ହେଡଲାଇନସ୍:

ଜଟିଳ କର୍କଟ ରୋଗ ନିମନ୍ତେ ମହିଳାଙ୍କର ୧୧ ବର୍ଷରେ ୫ ଥର ଅସ୍ତ୍ରୋପଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜୁଲାଇ ୫: ଜଟିଳ କ୍ୟାନ୍ସର ରୋଗ “ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା” ରେ ପୀଡ଼ିତ ଥିବା ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳାଙ୍କର ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମରେ ତାଙ୍କର ଏହି ସମସ୍ୟା ନେଇ ଅସ୍ତ୍ରୋପଚାର କରାଯାଇଛି ।
ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା ଏପରି ଏକ ସମସ୍ୟା ଯାହା ବାରମ୍ବାର ଉପୁଜିଥାଏ ଏବଂ କେମୋ କିମ୍ବା ରେଡିଏସନ୍ ଥେରାପି ଦ୍ୱାରା ଏହାର ଚିକିତ୍ସା କରାଯାଇ ପାରିନଥାଏ । କେବଳ ଅସ୍ତ୍ରୋପଚାର ଦ୍ୱାରା ହିଁ ଏହି ରୋଗର ଚିକିତ୍ସା କରାଯାଏ ବୋଲି ହସ୍ପିଟାଲ ସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ କହିଛନ୍ତି ।
୨୦୧୨ ଠାରୁ କିଛି ବର୍ଷର ବ୍ୟବଧାନରେ ଏହି ରୋଗୀଙ୍କର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ୫ ଥର ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର ସାହୁ କହିଛନ୍ତି ।
ସଂପୃକ୍ତ ମହିଳା ଜଣକ ପ୍ରଥମେ ୨୦୧୨ ଅଗଷ୍ଟ ମାସରେ ପେଟ ଫୁଲା ଓ ଯନ୍ତ୍ରଣା ସମସ୍ୟା ନେଇ ସମ୍ ହସ୍ପିଟାଲ୍କୁ ଆସିଥିଲେ । ସିଟି ସ୍କାନ୍ ପରେ ତାଙ୍କ ପେଟରେ ଏକ ବଡ ଟୁ୍ୟମର ଥିବା ଜଣାପଡ଼ିଥିଲା । ଅସ୍ତ୍ରୋପଚାର ମାଧ୍ୟମରେ ପେଟରୁ ୧୫ କେଜିର ଟୁ୍ୟମରକୁ ବାହାର କରାଯାଇଥିବା ବେଳେ ବାୟୋପ୍ସି ରିପୋର୍ଟରେ ଏହା ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା ଜନିତ କ୍ୟାନ୍ସର ବୋଲି ଜଣାପଡ଼ିଥିଲା ବୋଲି ପ୍ରଫେସର ସାହୁ କହିଛନ୍ତି ।
ପୁଣି ଚାରିବର୍ଷ ପରେ ୨୦୧୬ରେ ରୋଗୀ ଜଣକ ସମାନ ସମସ୍ୟା ନେଇ ହସ୍ପିଟାଲ୍ ଆସିଥିଲେ ଏବଂ ତାଙ୍କ ପେଟରୁ ଏଥର ୧୦.୫ କେଜିର ଟୁ୍ୟମର ବାହାର କରାଯାଇଥିଲା । ଟୁ୍ୟମରଟି ଜରାୟୁ ସହ ଯୋଡି ହୋଇଥିବାରୁ ସର୍ଜିକାଲ୍ ଟିମ୍କୁ ତାଙ୍କ ଶରୀରରୁ ଜରାୟୁ ଏବଂ ଡିମ୍ବାଶୟକୁ ବାହାର କରିବାକୁ ପଡ଼ିଥିଲା ।
