ରାଉରକେଲା : ଓଡ଼ିଶା ମିଲେଟ ମିଶନ ପକ୍ଷରୁ ରାଉରକେଲାରେ ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ସ୍ମରଣୀୟ ଇଭେଣ୍ଟର ଆୟୋଜନ କରାଯାଇଥିଲା । ଜୁଲାଇ ୧ ଓ ୨ ତାରିଖ ଦିନ ରାଉରକେଲାସ୍ଥିତ ପ୍ଲୋଟୋନ୍ ସପିଂ ମଲରେ “ଓଡ଼ିଶା ମିଲେଟ ବିଷୟରେ ଜାଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତ ଥିଲେ ।
ମିଲେଟର ଉପକାରିତା ବିଷୟରେ ଲୋକଙ୍କୁ ଜଣାଇବା ଓ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ ଥିଲା । ଆୟୋଜକମାନେ ଓଡ଼ିଶା ମିଲେଟ ମିଶନର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଆଞ୍ଚଳିକ କାର୍ଯ୍ୟକ୍ରମ ତଥା ହାସ୍ୟାଭିନୟ ଜରିଆରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସର ଅପକାରିତା ସମ୍ପର୍କରେ ଦର୍ଶକମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ‘ଜୀବନଜ୍ୟୋତି’ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ସେଠାରେ ଉପସ୍ଥିତ ଦୋକାନୀମାନଙ୍କୁ ମିଲେଟରୁ ପ୍ରସ୍ତୁତ ବିଭିନ୍ନ ମିଠା ଏବଂ କୁକିଜ୍ ପ୍ରସ୍ତୁତ କରି ବଣ୍ଟନ କରିଥିଲେ ।
ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ହାସ୍ୟାଭିନେତା ସୁଜିତ କୁମାର ଜେନା, ଚାନ୍ଦିନୀ ଏବଂ ଡଲି କମେଡ଼ି ଦ୍ୱାରା ଲୋକଙ୍କୁ ବାନ୍ଧି ରଖିଥିଲେ ଓ ମିଲେଟର ଉପକାରିତା ବିଷୟରେ ସଚେତନ କରାଇଥିଲେ । ପ୍ରଖ୍ୟାକତ ଗାୟକ କୁଲଦୀପ ଲୋକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲେ । ଓଡ଼ିଆ ଏବଂ ହିନ୍ଦୀ ଗୀତର ସଂଗୀତ ପରିବେଷଣ ଏହି ଇଭେଣ୍ଟକୁ ଆହୁରି ଜୀବନ୍ତ କରିଥିଲା । ସଂଗୀତର ତାଳେତାଳେ ଲୋକମାନେ ଝୁମୁଥିବା ଦେଖିବାକୁ ମିଳିଥିଲା ।
ଉଚ୍ଚସ୍ତରର ଉତ୍ସାହକୁ ବଜାୟ ରଖିବା ପାଇଁ ଓଡ଼ିଶା ମିଲେଟ୍ ମିଶନ ଭିନ୍ନ ଭିନ୍ନ କୌତୁକିଆ ଏବଂ ପ୍ରତିଯୋଗିତାମୂଳକ ଖେଳର ପରିକଳ୍ପନା କରିଥିଲା ଯାହା ଅଂଶ ଗ୍ରହଣକାରୀମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଏହି ରୋମାଞ୍ଚକର ପ୍ରତିଯୋଗିତାର ବିଜେତାମାନେ ବିଭିନ୍ନ ଆକର୍ଷଣୀୟ ଉପହାର ଜିତିଥିଲେ ।
ଓଡ଼ିଶା ରାଜ୍ୟ ସରକାର ଏହି ଯୁଗାନ୍ତକାରୀ ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଅଭିନବ ତଥା ରୋମାଞ୍ଚକର ଉପାୟ ଅବଲମ୍ବନ କରୁଛନ୍ତି । ଏହି ପ୍ରୟାସର ଏକ ଅଂଶ ଭାବରେ, ଓଡ଼ିଶାର ଶ୍ରେଷ୍ଠ ୨୦ ଟି ସହରରେ “ଓଡ଼ିଶା ମିଲେଟ୍ ବିଷୟରେ ଜାଣ” ନାମ ଏକ ମନୋରଞ୍ଜନକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପ୍ରତିଷ୍ଠା କରିଛି । ଏହି ଇଭେଣ୍ଟଣ୍ଟ କେବଳ ବ୍ୟାପକ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରେନାହିଁ । ବରଂ ରାଜ୍ୟ ବାସୀଙ୍କର ସ୍ୱାସ୍ଥ୍ୟ ତଥା କଲ୍ୟାଣ ଉପରେ ସ୍ଥାୟୀ ପ୍ରଭାବ ପକାଇବାର କ୍ଷମତା ରଖିଥାଏ ।
ରାଜ୍ୟ
ରାଉରକେଲାରେ ଓଡ଼ିଶା ମିଲେଟ ମିଶନର ଚିତ୍ତାକର୍ଷକ ଇଭେଣ୍ଟ
- Hits: 279











