ହେଡଲାଇନସ୍:

 ଗାନ୍ଧି ଜୟନ୍ତୀରୁ ରାଉରକେଲାରେ ବନ୍ଦ ହେବ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • “ପ୍ଲାଷ୍ଟିକ୍ ଫ୍ରି- ସମ୍ଭବ” ଅଭିଯାନ ମାଧ୍ୟମରେ ଚାଲିଛି ଜୋରଦାର ସଚେତନତା କାର୍ଯ୍ୟକ୍ରମ
  • ସମସ୍ତଙ୍କ ସହଯୋଗ ତଥା ସହଭାଗିତାରେ ଅଭିଯାନ ସଫଳ ହେବ: କମିଶନର ଶ୍ରୀମତି ରଶ୍ମିତା ପଣ୍ଡା

 ରାଉରକେଲା :  ରାଜ୍ୟର ସମସ୍ତ ମହାନଗର ନିଗମ ଏବଂ ପୁରୀ ସହରକୁ ଆସନ୍ତା ଅକ୍ଟୋବର ୨ ତାରିଖ, ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରିପ୍ରେକ୍ଷୀରେ ରାଉରକେଲା ସ୍ମାର୍ଟ ସିଟିରେ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଲାଗି ଜୋରଦାର ସଚେତନତା କାର୍ଯ୍ୟକ୍ରମ ଚଳାଇଛି ରାଉରକେଲା ମହାନଗର ନିଗମ। ପ୍ଲାଷ୍ଟିକ ବା ପଲିଥିନ ବ୍ୟବହାର ଉପରେ କଡ଼ାକଡ଼ି ଭାବେ ରୋକ ଲଗାଇବାକୁ ସ୍ଥିର କରାଯାଇଥିବା ବେଳେ ସହରବାସୀଙ୍କୁ ଏ ସଂପର୍କରେ ସଚେତନ କରାଯାଉଛି। ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ସାଧାରଣ ଭାବେ ଜିନିଷପତ୍ର ନେବା ଆଣିବା ପାଇଁ ବ୍ୟବହାର ହୋଇଆସୁଥିବା ପଲିଥିନ ଜରି ବ୍ୟାଗ୍, ପ୍ଲାଷ୍ଟିକ ଓ ଥର୍ମୋକୁଲରେ ତିଆରି କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଣି ପାଉଚ୍, ଗିନା, ଚାମଚ୍, ଥର୍ମୋକୁଲ୍ ତିଆରି ସାଜସଜ୍ଜା ସାମଗ୍ରୀ, 500 ମିଲିଲିଟରରୁ କମ ଧାରଣ କ୍ଷମତା ବିଶିଷ୍ଟ ପିଇବା ପାଣି ବୋତଲ, 50 ମାଇକ୍ରନ୍ରୁ କମ ପତଳା ପଲିଥିନ୍ ସିଟ୍ ଆଦିର ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା ଜାରି ହେବ। 

ଏହି ପରିପ୍ରେକ୍ଷୀରେ ଗତ ମାସ ୧୪ ତାରିଖରୁ “ପ୍ଲାଷ୍ଟିକ୍ ଫ୍ରି ସମ୍ଭବ” ନାମରେ ଏକ ସଚେତନତା ଅଭିଯାନ ମହାନଗର ନିଗମ ଆରମ୍ଭ କରିବା ସହ ଏହା ମାଧ୍ୟମରେ ସହରବାସୀଙ୍କୁ ପ୍ଲାଷ୍ଟିକ ବ୍ୟବହାର କମ କରିବାକୁ ସଚେତନ କରାଯିବା ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀ ସଂପର୍କରେ ମଧ୍ୟ ଅବଗତ କରାଯାଉଥିବା ନେଇ ରାଉରକେଲା ମହାନଗର ନିଗମର କମିଶନର ଶ୍ରୀମତି ରଶ୍ମିତା ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

ପ୍ରଥମେ ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରମୁଖ ଅଧିକାରୀ ଏବଂ ଷ୍ଟିଲ୍ ପ୍ଲାଣ୍ଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ରେଳବାଇର ଅଧିକାରୀ ମାନଙ୍କୁ ଡାକି ଏକ ସମନ୍ୱୟ ବୈଠକ କରାଯାଇଥିବା ବେଳେ ବିଭିନ୍ନ ସହଭାଗୀ ସଂଗଠନ ମାନଙ୍କ ସହ ପୃଥକ ପୃଥକ ବୈଠକ ମାନ ଆୟୋଜନ କରି ରାଉରକେଲା ସ୍ମାର୍ଟ ସିଟିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ସେମାନଙ୍କ ସହଯୋଗ କାମନା କରାଯାଉଛି। 