୨୦୨୦ରେ ପୁଣି ତୃତୀୟ ଥର ପାଇଁ ଚିକିତ୍ସା ନିମନ୍ତେ ସେ ହସ୍ପିଟାଲ ଆସିଥିଲେ ଏବଂ ଏଥର ସାଢେ଼ ୭ କେଜିର ଟୁ୍ୟମର ବାହାର କରାଯାଇଥିଲା । ସେ ପୁଣି ଥରେ ୨୦୨୨ରେ ଆସିଥିଲେ ଏବଂ ୫ କେଜିର ଟୁ୍ୟମର ଅସ୍ତ୍ରୋପଚାର ମାଧ୍ୟମରେ କରାଯାଇଥିବା ସର୍ଜିକାଲ୍ ଟିମର ନେତୃତ୍ୱ ନେଇଥିବା ପ୍ରଫେସର ସାହୁ କହିଛନ୍ତି ।
ଗତ ମାସ ଏକ ବର୍ଷ ପରେ ସେ ପୁଣି ଥରେ ହସ୍ପିଟାଲ୍ ଆସିଥିଲେ ଏବଂ ଆଉ ଏକ ଅସ୍ତେ୍ରାପଚାର କରାଯାଇଥିଲା । ତେବେ ଚଳିତ ଥର ଛୋଟ ଛୋଟ ଆକାରର ଅନେକଗୁଡ଼ିଏ ଟୁ୍ୟମର ପେଟରେ ସୃଷ୍ଟି ହୋଇ ବିକ୍ଷିପ୍ତ ଭାବରେ ଥିଲା । ସେଗୁଡ଼ିକୁ ଅସ୍ତେ୍ରାପଚାର ଦ୍ୱାରା କଢ଼ାଯିବା ସହ ରୋଗୀଙ୍କୁ ତିନି ଦିନ ଆଇସିୟୁରେ ରଖାଯାଇଥିଲା । ଖୁବ୍ ଶୀଘ୍ର ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବେ ବୋଲି ଡାକ୍ତର ସାହୁ କହିଛନ୍ତି ।
ଡାକ୍ତର ସାହୁଙ୍କ ବ୍ୟତୀତ ଡାକ୍ତର ସୁମନ୍ ସୌରଭ ରାଉତ, ଡାକ୍ତର ସାଗର ନାୟକ ଓ ଡାକ୍ତର ଶ୍ଳୋକ ଜୟସ୍ୱାଲ୍ ଏହି ସର୍ଜିକାଲ୍ ଟିମ୍ରେ ସାମିଲ ଥିଲେ । ସେହିପରି ଆନେସ୍ଥେସିଆ ଟିମ୍ରେ ପ୍ରଫେସର ଡାକ୍ତର ଶାଶ୍ୱତ ପଟ୍ଟନାୟକ, ପ୍ରଫେସର ସୋମ୍ୟ ସାମଲ ଓ ଡାକ୍ତର ଶିବାଶିଷ ଦାସ ସହଯୋଗ କରିଥିବା ବେଳେ ଶ୍ରୀ ସଂଗ୍ରାମ ବେହେରା, ସାଗରିକା ଜେନା ଓ ମାନସୀ ଓଝା ଓଟି ଷ୍ଟାଫ୍ ଟିମରେ ସାମିଲ ଥିଲେ ।
ଏହାଛଡ଼ା ରେଡିଓଲୋଜି ବିଭାଗର ପ୍ରଫେସର (ଡାକ୍ତର) ସତ୍ୟ ମହାପାତ୍ର ସିଟି ସ୍କାନ୍ ରିପୋର୍ଟରୁ ନିର୍ଭୁଲ ଭାବେ ରୋଗୀଙ୍କ ସମସ୍ୟାର ନିର୍ଦ୍ଧାରଣ କରିଥିବାରୁ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା । ପାଥୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ଏହା ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା ବୋଲି ଜଣାଇଥିଲେ ।
ପ୍ରଫେସର (ଡାକ୍ତର) ସାହୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଳର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କୁ ସମସ୍ତ ସହଯୋଗ ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

0
0
0
s2sdefault