ଓଡିଶା ଓ ଓଡିଆଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି
-
କୋରାପୁଟରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନେଇଯିବାକୁ ଷଡଯନ୍ତ୍ର
-
କେବିକେ ଓ ବିଆରଜିଏଫ୍ ଯୋଜନାକୁ ବନ୍ଦ କରିଛନ୍ତି
-
ଛାତ୍ରବୃତ୍ତି, ପିଏମଏୱାଇ ଓ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଅବହେଳା
ଜୟପୁର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪.୫ କୋଟି ଓଡିଆ ତଥା ଆମ ଓଡିଶାକୁ କିଭଳି ଅପମାନିତ କରୁଛନ୍ତି ତାହା ଆପଣମାନେ ଦେଖିବା ସହିତ ଏହାର ମଧ୍ୟ ସାକ୍ଷୀ ଅଛନ୍ତି । ସେ ନିଜର ସଙ୍କୀର୍ଣ୍ଣ ରାଜନୀତି ପାଇଁ ସୋସିଆଲ ମିଡିଆ ଟୁଇଟର ଏବଂ ବିବୃତ୍ତିବାଜି ଜରିଆରେ ଓଡିଆ ଏବଂ ଓଡ଼ିଶାକୁ ବଦନାମ କରି ଚାଲିଥିବା କହିଛନ୍ତି ବିଜେଡି ମୁଖପାତ୍ର ପ୍ରଦୀପ ମାଝି ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି କହିଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟକୁ ଏଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ସାଟେଲାଇଟ୍ କେନ୍ଦ୍ରକୁ ନେଇଯିବାକୁ ଷଡଯନ୍ତ୍ର କରୁଛନ୍ତି । ସେ ଜୁଲାଇ ୨୦୨୧ ଠାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହୋଇଥିଲେ ମଧ୍ୟ ଜାଣିଶୁଣି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲିଥିବା ପଦବୀ ପୂରଣ କରୁନାହାଁନ୍ତି । ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟରେ ୧୩୮ ଟି ଶିକ୍ଷକ ଏବଂ ୯୧ ଟି ଅଣଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ରାଜ୍ୟସଭାରେ ମନ୍ତ୍ରଣାଳୟର ଅଣତାରକା ପ୍ରଶ୍ନ ନମ୍ବର ୧୬୩୩, ୨୧.୧୨.୨୦୨୨ ରେ ଉତ୍ତର ଏହି ପଦବୀ ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ସେ ବାହାରେ କହୁଛନ୍ତି ଯେ ଏହି ପଦବୀ ପାଇଁ ପର୍ଯ୍ୟାପ୍ତ ପ୍ରାର୍ଥୀ ମିଳୁ ନାହାଁନ୍ତି । ଯଦି ସେ କେବଳ ବିଜ୍ଞାପନ ଦେଇଥାନ୍ତେ, ତେବେ କୋରାପୁଟର ୨୨୯ ଲୋକ ତଥା ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ପରି ପଡୋଶୀ ଜିଲ୍ଲାର ଶିକ୍ଷିତମାନେ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚାକିରି ପାଇଥାନ୍ତେ । କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟ ବାହାରକୁ ନେଇଯିବା । ତେଣୁ ଜାଣିଶୁଣି ସେ ଏହି ପଦବୀ ପୂରଣ କରୁନାହାଁନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବହୁ ପରିଶ୍ରମ କରି ୨୦୦୯ ମସିହାରେ କୋରାପୁଟ ଏବଂ କେବିକେ ଅଞ୍ଚଳର ଲୋକଙ୍କ ସୁବିଧା ତଥା ବିକାଶ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟକୁ ଆଣିଥିଲେ । ସେତେବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ନଥିଲେ କିମ୍ବା ତାଙ୍କ ଦଳ କେନ୍ଦ୍ରରେ କ୍ଷମତାରେ ନଥିଲା । କିନ୍ତୁ ଆଜି ଶ୍ରୀ ପ୍ରଧାନ କୋରାପୁଟରୁ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଉଠାଇ ନେବାକୁ ଷଡଯନ୍ତ୍ର କରୁଛନ୍ତି କାରଣ ସେ କୋରାପୁଟ ଏବଂ କେବିକେ ଲୋକଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି ।
ତାଙ୍କର ଦ୍ୱିତୀୟ ଷଡଯନ୍ତ୍ର ହେଉଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟକୁ କୋରାପୁଟରୁ ଶହ ଶହ କିଲୋମିଟର ଦୂରରେ ନିର୍ମାଣ କରୁଥିବା ସେହି ସାଟେଲାଇଟ୍ କେନ୍ଦ୍ରକୁ ସ୍ଥାନାନ୍ତର କରିବା । ଥରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି କୋରାପୁଟ ବାହାକୁ ଚାଲିଗଲେ, ପରେ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ଏଠାରୁ ସ୍ଥାନାନ୍ତର ହୋଇଯିବ, କୋରାପୁଟର ଲୋକେ ଏକମାତ୍ର ଜାତୀୟ ପ୍ରତିଷ୍ଠାନରୁ ବଞ୍ଚିତ ହେବେ । ଏହା ହେଉଛି ଷଡଯନ୍ତ୍ର ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏଠାକୁ ଆସିବାର ଏହା ହେଉଛି ଅନ୍ୟତମ କାରଣ ।
ଶ୍ରୀ ମାଝି କହିଛନ୍ତି ଯେ ଶ୍ରୀ ପ୍ରଧାନ କୋରାପୁଟର ଲୋକଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ତାଙ୍କର ଏହି ଗସ୍ତ କେବଳ କୋରାପୁଟର ଲୋକଙ୍କଠାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନେଇଯିବାର ଷଡଯନ୍ତ୍ରର ମୂଳଦୁଆ ପକାଇବା । ୨୦୨୪ ର ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଏବଂ କୋରାପୁଟର ଲୋକଙ୍କୁ ଅଧିକ ପ୍ରତାରଣା କରିବା ପାଇଁ ତାଙ୍କର ଏହି ଗସ୍ତ ଆରମ୍ଭ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବହୁ ବର୍ଷର ସଂଘର୍ଷ ଏବଂ ଉଦ୍ୟମ ସତ୍ତେ୍ୱ ଝୋଡିଆ, ଧୁରୁବା ଏବଂ ଡୋରା ସମ୍ପ୍ରଦାୟକୁ ଓଡିଶାର ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ କାହିଁକି ଗୋଟିଏ ହେଲେ ଶବ୍ଦ କହିନାହାଁନ୍ତି ? କାରଣ ସେ ଆମ ଆଦିବାସୀ ସମ୍ପ୍ରଦାୟ ବିଷୟରେ ଚିନ୍ତା କରନ୍ତି ନାହିଁ, କୋରାପୁଟରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ । ଅନ୍ୟପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଓଡିଶାର ଏସ୍ଟି ତାଲିକାରେ ଏମାନଙ୍କୁ ଅନ୍ତର୍ଭୁକ୍ତ ହେବା ପାଇଁ ବାରମ୍ବାର ଦାବି କରିଆସୁଛନ୍ତି ।
କୋଟିଆ ଲୋକଙ୍କ ପାଇଁ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଲଢେଇ କରୁଥିବାବେଳେ ସେ କେଉଁଠାରେ ଥିଲେ? ଯେତେବେଳେ ସୁପ୍ରିମକୋର୍ଟରେ ଓଡିଶା କୋଟିଆ ପାଇଁ ଲଢୁଥିଲା ସେତେବେଳେ ପ୍ରଧାନ କାହିଁକି ଚୁପ୍ ରହିଥିଲେ? ସେ କାହିଁକି ଜଣେ କେନ୍ଦ୍ରୀୟ ମନ୍ତ୍ରୀ ହୋଇ ମୁହଁ ଖୋଲନ୍ତି ନାହିଁ ଏବଂ କେନ୍ଦ୍ରକୁ ଏଥିରେ ହସ୍ତକ୍ଷେପ କରିବାକୁ କୁହନ୍ତି ନାହିଁ? ଆଜି କୋଟିଆକୁ ଆସି ସେ କେବଳ ମିଥ୍ୟା ପ୍ରତିଶୃତି ଏବଂ ମିଥ୍ୟା ସହାନୁଭୂତି ସହ କୋଟିଆର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡିଶା ସରକାର