ହେଡଲାଇନସ୍:

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଖରିଫ ୨୦୨୩ ପାଇଁ ସହାୟତା

  • ୪୩ ଲକ୍ଷରୁ ଅଧିକ ଚାଷୀ ଙ୍କ ବ୍ଯାଙ୍କ ଖାତାରେ ୮୭୭ କୋଟି ଟଙ୍କା ର କାଳିଆ ସହାୟତା

  • ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି।

ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷ ରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ଯାଙ୍କ ଖାତା କୁ ଦିଆଯାଇଛି। ଏହି ଅବସରରେ ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଙ୍କ କଲ୍ଯାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ। ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଥିଲେ।

ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ପୁଷ୍ଟି ଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀ ମାନଙ୍କୁ ଫସଲ ବିବିଧ କରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ କାଳିଆ ଯୋଜନା ଚାଷୀ ମାନଙ୍କୁ ଆତ୍ମ ନିର୍ଭର କରିଛି। ଚାଷ ପାଇଁ ଧାର ଉଧାର ରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି।

ଏହି ଅବସରରେ କେତେକ ଚାଷୀ -- ମାଲକାନଗିରିର ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖି ଏହାଦ୍ବାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦେଇଥିଲେ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ର କାଳିଆ ବୃତ୍ତି ଲାଭ କରିଥିବା କିରଣ କୁମାର ସାହୁ କିପରି ଏହି ସହାୟତା ଦ୍ଵାରା ସେ ଆଜି ବ୍ରହ୍ମପୁର MKCG Medical College ରେ ଡ଼ାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥଲେ।

ଏହି କାର୍ଯ୍ୟକ୍ରମ ରେ କାଳିଆ ଯୋଜନାର ଉପଦେଷ୍ଟା ମାନେ ,ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault