ଯୁବ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 'ପଥ ଉତ୍ସବ' ଓ 'ୱାକାଥନ' ଅନୁଷ୍ଠିତ
ରାଉରକେଲା, ୨୮ ଅକ୍ଟୋବର ୨୦୨୩(ବସନ୍ତ କୁମାର ଜେନା): ରାଉରକେଲା ସହରରେ ମତଦାନ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଶନିବାର ଏକ ୱାକାଥନ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ତରଫରୁ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ରାଲି ସ୍ଥାନୀୟ ଆମ୍ବେଦକର ଛକରୁ ବାହାରି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଛକରେ ପହଞ୍ଚି ଥିଲା। ସ୍ଥାନୀୟ ମ୍ୟୁନିସିପାଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବୁଥ ସ୍ତରୀୟ ଅଧିକାରୀ, ଆରଏମସି କର୍ମଚାରୀମାନେ ମତଦାନ ସଚେତନତା ଉପରେ ବାର୍ତ୍ତା ବହନ କରୁଥିବା ପ୍ଲା କାର୍ଡ ହାତରେ ଧରି ରାଲିରେ ସାମିଲ ହୋଇଥିଲେ ।
ଏହି ସଚେତନତା ଶୋଭାଯାତ୍ରା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପାର୍କରେ ପହଁଞ୍ଚିବା ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୁବ ମତାଦାତା ମାନଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା 'ଆସ ଆମେ ଭୋଟର ହେବା' ଶୀର୍ଷକ ନାଟକ ପରିବେଷଣ କରାଯାଇଥିଲା। ରଙ୍ଗୋଲି, ଝୋଟି ସହ ସେଲ୍ଫି ଜୋନ୍ ଓ ନିର୍ବାଚନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ସହ ଏକ ଡମି ମତଦାନ କେନ୍ଦ୍ର କରାଯାଇଥିଲା । ଯେଉଁଥିରେ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର ଉପସ୍ଥିତ ରହି କିପରି ଭାବେ ମତଦାନ କରାଯିବ ସେ ବିଷୟରେ ବୁଝାଇଥିଲେ। ଏଥି ସହ ଭୋଟ ଦେବାରୁ କେହି ନିବୃତ୍ତ ନହେବା ପାଇଁ ସିଗନେଚର ମାଧ୍ୟମରେ ଶପଥପାଠ କରିଥିଲେ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନ କେବଳ ଆମ ଅଧିକାର ନରହି କର୍ତ୍ତବ୍ୟ ହେବା ଉଚିତ ବୋଲି ଅତିଥିମାନେ କହିଥିଲେ। ଏହା ସହ ଯୁବ ଭୋଟରଙ୍କୁ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଉତ୍ସାହିତ କରିବା ସହ ସ୍ଥାନୀୟ ବୁଥ ସ୍ତରୀୟ ଅଧିକାରୀ କିମ୍ବା ଭୋଟର ହେଲ୍ପଲାଇନ ଆପ୍ ତଥା ୱେବସାଇଟ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ପରାମର୍ଶ ଦେଇଥିଲେ। ୨୦୨୩ ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ କରୁଥିବା ଯୁବ ବର୍ଗଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ସହ ଆଗାମୀ ନିର୍ବାଚନରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଆଗାମୀ ଜାନୁୟାରୀ ମାସରେ ପ୍ରକାଶିତ ହେବାକୁ ଥିବା ନୂତନ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନାମ ସଂଶୋଧନ କରିବା ଉପରେ ଗୁରୁତ୍ଵ ଦେବାକୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଆରଏମସି ଡେପୁଟି କମିଶନର ସୁଧାଂଶୁ ଭୋଇ, ଗୌରବମୟ ପ୍ରଧାନ, ସୁକାନ୍ତ କୁମାର ବେହୁରିଆ, ରୋନିତ କୁମାର, ଆସିଷ୍ଟାଣ୍ଟ କମିଶନର ନରେନ୍ଦ୍ର ପ୍ରଧାନ, ଓଏସଡି ଆରଡିଏ ଚନ୍ଦ୍ରକାନ୍ତ ମଲ୍ଲିକ, ତହସିଲଦାର ନିବେଦିତା ପ୍ରଧାନଙ୍କ ସହ ମୁନିସିପାଲ କଲେଜ ଛାତ୍ରଛାତ୍ରୀ, ବୁଥ ସ୍ତରୀୟ ଅଧିକାରୀ ଓ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ।








