ଓଡ଼ିଶା-ମୋ ପରିବାର ହସ୍ତକ୍ଷେପ ପରେ ଛାଡ଼ିଲେ ହସ୍ପିଟାଲ କର୍ତ୍ତୃପକ୍ଷ
ଭୁବନେଶ୍ୱର, ତା. ୧୮.୧୦.୨୦୨୩- ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁପରେ, ବକେୟା ଟଙ୍କା ପଇଠ ନକଲେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପାଇଁ ମନା କରିଦେଇଥିଲେ । ମଧ୍ୟ ରାତ୍ରିରେ ଓଡ଼ିଶା-ମୋ ପରିବାର ପହଞ୍ଚି ଏଥିରେ ହସ୍ତକ୍ଷେପ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପ୍ରକାଶଥାଉ କି, ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର ୪୫ବର୍ଷିୟା ମହିଳା ରେଣୁବାଳା ମହାଭୋଇ ଲିଭର କ୍ୟାନସରରେ. ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଜଣାଶୁଣା ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଗତ ରାତି ସାଢେ ୮ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ହସ୍ପିଟାଲ ବିଲ୍ ବାବଦକୁ ବକେୟା ୨୫ହଜାର ଟଙ୍କା ପଇଠ କଲେ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ପରିବାର ଲୋକଙ୍କୁ କର୍ତ୍ତୃପକ୍ଷ କହିଥିଲେ । ବିଚଳିତ ଅବସ୍ଥାରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ସମାଜସେବା ଶ୍ରୀ ରଂଜନ କୁମାର ଦାସଙ୍କ ସହାୟତାରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ରନାରାୟଣ ସାମନ୍ତରାୟଙ୍କୁ ରାତି ସାଢ଼େ ୧୨ଟାରେ ଫୋନ୍ କରି ଜଣାଇଥିଲେ । ଶ୍ରୀ ସାମନ୍ତରାୟ ନିର୍ଦ୍ଦେଶ କ୍ରମେ କାଳ ବିଳମ୍ବ ନକରି ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସଂଯୋଜକ ଶିବ ପ୍ରସାଦ ରାଉତ ହସ୍ପିଟାଲରେ ପହଞ୍ଚିଥିଲେ । ଇତି ମଧ୍ୟରେ ପରିବାର ଲୋକେ ବହୁ କଷ୍ଟରେ ୫ହଜାର ଟଙ୍କା ଯୋଗାଡ଼ କରି ହସ୍ପିଟାଲରେ ପଇଠ କରିଥିଲେ ଏବଂ ବାକି ଟଙ୍କା ପରେ ଦେବେ ବୋଲି ଅନୁରୋଧ କରିଥିଲେ ମଧ୍ୟ ତାଙ୍କ ମୃତଦେହକୁ ଦିଆଯାଇନଥିଲା । ତେବେ ଶିବ ପ୍ରସାଦ ସେଠାରେ ପହଞ୍ଚି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଯେହେତୁ ରୋଗୀ ଜଣଙ୍କ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ହେବାପାଇଁ ଭର୍ତ୍ତି ହୋଇଥିଲେ, ତେଣୁ ବିଲ୍ ରାଶିକୁ ସେଥିରେ ଅନ୍ତର୍ଭୁକ୍ତ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ଶିବ କହିଥିଲେ। ଓଡ଼ିଶା-ମୋ ପରିବାରର ଏହି ହସ୍ତକ୍ଷେପ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତରେ ବକେୟା ରାଶିକୁ ସାମିଲ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଯେଉଁପରି ଭାବେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ରାତି ଅଧରେ ମୃତଦେହକୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଇବାରେ ସାହାଯ୍ୟ କରିଥିଲେ, ଏଥିପାଇଁ ମୃତକଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।








