ହେଡଲାଇନସ୍:

ବୁଝିଲେନି ସରପଞ୍ଚ; କାଦୁଅ ରାସ୍ତା ସଫେଇ କଲେ ଯୁବକ ସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-15/09,ବହୁଦିନ ଧରି ସରପଞ୍ଚଙ୍କ ଘର ସମ୍ମୁଖ କାଦୁଅ ପଚ୍ ପଚ୍ ହୋଇ ଶୋଚନୀୟ ହୋଇପଡ଼ିଥିଲା I ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ସରପଞ୍ଚ କେବଳ ତାଙ୍କ ଘର ସମ୍ମୁଖ ରାସ୍ତାକୁ ପେଭର୍ ପକାଇ ସଜାଡ଼ି ଦେଇଥିବା ବେଳେ ସାହି କଥା ଭୂଲି ଯାଇଥିଲେ I ଫଳରେ ସାହିରେ ପାଣି ଜମି କାଦୁଅ ପଚ୍ ପଚ୍ ହେଉଥିଲା I ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିଲେ I ଘଟଣା ସମ୍ପର୍କରେ ଜାଣିବା ପରେ ଯୁବକ ସଂଘର ସଦସ୍ୟମାନେ ଆସି କୋଡ଼ି,ଶାବଳ ଧରି କାଦୁଅ ରାସ୍ତାକୁ ସଫା କରିଥିଲେ I ଏନେଇ ସାହି ବାସୀ ଏବଂ ଗୋବରା ଗ୍ରାମବାସୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି I ଖବରରୁ ଜଣାପଡିଛି ଗୋବରା ଗ୍ରାମପଞ୍ଚାୟତର ସରପଞ୍ଚ ସୁପ୍ରଭା ନାଇକ ନିର୍ବାଚିତ ହେବା ପୂର୍ବରୁ ତାଙ୍କ ଶାଶୁ ଘର ଥିବା ଖଦାଳ ସାହି ରାସ୍ତା ଶୋଚନୀୟ ଥିଲା I ପାଣି କାଦୁଅରେ ଲୋକେ ଯିବା ଆସିବା କରୁଥିଲେ I ସରପଞ୍ଚ ହେବାପରେ ଶ୍ରୀମତୀ ନାଇକ ସାହିର ସମୂହ କାର୍ଯ୍ୟ କରିବା ପରିବର୍ତ୍ତେ ନିଜ ଘର ସମ୍ମୁଖରେ ପେଭର୍ ବ୍ଳକ୍ ପକାଇଥିଲେ I ଯାହାଦ୍ୱାରା ତାଙ୍କ ଘର ସମ୍ମୁଖଟି ଉଚ୍ଚ ହୋଇଯିବା ଯୋଗୁଁ ସାହିରେ ପାଣି ଜମି ରହୁଥିଲା I ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ପନ୍ଦର ଦିନ ଧରି ପାଣି ଜମି ରହୁଥିଲା ଏବଂ ଲୋକେ ପାଣି କାଦୁଅରେ ଯିବା ଆସିବା କରୁଥିଲେ I ଗୋବରା ଗ୍ରାମ ଭିତରକୁ ଯିବାକୁ ଏହା ମୁଖ୍ୟ ରାସ୍ତା ହେଉଥିବାରୁ ଗୋବରା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ I ଏନେଇ ଆଜି ସାହି ବାସୀନ୍ଦା ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସହ ଯୋଗାଯୋଗ କରିବାରୁ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ,ଉପସଭାପତି ନିଲୁ ପାତ୍ର ଏବଂ କିଛି ସଦସ୍ୟ ଖଦାଳ ସାହିରେ ପହଞ୍ଚି ସାହି ବାସିନ୍ଦାଙ୍କ ସହଯୋଗରେ କୋଡ଼ି ଶାବଳ ଧରି ଜମି ରହୁଥିବା ପାଣିକୁ ନିଷ୍କାସନ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ମାଆ ବୁଢାକେନ୍ଦୁ ଯୁବକ ସଂଘ ସଦସ୍ୟଙ୍କୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ନିତ୍ୟାନନ୍ଦ ବେହେରା, ଯୁବ ସ୍ଵେଚ୍ଛାସେବୀ ରବି ସେଠୀ, ନଣ୍ଡା ନାଇକ, ରୁକୁନା ନାଇକ ଏବଂ ମିଥୁନ୍ ନାଇକ ସହଯୋଗ କରିଥିଲେ I ଏନେଇ ଆଜି ଖଦାଳ ସାହିର ଜନ ସାଧାରଣ ତାଙ୍କୁ ସାଧୁବାଦ ଜଣାଇବା ସହ ବହୁ ଦିନ ଧରି ଲାଗି ରହିଥିବା ଏହି ସମସ୍ୟାକୁ ଦୂର କରିଥିବାରୁ ଧନ୍ୟବାଦ ଦେଇଥିଲେ I ଗୋବରା ଗ୍ରାମବାସୀ ମଧ୍ୟ ସେମାନଙ୍କୁ ସାଧୁବାଦ ଜଣାଇଥିଲେ I ସରପଞ୍ଚ ଜଣେ ଲୋକ ପ୍ରତିନିଧି ହୋଇଥିବା ବେଳେ ଅନ୍ୟମାନଙ୍କ ଅସୁବିଧାକୁ ଅଣଦେଖା କରି ନିଜ ପାଇଁ ହିଁ କାମ କରୁଥିବାରୁ ତାଙ୍କୁ ଲୋକେ ନାପସନ୍ଦ କରିଛନ୍ତି I ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଲୋକେ ବିରୋଧ କରିବେ ବୋଲି ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ପୂର୍ବରୁ ଏହି ରାସ୍ତାକାମ ଚାଲିଥିବା ବେଳେ ରାସ୍ତାକାମ ନିମ୍ନ ମାନର ଏବଂ ଲୋକଙ୍କର ସମସ୍ୟାକୁ ନେଇ ନଣ୍ଡା ନାଇକ ବିରୋଧ କରିବା ଯୋଗୁଁ ସରପଞ୍ଚ ନିଜ ପଦମର୍ଯ୍ୟାଦାର ଅପବ୍ୟବହାର କରି ନଣ୍ଡାଙ୍କୁ ପୋଲିସ୍ ଦ୍ୱାରା ଉଠାଇ ନେଇ ଥାନାରେ ବସାଇ ଧମକ ଦେଇଥିବା ନଣ୍ଡା ଅଭିଯୋଗ କରିଛନ୍ତି I

0
0
0
s2sdefault