ନୀତି ନିବାରଣ ଓ ସାମାଜ କୁ ସଚେତନ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ଜିଲ୍ଲା ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସଜାଗ ଓ ସତର୍କ ରହି, ସତ୍ୟନିଷ୍ଠ ଦାୟିତ୍ଵ ପାଳନ ଦ୍ଵାରା ଦୁର୍ନୀତି ନିବାରଣ ହୋଇପାରିବ ବୋଲି କହିଥିଲେ। ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଉପସ୍ଥିତ ଜନତାଙ୍କୁ ଦୁର୍ନୀତି ବିରୁଦ୍ଧରେ ସ୍ଵରଉତ୍ତୋଳନ କରି ସ୍ଵଚ୍ଛତା ଆଣିବାକୁ କହିଥିଲେ। ପରେ ବିଦ୍ୟାଳୟଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହି ପରିପ୍ରେକ୍ଷୀରେ ଆଜି ସକାଳ 8 ଟାରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। , ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଡିପିସି, ମିଶନ ଶକ୍ତି, ଜିଲ୍ଲା ସ°ସ୍କୃତି ଅଧିକାରୀ, ଭିଜିଲାନ୍ସ ଇନିସପେକ୍ଟର ଶ୍ରୀ ସିଦ୍ଧାର୍ଥ କୁମାର ରାଉତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ମିଶନ ଶକ୍ତି ମହିଳା, ଏନ୍.ସି.ସି,ସ୍କାଉଟ, ଗାଇଡ ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।ପରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟ ରେ ମୁଖ୍ଯ ଡାକଘର ସମ୍ମୁଖରେ ବାଣୀକ୍ଷେତ୍ର ନାଟ୍ଯ ପରିଷଦ, ଜଗତସିଂହପୁର, ଦ୍ବାରା ଏକ ଦୁର୍ନୀତି ନିବାରଣ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।ଆଜିର ଆୟୋଜିତ ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ ସ୍ବାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ କୁମାର ରାଉତ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ସଭା ପରିଚାଳନା କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ଯରେ ବିଭିନ୍ନ ବିଭାଗର ଅଧିକାରୀ,ସ୍କୁଲ କଲେଜ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ସହରର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

0
0
0
s2sdefault