କୋରାପୁଟର ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତକୁ ଏହାର ବାସିନ୍ଦାଙ୍କ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ସହିତ ବିକାଶର ନୂତନ ଉଚ୍ଚତାକୁ ନେଇଛନ୍ତି । ଜାନିଗୁଡା ଠାରେ ଥିବା ଷ୍ଟ୍ରବେରୀ ଫାର୍ମ ଠାରୁ ଆରମ୍ଭ କରି ପଞ୍ଚାୟତର କୁହୁଦୀପଦର ପନିପରିବା ଚାଷ, ଜାନିଗୁଡାରେ ଷ୍ଟ୍ରବେରି ଚାଷ ଏହି ଅଞ୍ଚଳରେ ମାତ୍ର ଦୁଇ ଏକରରୁ ୨୫ ଏକର ଜମିକୁ ବୃଦ୍ଧି କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଝାଡୁ ଉତ୍ପାଦନ ବୃଦ୍ଧି ସହିତ ପଞ୍ଚାୟତର ବିକାଶ ନିଶ୍ଚିତ କରିବାକୁ ଓଡିଶା ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି । ପଞ୍ଚାୟତରେ ସୌର ଚାଳିତ ଶୀତଳ ଭଣ୍ଡାର ଠାରୁ ଆରମ୍ଭ କରି ମାଡକରପୋଲରେ ଏକ ଗେଷ୍ଟହାଉସ୍ ନିର୍ମାଣ ଏବଂ କୁରୁଡି ପଦରରେ ମହୁମାଛି ଚାଷ ପର୍ଯ୍ୟନ୍ତ ବିଜେଡି ସରକାର କୋଟିଆ ଏବଂ ଏହାର ଲୋକଙ୍କ ବିକାଶ କରୁଛି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ କେନ୍ଦ୍ର ସରକାର କୋଟିଆର ବିକାଶ ପାଇଁ ଗୋଟିଏ ଟଙ୍କା ବି ଦେଇ ନାହାନ୍ତି ।
ଆଜି ଶ୍ରୀ ପ୍ରଧାନ କୋଟିଆ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବାକୁ ଆସିଛନ୍ତି । ସେମାନେ ତାଙ୍କୁ ଏବଂ ତାଙ୍କ କେନ୍ଦ୍ର ସରକାରଙ୍କୁ ଭଲଭାବେ ଜାଣିଛନ୍ତି ଏବଂ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ଏବଂ ନାଟକବାଜି ପରିଦର୍ଶନ ଦ୍ୱାରା ଭ୍ରମିତ ହେବେ ନାହିଁ । ଯେହେତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋରାପୁଟରେ ଅଛନ୍ତି, ଆମେ ତାଙ୍କୁ ପଚାରିବାକୁ ଚାହୁଁଛୁ ଯେ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳ ଲାଇନ କାର୍ଯ୍ୟ ତାଙ୍କ ଦଳ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର କାହିଁକି ହାତକୁ ନେଉନାହିଁ? ଓଡିଶା ସରକାର ମାଗଣା ଜମି ଯୋଗାଇବା ଏବଂ ଏହି ଦୁଇଟି ରେଳ ଲାଇନର ମୂଲ୍ୟର ୫୦% ବହନ କରିବା ସତ୍ୱେ ଶ୍ରୀ ପ୍ରଧାନ ଏବଂ କେନ୍ଦ୍ର ସରକାର ଏହି ରେଳ ଲାଇନଗୁଡିକର ଉପଯୁକ୍ତ ଦାବିରୁ କୋରାପୁଟର ଲୋକଙ୍କୁ କାହିଁକି ବଞ୍ଚିତ କରୁଛନ୍ତି ?
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳର ଓଡିଶା ସାଂସଦମାନେ ଷଡଯନ୍ତ୍ର କରି କୋରାପୁଟ ଏବଂ କେବିକେ ଅଞ୍ଚଳର ଆଦିବାସୀମାନଙ୍କ ପାଇଁ ୬ ଲକ୍ଷ ପିଏମଏୱାଇ ଘର ବନ୍ଦ କରିଛନ୍ତି? ଶ୍ରୀ ପ୍ରଧାନଙ୍କ ଦଳ ନେତୃତ୍ୱାଧୀନ କେନ୍ଦ୍ର ସରକାର କୋରପୁଟର ଗରିବ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା କେବିକେ ଯୋଜନା ଏବଂ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠିକୁ କାହିଁକି ବନ୍ଦ କରିଦେଇଛନ୍ତି? ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ବିଜୁ କେବିକେ ଯୋଜନା ଏବଂ ସ୍ୱତନ୍ତ୍ର ବିକାଶ ପରିଷଦ (ଏସଡିସି) ଜରିଆରେ କୋରାପୁଟର ଲୋକଙ୍କୁ ବିକାଶ ଯୋଗାଇ ଦିଆଯାଇପାରୁଛି । ଶ୍ରୀ ପ୍ରଧାନଙ୍କ ଦଳ କୋରାପୁଟର ଗରିବ ଆଦିବାସୀ ଲୋକଙ୍କ ପାଇଁ ବିକାଶର ସମସ୍ତ ବାଟ ବନ୍ଦ କରିଦେଇଥିଲା ।
