ହେଡଲାଇନସ୍:

ଧାନ ନେଇ  ଚମ୍ପଟ ୯୫ ଜଣ ମିଲର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମିଲର୍ସ ଖାଇଯାଇଛନ୍ତି ୧୮୮ କୋଟି ୮୪ ଲକ୍ଷ ଟଙ୍କା !

 ଭୁବନେଶ୍ୱର : ଚାଷୀଙ୍କ ଠାରୁ ଧାନ ନେଇ ସରକାରଙ୍କୁ ଚାଉଳ ଯୋଗାଇବା ଘେନି ୯୫ ଜଣ ମିଲର ଧରାଛୁଅାଁ ଦେଉନାହାନ୍ତି । ସେମାନଙ୍କ ଉପରେ ଅନାଦେୟ ଚାଉଳ ବାବଦରେ ୧୮୮ କୋଟି ୮୪ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ବାକି ପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ୨୦୦୩-୦୪ରୁ ୨୦୧୬-୧୭ ଖରିଫ୍ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୯୫ ଜଣ ମିଲର୍ଙ୍କ ଠାରୁ ରାଜ୍ୟ ସରକାରଙ୍କର ୯୨,୦୨୨ ମେଟ୍ରିକ୍ ଟନ୍ ଚାଉଳ ପାଇବା ବାକି ଅଛି । ଅନାଦେୟ ଚାଉଳ ପାଇଁ ସେମାନେ ୧,୩୫,୬୭୫ ମେଟ୍ରିକ୍ ଟନ୍ ଧାନ ନେଇଥିଲେ ଯାହାର ମୂଲ୍ୟ ୧୮୮ କୋଟି ୮୪ ଲକ୍ଷ ୬୧ ହଜାର ଟଙ୍କାରୁ ଅଧିକ । ଖିଲାପି ମିଲର୍ମାନଙ୍କ ଠାରୁ ସେମାନଙ୍କ ଅମାନତ ଜମା, ବକେୟା ଦେୟ ଆଦି ବାବଦକୁ ମାତ୍ର ୪୪ କୋଟି ୮୮ ହଜାର ଟଙ୍କା ଆଦାୟ କରାଯାଇ ଯୋଗାଣ ନିଗମ ନିକଟରେ ରଖା ଯାଇଥିବା ମନ୍ତ୍ରୀ କହିଛନ୍ତି । 

୯୫ ଜଣ ଖିଲାପି ମିଲର୍ଙ୍କ ମଧ୍ୟରୁ ୭୦ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦରଜ କରାଯାଇଛି । ଏଥିରୁ ୬୩ଟି ମାମଲା ଥାନାରେ ରୁଜୁ ହୋଇଥିବା ବେଳେ ୪ଟି ଭିଜିଲାନ୍ସରେ ଓ ୩ଟି ଅର୍ଥନୈତିକ ଅପରାଧ ଶାଖାରେ ଦାୟର କରାଯାଇଛି । ୫୬ ଜଣଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇଥିବା ମନ୍ତ୍ରୀ ସୂଚାଇଛନ୍ତି । ରାଜ୍ୟ ସରକାରଙ୍କ ଅନ୍ୟତମ ଧାନ ସଂଗ୍ରହକାରୀ ସଂସ୍ଥା ମାର୍କେଫେଡ୍କୁ ବି ୧୫ ଜଣ ମିଲର୍ ପ୍ରାୟ ୯ କୋଟି ଟଙ୍କାର ଚୂନ ଲଗାଇଥିବା ଏହି ତଥ୍ୟରୁ ଜଣାପଡ଼ିଛି । 

ବାଲେଶ୍ୱର ଜିଲ୍ଲାର ୯ ଜଣ, ବରଗଡ଼ ଜିଲ୍ଲାର ୯ ଜଣ, ବଲାଙ୍ଗୀରର ଜଣେ, କଟକର ୫ଜଣ, ଦେବଗଡ଼ର ୨ ଜଣ, ଢେଙ୍କାନାଳର ୨ଜଣ, ଗଞ୍ଜାମର ୧୧ ଜଣ, ଜଗତ୍ସିଂହପୁରର ୩ ଜଣ, ଯାଜପୁରର ଜଣେ, ଝାରସୁଗୁଡ଼ାର ୪ଜଣ, କଳାହାଣ୍ଡିର ୧୯ ଜଣ, କେନ୍ଦ୍ରାପଡ଼ାର ୨ ଜଣ, ଖୋର୍ଦ୍ଧାର ୩ଜଣ, କୋରାପୁଟର ୨ଜଣ, ମୟୂରଭଞ୍ଜର ଜଣେ, ନବରଙ୍ଗପୁର ୪ଜଣ, ନୂଆପଡ଼ାର ୬ ଜଣ, ସମ୍ବଲପୁରର ୬ ଜଣ ଓ ସୁବର୍ଣ୍ଣପୁରର ୬ ଜଣ ଖିଲାପକାରୀ ମିଲର୍ଙ୍କ ତାଲିକା ମନ୍ତ୍ରୀ ତାଙ୍କ ଉତ୍ତରରେ ଦେଇଛନ୍ତି । 

 

0
0
0
s2sdefault