ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲେ କର୍କଟ ରୋଗରୁ ସୁସ୍ଥ
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ଗତ କିଛି ବର୍ଷ ଧରି ପଶ୍ଚିମ ଓଡ଼ିଶାର ଗରୀବ ଅସହାୟଙ୍କ ସ୍ୱର ରୂପେ ଉଭା ହେଇ ସାଧାରଣ ଲୋକଙ୍କ ହକର ଲଢେ଼ଇ ଲଢ଼ି ଆସୁଛନ୍ତି।ତାଙ୍କ ପ୍ରୟାସରେ କେତେ ଯେ ଅସହାୟ ମାନଙ୍କ ମୁହଁରେ ହସ ଫୁଟିଛି ତାହାର କଳନା ନାହିଁ।ଅସହାୟ ରୋଗୀ ହୁଅନ୍ତୁ କି ପ୍ରବାସୀ ଶ୍ରମିକ ଅବା ଅସହାୟ ଶିଶୁ ହୁଅନ୍ତୁ ସମସ୍ତଙ୍କ ପାଇଁ ଆଶାବାଡି ସାଜିଛନ୍ତି ଟ୍ୱିଟର ଗାର୍ଲ ଦୀପା।
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ଗ୍ରାମର ସୌଭାଗ୍ୟ ପଟେଲ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ଗତବର୍ଷ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଏହି ସମୟରେ ଦେବଦୂତ ସାଜି ତାଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା କରିଥିଲେ ଜଣେ ଯୁବ ଶିକ୍ଷକ।ତାଙ୍କ ସହାୟତାରେ ସୌଭାଗ୍ୟଙ୍କ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହୋଇଥିଲା ଯେଉଁଥିରେ ପ୍ରାୟ ୯ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହାୟତା ପାଇଥିଲେ ଯାହାକି ତାଙ୍କ ଜୀବନ ପାଇଁ ମୃତ୍ୟୁ ସଞ୍ଜୀବନି ସଦୃଶ କାମ କରିଥିଲା।
ଦୀର୍ଘଏକ ବର୍ଷ ଧରି ଚିକିତ୍ସା ପରେ ସୌଭାଗ୍ୟର ମାଁ ଯିଏକି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ସର୍ବସ୍ୱାନ୍ତ ହୋଇଯାଇଥିଲେ।ଏହି କାରଣରୁ ସୌଭାଗ୍ୟର ପାଠପଢ଼ାରେ ଡୋରୀ ପଡ଼ିବାକୁ ଯାଉଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ସ୍ୱେଚ୍ଛାସେବୀ ଦୀପା ବାରିକ।ସୌଭାଗ୍ୟ ର ପାଠପଢା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଥିଲେ ଦୀପା,ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା ।ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଝାରବନ୍ଧ ତହସିଲ ଅଫିସରୁ ଏକ ତଦନ୍ତକାରୀ ଦଳ ସୌଭାଗ୍ୟଙ୍କ ଘରକୁ ଯାଇ ତଥ୍ୟ ପ୍ରଦାନ କରିଥିଲେ।ଏହାଛଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ଦୀପାଙ୍କୁ ଯୋଗାଯୋଗ କରି ସୌଭାଗ୍ୟଙ୍କ ସହ କଥା ହୋଇଥିଲେ।ଏହାପରେ ସୌଭାଗ୍ୟଙ୍କ ମାଁଙ୍କ ବ୍ୟାଙ୍କ ଖାତାରେ ୧୦ ହଜାର ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜମା କରାଯାଇଥିଲା।ଏହାପରେ ସୌଭାଗ୍ୟଙ୍କ ପାଠପଢ଼ା ପାଇଁ ବାଟ ଫିଟିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ସୌଭାଗ୍ୟ ଏବଂ ତାଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଦୀପାଙ୍କ ପ୍ରୟାସରେ ସୌଭାଗ୍ୟଙ୍କ ଚିକିତ୍ସା ସମୟରେ ଆଉ ଅତିରିକ୍ତ ୧୫ ହଜାର ଆର୍ଥିକ ସହାୟତା ମିଳିଥିଲା।