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ଶିକ୍ଷାମନ୍ତ୍ରୀ ଭାବେ କୋରାପୁଟର ଆଦିବାସୀ ପିଲାମାନଙ୍କୁ ଛାତ୍ରବୃତ୍ତି ଯୋଗାଇବାରେ କାହିଁକି ବିଫଳ ହୋଇଛନ୍ତି ତାହାର ଉତ୍ତର ସେ ଦେବା ଉଚିତ୍ । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା କୋରାପୁଟର ଗରିବ ଆଦିବାସୀ ପିଲାମାନଙ୍କ ପ୍ରତି ଏପରି ଅବହେଳା କାହିଁକି? ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ୫ ଲକ୍ଷରୁ ଅଧିକ ଆଦିବାସୀ ବାଳିକା ଆଦିବାସୀ ହଷ୍ଟେଲରେ ରହିଛନ୍ତି ଏବଂ ହକି ଓ ଆଥଲେଟିକ୍ସ ଭଳି ଶିକ୍ଷା ତଥା କ୍ରୀଡା ମାଧ୍ୟମରେ ସେମାନଙ୍କ ଜୀବନ ବିକାଶ ହେଉଛି ବୋଲି ଶ୍ରୀ ମାଝି କହିଛନ୍ତି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୯ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ରହିଆସିଛନ୍ତି । କିନ୍ତୁ କୋରାପୁଟ ଏବଂ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ମୋବାଇଲ୍ ନେଟୱାର୍କ ସଂଯୋଗ କାହିଁକି ଖରାପ ଅଛି ସେ ଆଜି ମଧ୍ୟ ତାହାର ଉତ୍ତର ଦେଇ ପାରିବେ ନାହିଁ? ନେଟୱାର୍କ ପାଇବା ପାଇଁ ଲୋକଙ୍କୁ ଗଛ ଏବଂ ପାହାଡ ଚଢିବାକୁ ପଡୁଛି । ଲୋକଙ୍କ ପାଇଁ କାମ କରିବା ପରିବର୍ତ୍ତେ ଶ୍ରୀ ପ୍ରଧାନ ଆଜି କୋରାପୁଟରେ କୁମ୍ଭୀର କାନ୍ଦଣା କାନ୍ଦିବେ ଏବଂ ଦିଲ୍ଲୀ ଫେରିଯିବେ ।
ଆମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରୁଛୁ ଯେ ସେଠାରେ ଥିବା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ପାଇଁ କୋରାପୁଟ ଏବଂ କୋଟିଆରେ ସମୟ ନଷ୍ଟ ନକରନ୍ତୁ । କୋଟିଆର ଲୋକମାନେ ଜାଣନ୍ତି ଯେ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯିଏ ସୁପ୍ରିମକୋର୍ଟରୁ ତାଙ୍କ ଗାଁ ପର୍ଯ୍ୟନ୍ତ ସେମାନଙ୍କ ଅଧିକାର ଓ ବିକାଶ ପାଇଁ ସଂଗ୍ରାମ କରୁଛନ୍ତି । କୋରାପୁଟର ଲୋକମାନେ ଜାଣନ୍ତି ଯେ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯିଏ କି ବିଜୁ କେବିକେ ଯୋଜନା ଏବଂ କୋରାପୁଟ ସ୍ୱତନ୍ତ୍ର ବିକାଶ ପରିଷଦ ମାଧ୍ୟମରେ ସେମାନଙ୍କ ଅଞ୍ଚଳର ବିକାଶ କରୁଛନ୍ତି ।
ସେ ନିଜର କୁମ୍ଭୀର କାନ୍ଦଣା ବନ୍ଦ କରିବା ଉଚିତ ଏବଂ କୋରାପୁଟବାସୀଙ୍କୁ ଉତ୍ତର ଦେବା ଜରୁରୀ ଯେ ସେ ଏବଂ ତାଙ୍କ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋଟିଆ, ପିଏମଏୱାଇ ଘର, ରେଳ ଲାଇନ, ମୋବାଇଲ୍ ସଂଯୋଗ, ଆଦିବାସୀ ଛାତ୍ରବୃତ୍ତି କ୍ଷେତ୍ରରେ ଅବହେଳା କରିବା ସହିତ କୋରାପୁଟବାସୀଙ୍କ ପାଇଁ ଥିବା କେବିକେ ଯୋଜନା ଓ ବିଆରଜିଏଫ୍ ଯୋଜନାକୁ କାହିଁକି ବନ୍ଦ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମାଝୀ କହିଛନ୍ତି ।








