ବାଣ୍ଟୁଛନ୍ତି ଅଗ୍ରୀମ ଟଙ୍କା,ଲୋକ ସଂଗ୍ରହ ରେ ଲାଗିଛନ୍ତି ସ୍ଥାନୀୟ ଦଲାଲ
ପାଟଣାଗଡ଼: (ଯତୀନ୍ଦ୍ର ନନ୍ଦ ) - ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଏହି ପର୍ବ ପାଳନ ପାଇଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ,ଖପ୍ରାଖୋଲ ସମେତ ତୁରେକେଲା ବ୍ଳକ କଣ୍ଟାବାଞ୍ଜି , ମୁରିବାହଲ ,ବଙ୍ଗୋମୁଣ୍ଡା ଆଦି ଅଞ୍ଚଳ ର ଲୋକଙ୍କ ଠାରେ ବେଶ୍ ଉତ୍ସବ ଦେଖିବାକୁ ମିଳିଛି । ଏହି ପର୍ବ ପାଳନ ପାଇଁ ବଲାଙ୍ଗିର ରାଜ ଦରବାର ରେ ରାଜ ଜ୍ୟୋତିଷ୍କ ଦ୍ଵାରା ଲଗ୍ନ ସ୍ଥିର ପରେ ଅଞ୍ଚଳ ରେ ନୂଆଁଖାଇ ପ୍ରସ୍ତୂତି ହୋଇଯାଇଛି । ଅନ୍ୟ ପଟେ ଏହି ପର୍ବରେ ଦାଦନ ସର୍ଦ୍ଦାର ମାନେ ନିଜ ନିଜ ବେପାର ବଢାଇବାର ସୁଯୋଗ କୁ ହାତଛଡ଼ା ନ କରିବା ପାଇଁ ଗାଁ ଗାଁ ରେ ଏଜେଣ୍ଟ ରଖି ଶ୍ରମିକଙ୍କ ମୁଣ୍ଡପିଛା ୨୦ ହଜାରରୁ ୩୦ ହଜାର ଟଙ୍କା ଲେଖାଏଁ ଅଗ୍ରମୀ ଦେଇ ଶ୍ରମିକଙ୍କୁ ନୂଆଁଖାଇ ପରେ ରାଜ୍ୟ ବାହାରକୁ ନେବା ପାଇଁ ପ୍ରସ୍ତୂତି ଆରମ୍ଭ ହୋଇଯାଇଛି । ଏହି ପ୍ରସ୍ତୂତି କାଯ୍ୟକ୍ରମରେ ସରକାରୀ ବାବୁ ମାନଙ୍କୁ ମଧ୍ୟ ସର୍ଦ୍ଦାର ମାନେ କିଛି ଭେଟି ଦେଇ ତାଙ୍କ ହାତ ବାନ୍ଧି ଦେଇଥିବା ଅଞ୍ଚଳରେ ଜୋର୍ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ବାହାରୁ ଏଠାକୁ ଆସି ଦାଦନ ସର୍ଦ୍ଦାର ମାନେ କିଛି ସ୍ଥାନରେ ବସା ବାନ୍ଧି ସ୍ଥାନୀୟ ଅଞ୍ଚଳରେ ନିର୍ଭୟରେ ତା'ର ବେପାର ଜମାଇ ମୁଣ୍ଡ ପ୍ରତି ଏଜେଣ୍ଟର କମିସନ ସ୍ଥିର କରୁଛି । ଅଗ୍ରମୀ ଅଧିକ ମାତ୍ରାରେ ଟଙ୍କା ପାଇଁ ଶ୍ରମିକ ନୂଆଁଖାଇ ପରେ ରାଜ୍ୟ ବାହାରକୁ ଯିବା ପାଇଁ ଶ୍ରମିକ ନିଜ ପ୍ରସ୍ତୁତି ଜାରି ରଖିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ,ଖପ୍ରାଖୋଲ ସମେତ ମୁରିବାହାଲ ,ତୁରେକେଲା ବ୍ଳକ କଣ୍ଟାବାଞ୍ଜି ,ବଙ୍ଗୋମୁଣ୍ଡା ଆଦି ଅଞ୍ଚଳ ଏକ ଗରିବ ଖଟିଖିଆ ଦିନ ମଜୁରିଆ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ । ଏଠାରେ ଗରିବ ଲୋକଙ୍କ ପାଇଁ ଉଦିଷ୍ଟ ଥିବା ସରକାରୀ ଯୋଜନା ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ନହେବାରୁ ଦାଦନ ଶ୍ରମିକ ବୃଦ୍ଧି ର କାରଣ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଅଞ୍ଚଳରେ ଦାଦନ ଶ୍ରମିକ ବୃଦ୍ଧି ଚିନ୍ତାର କାରଣ ହୋଇଛି । ଅଞ୍ଚଳ ରୁ ପ୍ରାୟ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଲୋକେ ଆନ୍ଧ୍ର ପ୍ରଦେଶ ,ତେଲେଙ୍ଗାନା ,ତାମିଲନାଡୁ ,ମହାରାଷ୍ଟ୍ର ଆଦି ଅଞ୍ଚଳକୁ ଯାଇଥିଲେ ମଧ୍ୟ ତାହାର ସଠିକ ହିସାବ ଜିଲ୍ଲା ଶ୍ରମ ବିଭାଗ ପାଖରେ ରହୁ ନାହିଁ । ଅନ୍ୟ ସର୍ଦ୍ଦାର ର ଗିଫ୍ଟ ରେ ହାତ ବାନ୍ଧି ବସିଥିବା ସରକାରୀ ବାବୁ ମାନେ ଆଖି ଠାଉଁରିଆ ଚଢାଉକରି ନିଜ ଟାର୍ଗେଟ ଥିବା ସର୍ଦ୍ଦାରଙ୍କ ଶ୍ରମିକ ଙ୍କୁ ଉଦ୍ଧାର ବାହାବାହା ନେବାରେ ପୂର୍ବ ଯୋଜନା ପ୍ରସ୍ତୁତି କରିଥିବା ଚର୍ଚ୍ଚା ହେଉଛି । ଯଦିଓ ବାହାର ରାଜ୍ୟକୁ ଦାଦନ ଖଟିଯାଉଥିବା ଶ୍ରମିକ ମାନେ ପଞ୍ଚାୟତ ରେ ନିଜର ନାମ ପଞ୍ଜୀକରଣ ନିୟମ ରହିଛି । ହେଲେ ଜିଲ୍ଲା ରେ ସଚେତନ ଅଭାବ ଯୋଗୁଁ ଶ୍ରମିକମାନେ ନିଜର ନାମ ପଞ୍ଜୀକରଣ କରୁନାହିଁ । ଫଳରେ ଜିଲ୍ଲାର ହଜାର ହଜାର ଶ୍ରମିକ ବାହାର ରାଜ୍ୟ କୁ ଚଲାଣ ହୋଇ ନିର୍ଯାତନା ହେଉଛନ୍ତି । ବେଳହୁଁ ଜିଲ୍ଲା ପ୍ରସାଶନ ଦାଦନ ଶ୍ରମିକ ରୋକିବା ପାଇଁ ଆବଶ୍ୟକ ସଚେତନତା ସହିତ ସରକାରୀ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ଦାଦନ ଶ୍ରମିକ ହଟିବ ଅନ୍ୟଥା ଜେସାକୁ ତେସା ଅବସ୍ଥାହିଁ ରହିବ । ଆଉ ଏଥିପ୍ରତି ଶାସକ ପ୍ରଶାସକ ର ତୀକ୍ଷ୍ଣ ନଜର ସଦାସର୍ବଦା ରହିଛି । ଏଣୁକରି କାଳବିଳମ୍ବ ନକରି ଜିଲ୍ଲା ପ୍ରଶାସନ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ଯଥା ବିହୀତ ପଦକ୍ଷେପ ଗ୍ରହଣ କରିବାପାଇଁ ସର୍ବସାଧାରଣରେ ମତ ପ୍ରକାଶ ପାଉଛି ।









