ପୁରୀ (ଅନିମେଶ ପଟ୍ଟନାୟକ): ଆଜି ନିଳାଦ୍ରୀନାଥଙ୍କ ନିଳାଦ୍ରୀ ବିଜେ । ଦିର୍ଘ ୧୨ ଦିନର ଲୀଳାଖେଳା ସାରି ନିଳାଦ୍ରୀ ବିଜେ କରିବେ ମହାପ୍ରଭୁ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପହଣ୍ଡି ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି । ଶୁକ୍ରବାର ଥିଲା ଅଧର ନୀତି । ସୁନାବେଶ ଓ ଅଧର ନୀତି ପରେ ଶନିବାର ରତ୍ନ ସିଂହାସନକୁ ଯିବେ ଚତୁର୍ଦ୍ଧାବିଗ୍ରହ। ତିନି ଠାକୁରଙ୍କ ସହ ଶ୍ରୀ ସୁଦର୍ଶନ, ଭୂଦେବୀ ଓ ଶ୍ରୀଦେବୀ ମଧ୍ଯ ଗୋଟି ପହଣ୍ଡିରେ ଜଣ ଜଣ କରି ରତ୍ନ ସିଂହାସନ ବିଜେ କରିବେ ।
ଶେଷ ହୋଇଛି ପବିତ୍ର ରଥଯାତ୍ରା । ବଡ଼ଭାଇ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ଗୁଣ୍ଡିଚାରାଣୀଙ୍କୁ ଦେଇଥିବା କଥା ରଖିଛନ୍ତି ମହାପ୍ରଭୁ ଜଗନ୍ନାଥ । ଆଡ଼ପ ବିଜେ ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ଭାବ ଦିଆନିଆ କରିଛନ୍ତି । ଭାବର ଠାକୁରଙ୍କୁ ଦେଖି ବଡଦାଣ୍ଡରେ ଏକାକାର ହୋଇଥିଲେ ଭକ୍ତ ଓ ଭଗବାନ। ବଡ଼ଦାଣ୍ଡରେ କିଏ ପାଇଛି ତ କିଏ ହରାଇଛି ଲିଳାମୟଙ୍କ ପାଖରେ ।
ସେପଟେ ଗୁଣ୍ଡିଚାଯାତ୍ରାରେ ସାଙ୍ଗରେ ନ ନେଇଥିବାରୁ ଲକ୍ଷ୍ମୀ ସାଆନ୍ତାଣୀ ରୋଷ କରିଛନ୍ତି । ତେଣୁ ମହାପ୍ରଭୁ ଜଗନ୍ନାଥ ଆଜି ମାଆ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ । ଯାହା ଏକ ଅପୂର୍ବ ପରମ୍ପରା । ଏହି ପରମ୍ପରା ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ବିଶ୍ବାସ, ଭଲପାଇବାର ମଧୁରତାର ବାର୍ତ୍ତା ସାରା ବିଶ୍ବକୁ ଦେଇଥାଏ ।









