ଓଡଗାଁ ମାଟି ପାଇଁ ଅନନ୍ୟ ଗୌରବର ମୁହୂର୍ତ୍ତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ, ଓଡ଼ଗାଁ ଅଞ୍ଚଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ପ୍ରଥମରୁ ନିଜ ଗାଁକୁ ଭଲ ପାଉଥିଲେ ମଧ୍ୟ କେବଳ ଜନ୍ମମାଟି ଓଡ଼ଗାଁ ନୁହେଁ, ନୟାଗଡ଼ ଜିଲ୍ଲା ତଥା ସମଗ୍ର ରାଜ୍ୟରେ ନ୍ୟାୟାଳୟମାନଙ୍କର ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି। ବିଶେଷ କରି ୨୦୧୩ ମସିହାରେ ସେ ଓଡିଶା ହାଇକୋର୍ଟରେ ଜଜ ହେବା ପରେ ଓଡ଼ଗାଁ ଠାରେ ନିର୍ମାଣ ହୋଇଥିବା ଆଦର୍ଶ କୋର୍ଟ କମ୍ପ୍ଲେକ୍ସ ସମଗ୍ର ଦେଶ ପାଇଁ ଉଦାହରଣ ହୋଇ ରହିଛି। ନୟାଗଡ଼ରେ ନୂତନ କୋର୍ଟ ବିଲ୍ଡିଙ୍ଗ ନିର୍ମାଣ, ମହିଳା କୋର୍ଟ, ପକସୋ କୋର୍ଟ, ଏଲ ଆର କୋର୍ଟ, ପରିବାର ଅଦାଲତ ସହିତ ସମସ୍ତ ଆଠ ଗୋଟି ବ୍ଲକରେ ରହିଥିବା କୋର୍ଟ ଗୁଡିକର ପୁନର୍ଗଠନରେ ତାଙ୍କର ଅବଦାନ ରହିଛି। ଓଡିଶାରେ ପେପରଲେସ ଓ ଡିଜିଟାଲାଇଜେସନ କୋର୍ଟ କାର୍ଯ୍ୟକ୍ରମରେ ତାଙ୍କର ସହଯୋଗ ଅତୁଳନୀୟ। ଜନସାଧାରଣଙ୍କ ଦ୍ୱାର ଦେଶରେ ଆଇନସେବା ପହଞ୍ଚାଇବା ସହିତ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ନ୍ୟାୟପାଳିକାର ସମସ୍ତ ନ୍ୟାୟିକ ଅଧିକାରୀ ଓ କର୍ମଚାରୀମାନେ କଠିନ ପରିଶ୍ରମ କରିବା ପାଇଁ ସେ ପରାମର୍ଶ ଦିଅନ୍ତି । ଆଜି ତାଙ୍କର ଏହି ସଫଳତାରେ ସେ ଶିକ୍ଷାଗ୍ରହଣ କରିଥିବା ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡିକ ଗୌରବାନ୍ୱିତ ମନେ କରୁଥିବା ଶୁଣିବାକୁ ମିଳିଛି । ସେ ରଙ୍ଗଣୀପାଟଣା ଉଦ୍ଧବ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାସ୍ କରିବା ପରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ଓଡ଼ଗାଁରୁ ମାଟ୍ରିକ ପାସ କରି ପରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଇଣ୍ଟର ମିଡ଼ିଏଟ ଶିକ୍ଷା ସାରି ବିଜେବି କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ମଧୁସୁଦନ ଲ କଲେଜରୁ ଏଲଏଲବି ଓ ଏଲଏଲଏମ ପାସ୍ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପିଏଚଡି ହାସଲ କରିଥିଲେ। ବିଚାରପତି ଭାବେ ଯୋଗ ଦେବା ପୂର୍ବରୁ ନ୍ୟାୟମୂର୍ତ୍ତି ଡ଼ ଷଢଙ୍ଗୀ ବରିଷ୍ଠ ଆଇନଜୀବୀ ତତ୍କାଳୀନ ଆଡଭୋକେଟ ଜେନେରାଲ ସ୍ବର୍ଗତ ଗଙ୍ଗାଧର ରଥଙ୍କ ଅଧିନରେ ରହି ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ।








