ଭୁବନେଶ୍ବର, 13 ଅକ୍ଟୋବର 2023: ରାଜ୍ୟର ପଛୁଆ ବର୍ଗ ତଥା ସଂଖ୍ୟାଲଘୁଙ୍କ ବିକାଶ ହେଲେ ସମଗ୍ର ରାଜ୍ୟ ପ୍ରଗତିର ପଥରେ ଆଗେଇବ । ସେଥିପାଇଁ ଆମ ସମସ୍ତଙ୍କୁ ନୈତିକ ମାନଦଣ୍ଡ ଓ ସମାଜ ପ୍ରତି ସମର୍ପଣ ଭାବ ରଖି କାର୍ଯ୍ୟ କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ । ଆଜି କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ 11 ଦିନିଆ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ କମିସନର ନବ ନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଉଦ୍ୟମରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆସିବ ବୋଲି ମତ ବ୍ୟକ୍ତ କରିଛନ୍ତି ।
କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଯୋଗ ଦେଇ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ବୃତ୍ତିଗତ ଅଖଣ୍ଡତା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ସମାଜରେ ଥିବା ପଛୁଆ ବର୍ଗଙ୍କ ପ୍ରତି ଅଧିକାରୀ ମାନେ ଦୟା, ସହାନୁଭୂତି ରଖିବା ସହ ବୃତ୍ତିଗତ ଅଖଣ୍ଡତାକୁ ଗୁରୁତ୍ବ ଦେବା ଉଚିତ୍ । ଏହି 11 ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବାରେ ସାହାଯ୍ୟ କରିବ ଓ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ।
ଦିଗଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଷେତ୍ର ପରିଦର୍ଶନରେ ଅଧିକାରୀ ମାନଙ୍କୁ କେନ୍ଦୁଝର ଓ ଗଜପତି ଜିଲ୍ଲା ପରିଦର୍ଶନରେ ନିଆଯାଇଥିଲା । ସେଠାରେ ସେମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ରାଜ୍ୟ ସରକାର ନେଉଥିବା ସମସ୍ତ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଜାଣିଥିଲେ । ସରକାରୀଙ୍କ ଯୋଜନା ଲୋକଙ୍କ ମଧ୍ୟରେ ଆଣୁଥିବା ପରିବର୍ତ୍ତନକୁ ସେମାନେ ଲକ୍ଷ୍ୟ କରିଥିଲେ । ଯୋଜନା ଗୁଡିକ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ଜରୁରୀ ସେବାରେ ଉନ୍ନତି ଆଣିପାରିଛି । ଅନ୍ତିମ ଦିନରେ ନବ ନିଯୁକ୍ତ ଅଧିକାରୀ ମାନେ ନିଜର ଅନୁଭୂତି ପ୍ରକାଶ କରିବା ସହ ଆଗକୁ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିଲେ ।
ରାଜ୍ୟ
କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ ଉଦ୍ୟମରେ ସମାଜରେ ଆସିବ ସକରାତ୍ମକ ପରିବର୍ତ୍ତନ: ବିଭାଗୀୟ କମିସନର୍
- Hits: 407








