ଭଞ୍ଜନଗରରୁ ଉଦୟନାଥ ପଣ୍ଡା- ନାମିଦାମୀ କମ୍ପାନୀର ୨୪ ଟି ଚୋରୀ ମୋବାଇଲ ଜବତ ହେବାର ଦୁଇ ଦିନ ପରେ ପ୍ରକୃତ ମାଲିକ ଙ୍କୁ ଠାବ କରି ଫେରାଇଛି ଭଞ୍ଜନଗର ପୁଲିସ। ଚଳିତ ସୋମବାର ଅକ୍ଟୋବର ୧୬ ତାରିଖ ରେ ଥାନା ପରିସରରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନଙ୍କ ଉପସ୍ଥିତିରେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ତିନି ଜଣ ବ୍ୟକ୍ତି ଙ୍କୁ ତିନୋଟି ମୋବାଇଲ ଫେରାଯାଇଛି। ନିଜ ଚୋରୀ ହୋଇଥିବା ମୋବାଇଲ ଫେରିପାଇ ଖୁବ୍ ଖୁସି ଅନୁଭବ କରିବା ସହ ଭଞ୍ଜନଗର ପୋଲିସ୍ ଓ ଗଞ୍ଜାମ୍ ଏସ.ପି କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
ସୁଚନାନୁସାରେ, ଭଞ୍ଜନଗର ସହର ଉପକଣ୍ଠ ଜାମପଲ୍ଲୀର ଏକ ଘରେ ବେଆଇନ ଭାବେ ଚୋରୀ ମୋବାଇଲ ଫୋନ୍ ରଖିବା ଅଭିଯୋଗରେ ପୁଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘର ମଧ୍ୟରୁ ସାମସଙ୍ଗ୍,ଭିଭୋ,ଓପୋ,ଓ୍ବାନ ପ୍ଲସ୍,ରେଡମି ଓ ରିୟଲମି ଭଳି ବିଭିନ୍ନ କମ୍ପାନୀର ର ନାମିଦାମୀ ୨୪ଟି ଦାମୀ ମୋବାଇଲ,ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ବ୍ୟାଗ୍ କୁ ପୁଲିସ ଜବତ କରିଥିଲା। ଏହି ଘଟଣାରେ ପୁଲିସ ସଂପୃକ୍ତ ଏମ୍ ମାରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ପରେ ପୁଲିସ ଚୋରୀ ମୋବାଇଲ ର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସୋମବାର ଖୋର୍ଦ୍ଧା ଜିଲ୍ଲା ବନମାଳିପୁରର ଅଜିତ୍ କୁମାର ବେହେରା, ଭୁବନେଶ୍ୱର ଗଙ୍ଗପାଟଣାର ଶ୍ୟାମସୁନ୍ଦର ସାହୁ ଓ କଟକ ଜିଲ୍ଲା କିଶୋର ନଗର ତହସିଲ୍ ରୁ ପ୍ରତାପ କିଶୋର ସ୍ବାଇଁଙ୍କୁ ଚିହ୍ନଟ କରି ଥାନାକୁ ଡକାଯାଇ ସେମାନଙ୍କ ମୋବାଇଲ କୁ ଫେରାଯାଇଛି। ଆଗମି ଦିନରେ ଜବତ ହୋଇଥିଲା ଅନ୍ୟ ଚୋରୀ ମୋବାଇଲର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯାଇ ମୋବାଇଲ ଫେରାଯିବ ବୋଲି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା କହିଛନ୍ତି। ଏହି ସମୟରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବାମିତ୍ର ହରପାଲ୍, ଥାନା ଅଧିକାରୀ ଭଗବାନ ପୁଜାରୀ, ସବ ଇନ୍ସପେକ୍ଟର କେଶବ ଷଡ଼ଙ୍ଗୀ ଓ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।