ସହରର ବିଭିନ୍ନ କ୍ଲବ ତଥା ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସଂଗଠନ, ଧାର୍ମିକ ଅନୁଷ୍ଠାନ, ବ୍ୟବସାୟିକ ସଂଗଠନ, ବଜାର କମିଟି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଆରୋଗ୍ୟ ସମିତି, ବସ୍ତି ନୀରିକ୍ଷଣ କମିଟିର ସଦସ୍ୟ ଏବଂ ଯୁବ ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୃଥକ ପୃଥକ ଭାବେ ଗତ ୧0 ତାରିଖରୁ ସଚେତନତା କର୍ମଶାଳା ସ୍ଥାନୀୟ ସିଟି ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଥିବା ନେଇ ଶ୍ରୀମତି ପଣ୍ଡା ସୁଚନା ଦେଇଥିଲେ। 

ଆସନ୍ତା ଅକ୍ଟୋବର ୨ ତାରିଖରୁ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବା ପରେ ପ୍ଲାଷ୍ଟିକ ବା ପଲିଥିନ କ୍ୟାରି ବ୍ୟାଗର ବିକଳ୍ପ ସ୍ୱରୁପ କପଡ଼ା ତଥା କାଗଜ ତିଆରି ବ୍ୟାଗ୍ ପ୍ରସ୍ତୁତି ନିମନ୍ତେ ରାଉରକେଲା ମହାନଗର ନିଗମ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୮୪ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ କପଡା ତଥା କାଗଜ ତିଆରି ବ୍ୟାଗ ପ୍ରସ୍ତୁତି ନିମନ୍ତେ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି। 

ଅଭିଯାନକୁ ବ୍ୟାପକ ତଥା ପ୍ରଭାବି କରିବା ଲାଗି ଖବରକାଗଜ, ଏଫ୍ଏମ୍ ରେଡିଓ ଚ୍ୟାନେଲ୍ ଆଦି ମାଧ୍ୟମରେ ସଚେତନତା କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି। ସେହିପରି ସହରର ପ୍ରତି ଗଳି କନ୍ଦିରେ ଏସଂପର୍କିତ ସନ୍ଦେଶ ପହଞ୍ଚାଇବା ଲାଗି ୬ଟି ସ୍ୱତନ୍ତ୍ର ରଥ ପ୍ରସ୍ତୁତ କରାଯାଇଛି। ଏହି ରଥ ଗୁଡିକ ସହରର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ ସଚେତନ କରାଇବ। ପୋଷ୍ଟର, ଭିନିଲ୍ ବୋର୍ଡ, ଓ ଲିଫଲେଟ୍ ଆଦି ମାଧ୍ୟମରେ ବି ଲୋକଙ୍କୁ ସଚେତନ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ହୋଡିଂ ମଧ୍ୟ ଲଗାଯାଇଛି। କେବଳ ସେତିକି ନୁହେଁ ଅଧିକ ସଚେତନତା ନିମନ୍ତେ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ପଥପ୍ରାନ୍ତ ନାଟକର ମଧ୍ୟ ଆୟୋଜନ କରାଯିବ ବୋଲି ଶ୍ରୀମତି ପଣ୍ଡା ସୁଚନା ଦେଇଥିଲେ। ଏଥି ସହିତ ସହରର ଯୁବ ପିଢିଙ୍କ ମାଧ୍ୟମରେ ମଧ୍ୟ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରି ସଚେତନତାର ବାର୍ତ୍ତା ବାଣ୍ଟିବାକୁ ନିଗମ ଯୋଜନା କରିଥିବା ଜଣାପଡିଛି। ବିଭିନ୍ନ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ନେଇ ମଧ୍ୟ ସୁଚନା ମିଳିଛି।

ସମାଜର ସବୁ ବର୍ଗର ଲୋକଙ୍କ ପ୍ରଚେଷ୍ଟା, ସହଯୋଗ ତଥା ସହଭାଗିତା ଦ୍ୱାରା ହିଁ ଏହି ଅଭିଯାନ ସଫଳ ହୋଇପାରିବ। ତେଣୁ ଏଥିନିମନ୍ତେ ସମସ୍ତେ ଆଗେଇ ଆସିବାକୁ ଶ୍ରୀମତି ପଣ୍ଡା ଆହ୍ୱାନ ଦେଇଥିଲେ। ଏଥିସହିତ ଶ୍ରୀମତି ପଣ୍ଡା ସୁଚନା ଦେଇଥିଲେ ଯେ ପ୍ଲାଷ୍ଟିକ ବ୍ୟାନ୍ ସମ୍ପର୍କିତ ଚୁଡାନ୍ତ ନିୟମାବଳୀ ପ୍ରକାଶନ ପରେ ନିଗମ ପକ୍ଷରୁ ଅବଶ୍ଯକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

0
0
0
s2sdefault