ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗତ ୨ ତାରିଖ ଠାରୁ ଦୀର୍ଘ ୧୪ ଦିନ ଧରି ସାଇବର ଅପରାଧ ସୁରକ୍ଷା ଓ ସଚେତନତା ଉପରେ ଜିଲ୍ଲାବ୍ୟାପୀ ଚାଲିଥିବା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର ଅଧ୍ୟକ୍ଷତା କରି ସାଂପ୍ରତିକ ଡିଜିଟାଲ ଦୁନିଆରେ ସାଇବର ଅପରାଧ ସମାଜ ପାଇଁ ଏକ ବଡ଼ ବିପତ୍ତି ପାଲଟି ଯାଇଛି । ଆମମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଯୋଗୁଁ ସାଇବର କ୍ରାଇମ୍ ଘଟୁଥିବା ହେଉଛି ଏହାର ମୁଖ୍ୟ କାରଣ।
ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।
ସାଇବର ସୁରକ୍ଷାର ରହିଥିବା ନୀତି ନିୟମ ଗୁଡିକ ଅବଲମ୍ବନ କରିବା ସହ ସାଇବର ବିପଦ ଉପରେ ସଜାଗ ରହିବାକୁ ଆହ୍ବାନ କରି ଜିଲ୍ଲାର ଅଧିକାଂଶ ଲୋକଙ୍କ ପାଖରେ ଏହି ସାଇବର ସୁରକ୍ଷା ସଚେତନତା କିଭଳି ପହଞ୍ଚି ପାରିବ , ଏହାହିଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସାଇବର ସୁରକ୍ଷା ଓ ସେ ଦିଗରେ ସଚେତନତା ଓ ସତର୍କତା ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ସାଇବର ଅପରାଧ ସୁରକ୍ଷା ଏକ୍ସପାର୍ଟ ଶ୍ରୀ ସଞ୍ଜୟ କୁମାର ପାଢ଼ୀ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ସାଇବର ଅପରାଧ କଣ , ଏହା କେମିତି ହୋଇଥାଏ ଏବଂ ଏହାଠାରୁ ସାବଧାନତା ରହି କିଭଳି ନିଜର ମୋବାଇଲ୍ ଅପରେଟ୍ କରିବାକୁ ହେବ , ସେ ଦିଗରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଡିଏସପି ଶ୍ରୀ ରାଜ କିଶୋର ଦାସ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
ସ୍ଵାତୀ ଏସ୍ କୁମାର ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ଓ ସମସ୍ତ ଥାନା ଅଧିନସ୍ତରେ ସାଇବର ସୁରକ୍ଷା ଅଭିଯାନ ଦିଗରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ରହି ନିଜର ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିଲେ ଯେଉଁ ମାନେ କି ପୋଲିସ ବିଭାଗ ପୋଲିସ ଅଧିକାରୀ , କନେଷ୍ଟବଳ , ଫରେଷ୍ଟ ଅଧିକାରୀ , ଗାର୍ଡ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ , ଅଧ୍ୟାପକ , ଜନପ୍ରତିନିଧି , ଛାତ୍ରଛାତ୍ରୀ , ଏଭଳି ମୋଟ ପ୍ରାୟ ୫୦୦ ଜଣଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ।
ଡିଏସପି ରାଜ କିଶୋର ଦାସ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଡିଏସପି କୈଳାଶ ଚନ୍ଦ୍ର ବୁରୁଦା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ
- Hits: 355








