ହେଡଲାଇନସ୍:

ଚିଲିକାରୁ ବିମାନ ଫୁରରରରର..............ସରିଲା ୱାଟର  ଏରୋଡ୍ରମ ରାଜନୀତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶେଷରେ ପ୍ରତ୍ୟାହାର ହେଲା  ଚିଲିକାରେ  ୱାଟର ଏରୋଡ୍ରମ ପ୍ରକଳ୍ପ

 ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ନିଳାମ୍ବୁ ଚିଲିକାରେ ହେବାକୁ ଥିବା  ୱାଟର ଏରୋଡ୍ରମ ପ୍ରକଳ୍ପକୁ କେନ୍ଦ୍ର ବାତିଲ କରିଛି | ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଇଛି ବୋଲି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଅଥରୀଟିର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ସୂଚନା ଯୋଗ୍ୟ ଯେ ଏହି ପ୍ରକଳ୍ପକୁ ନେଇ ରାଜ୍ୟରେ ଗତ କିଛି ଦିନ ଧରି ବେଶ ବାକ ବିତଣ୍ଡା ଚାଲିଥିଲା | ଏହାକୁ ଏକ ରାଜନୈତିକ ରୂପ ଦେଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜନ୍ମ ନେବାକୁ ଯାଉଥିଲା | ପୁରୀ ଜିଲ୍ଲାର କିଛି ବିଧାୟକ ଏହାକୁ ଖୋଲା ଖୋଲା ଖୋଲି ବିରୋଧ କରିଥିଲେ | ରାଜ୍ୟ ସରକାରଙ୍କ ତଥା ଚିଲିକା ଦାଇତ୍ୱରେ ଥିବା ସିଡିଏ ସହ କଥା ନହୋଇ ଜୈବ ବିବିଧତା ଆଉ ପକ୍ଷୀବିହାର ଭାବେ ଜଣାଶୁଣା ଏହି ରାମସାର ହ୍ରଦରେ କେମିତି ବିମାନ ଉଡାଇବା ପାଇଁ ଚିନ୍ତା କରାଗଲା ବୋଲି ପ୍ରଶ୍ନ କରାଯାଇଥିଲା | ଏହାକୁ ନେଇ ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ  ପ୍ରହଲାଦ କୁମାର ସିଂହ  ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ |

ସୂଚନାଯୋଗ୍ୟ ଯେ ଚିଲିକାରେ ହେବାକୁ ଥିବା ଏହି ପ୍ରକଳ୍ପର ଭୟାବହତା ସମ୍ପର୍କରେ ଶ୍ରୀ ସିଂହ ଗତ ଅଗଷ୍ଟ ୨୦ ତାରିଖରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସଙ୍ଗେ ସଙ୍ଗେ ବେସାମରିକ ବିମାନ ଚଳାଚଳ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କେତେକ ବରିଷ୍ଠ  ଅଧିକାରୀ ଶ୍ରୀ ସିଂହଙ୍କ ସହ ମଧ୍ୟ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା  ହେଲେ ଚିଲିକାରେ କ'ଣ ସବୁ ସମସ୍ୟା ଉପୁଜିବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଇତିମଧ୍ୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ  ଚନ୍ଦନ ସିଂହ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏ ସମସ୍ୟା ସମ୍ପର୍କରେ ଅବହିତ କରାଇଥିଲେ । 

ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଶ୍ରୀ ସିଂହଙ୍କ ଅଭିଯୋଗ ପାଇବା ପରେ ବିହୀତ କାର୍ଯ୍ୟାନୁଷ୍ଠାନ ନ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗକୁ କହିଥିଲେ । ଏବେ ବିଭାଗୀୟ ଯୁଗ୍ମ ନିଦେ୍ର୍ଧଶକ ରାଜ୍ୟ ସରକାରଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଶ୍ରୀ ସିଂହ ଚିଲିକା ହ୍ରଦର ସୁରକ୍ଷା ସମ୍ପର୍କରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଓଡ଼ିଶା ସରକାର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ହ୍ରଦ କୂଳରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସମୀକ୍ଷା କରିବା ଆବଶ୍ୟକ । ଏହା ଉପରେ ସମୀକ୍ଷା କରି ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ପଠାଇବା ସହିତ ଶ୍ରୀ ସିଂହଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାଇ ଦେବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ  ଜଣାଇଥିଲେ  । 

ଏଠାରେ ଉଲ୍ଲେଖନୀୟ ଯେ ଚିଲିକାରେ ୱାଟର ଏରୋଡ୍ରମ୍  ସହ  ସି' ପ୍ଲେନ୍ ଚାଲିଲେ ହ୍ରଦର ଜୈବ ବିବିଧତା ନଷ୍ଟ ହେବା ସହିତ ପକ୍ଷୀ, ଡଲ୍ଫିନ୍, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ପର୍ଯ୍ୟଟକ ଏବଂ ସର୍ବୋପରି ଏହି ହ୍ରଦ ଉପରେ ନିର୍ଭରଶୀଳ ୨ ଲକ୍ଷରୁ ଅଧିକ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଶ୍ରୀ ସିଂହ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିମାନ ପାଇଁ ପକ୍ଷୀ ଘାତକ ହୋଇଥିବା ବେଳେ ୧୦ ଲକ୍ଷରୁ ୧୫ ଲକ୍ଷ ଦେଶୀ ଓ ବିଦେଶୀଙ୍କ ପକ୍ଷୀଙ୍କ ଆଶ୍ରୟସ୍ଥଳ ଚିଲିକାରେ ସି'ପ୍ଲେନ୍ କିପରି ଚାଲିବ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ଏହାଛଡ଼ା ଚିଲିକାରେ ପକ୍ଷୀ ଅଭୟାରଣ୍ୟ ରହିଥିବା ଏବଂ ଏହି ହ୍ରଦ ରାମ୍ସାର  ସାଇଟ୍ ଭାବେ ଆନ୍ତର୍ଜାତିକ ମର୍ଯ୍ୟାଦା ଲାଭ କରିଥିବା ପରିପ୍ରେକ୍ଷୀରେ ଉକ୍ତ ହ୍ରଦକୁ ସି'ପ୍ଲେନ୍ ଚଳାଇ ବିପଦ ମୁହଁକୁ ଠେଲି ନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିଲିକା ପରିବର୍ତ୍ତେ ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ କରାଯରାଇପାରେ ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ସିଂହ କହିଥିଲେ । 

ହେଲେ ଶେଷରେ ତାହା ବାତିଲ ହୋଇଛି ଓ ବାଦବିବାଦ -ରାଜନୀତି ଅଂତ ହୋଇଛି |

 

0
0
0
s2sdefault