ହେଡଲାଇନସ୍:

ଚିଲିକାରୁ ଉଡିବନି ସାମୁଦ୍ରିକ ପ୍ଲେନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ଚିଲିକାରେ ୱାଟର ଏରୋଡ୍ରମ୍ ପ୍ରକଳ୍ପ ସମ୍ଭାବନା କ୍ଷୀଣ

ଭୁବନେଶ୍ୱର : ଚିଲିକା ହ୍ରଦରେ ୱାଟର ଏରୋଡ୍ରମ୍ ପ୍ରତିଷ୍ଠା କରି ସି' ପ୍ଲେନ୍ ଚଳାଇବା ପାଇଁ ଚାଲିଥିବା ଉଦ୍ୟମକୁ ଝଟକା ଲାଗିଛି  । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥିବାରୁ ଏହି ପ୍ରକଳ୍ପ ପ୍ରତିଷ୍ଠାର ସମ୍ଭାବନା କ୍ଷୀଣ ହୋଇଛି । 

ଚିଲିକାରେ ହେବାକୁ ଥିବା ଏହି ପ୍ରକଳ୍ପର ଭୟାବହତା ସମ୍ପର୍କରେ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ଗତ ଅଗଷ୍ଟ ୨୦ ତାରିଖରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସଙ୍ଗେ ସଙ୍ଗେ ବେସାମରିକ ବିମାନ ଚଳାଚଳ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କେତେକ ବରିଷ୍ଠ  ଅଧିକାରୀ ଶ୍ରୀ ସିଂହଙ୍କ ସହ ମଧ୍ୟ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା  ହେଲେ ଚିଲିକାରେ କ'ଣ ସବୁ ସମସ୍ୟା ଉପୁଜିବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଇତିମଧ୍ୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ  ଚନ୍ଦନ ସିଂହ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏ ସମସ୍ୟା ସମ୍ପର୍କରେ ଅବହିତ କରାଇଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଶ୍ରୀ ସିଂହଙ୍କ ଅଭିଯୋଗ ପାଇବା ପରେ ବିହୀତ କାର୍ଯ୍ୟାନୁଷ୍ଠାନ ନ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗକୁ କହିଥିଲେ । ଏବେ ବିଭାଗୀୟ ଯୁଗ୍ମ ନିଦେ୍ର୍ଧଶକ ରାଜ୍ୟ ସରକାରଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଶ୍ରୀ ସିଂହ ଚିଲିକା ହ୍ରଦର ସୁରକ୍ଷା ସମ୍ପର୍କରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଓଡ଼ିଶା ସରକାର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ହ୍ରଦ କୂଳରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସମୀକ୍ଷା କରିବା ଆବଶ୍ୟକ । ଏହା ଉପରେ ସମୀକ୍ଷା କରି ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ପଠାଇବା ସହିତ ଶ୍ରୀ ସିଂହଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାଇ ଦେବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ନିଦେ୍ର୍ଧଶକ କହିଛନ୍ତି । 

ଏଠାରେ ଉଲ୍ଲେଖନୀୟ ଯେ ଚିଲିକାରେ ୱାଟର ଏରୋଡ୍ରମ୍  ସହ  ସି' ପ୍ଲେନ୍ ଚାଲିଲେ ହ୍ରଦର ଜୈବ ବିବିଧତା ନଷ୍ଟ ହେବା ସହିତ ପକ୍ଷୀ, ଡଲ୍ଫିନ୍, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ପର୍ଯ୍ୟଟକ ଏବଂ ସର୍ବୋପରି ଏହି ହ୍ରଦ ଉପରେ ନିର୍ଭରଶୀଳ ୨ ଲକ୍ଷରୁ ଅଧିକ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଶ୍ରୀ ସିଂହ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିମାନ ପାଇଁ ପକ୍ଷୀ ଘାତକ ହୋଇଥିବା ବେଳେ ୧୦ ଲକ୍ଷରୁ ୧୫ ଲକ୍ଷ ଦେଶୀ ଓ ବିଦେଶୀଙ୍କ ପକ୍ଷୀଙ୍କ ଆଶ୍ରୟସ୍ଥଳ ଚିଲିକାରେ ସି'ପ୍ଲେନ୍ କିପରି ଚାଲିବ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ଏହାଛଡ଼ା ଚିଲିକାରେ ପକ୍ଷୀ ଅଭୟାରଣ୍ୟ ରହିଥିବା ଏବଂ ଏହି ହ୍ରଦ ରାମ୍ସାର  ସାଇଟ୍ ଭାବେ ଆନ୍ତର୍ଜାତିକ ମର୍ଯ୍ୟାଦା ଲାଭ କରିଥିବା ପରିପ୍ରେକ୍ଷୀରେ ଉକ୍ତ ହ୍ରଦକୁ ସି'ପ୍ଲେନ୍ ଚଳାଇ ବିପଦ ମୁହଁକୁ ଠେଲି ନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିଲିକା ପରିବର୍ତ୍ତେ ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ କରାଯରାଇପାରେ ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ସିଂହ କହିଥିଲେ । 

ଇତିମଧ୍ୟରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କ ପତ୍ର ରାଜ୍ୟ ସରକାର ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଚିଲିକାରେ ଏଭଳି ପ୍ରକଳ୍ପକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିରୋଧ କରିଛନ୍ତି । ବିଜେଡି-ବିଜେପି-କଂଗ୍ରେସ ସମେତ ସବୁ ଦଳର ବହୁ ବିଧାୟକ ମଧ୍ୟ ଚିଲିକାରେ ୱାଟର୍ ଏରୋଡ୍ରମ୍ ପ୍ରସ୍ତାବର ଖୋଲା ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଚିଲିକା ହ୍ରଦର ଯେଉଁସବୁ ପରିବେଶଗତ ସମସ୍ୟା ରହୁଛି ଓ ଏହାର ପାରିପାଶ୍ୱିର୍କ ବିକାଶ ସହିତ ହ୍ରଦକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରିବା  ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରଖି କାମ କରିବାକୁ ଶ୍ରୀ ସିଂହ କହିଛନ୍ତି । ଚିଲିକା ଅଞ୍ଚଳର ବହୁ ସଙ୍ଗଠନ  ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ପ୍ରକଳ୍ପକୁ ବିରୋଧ ଜାରି ରହିଛି । 

0
0
0
s2sdefault