ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ମହାବିଦ୍ୟାଳୟ ତଥା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧାରୀ ଗମାଙ୍ଗ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଂପୃକ୍ତ ଏହି ମହାବିଦ୍ୟାଳୟର ସୁନାମ ଓ ସେମାନେ ପାଠ ପଢିଥିବା ସମୟର ଶୃଙ୍ଖଳିତ ଓ ଉପାଦେୟ ଅନୁଭୂତି କହଥିଲେ।
ମୁଖ୍ୟବକ୍ତା ଭାବେ ପୁରାତନ ଛାତ୍ର ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼. ଜୟନ୍ତ ମହାପାତ୍ର ଯୋଗ ଦେଇ ପୁରାତନ ଛାତ୍ର ସଂସଦର କର୍ତ୍ତବ୍ୟ ହେଉଛି ସଂପୃକ୍ତ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ପଦକ୍ଷେପ ନେବା। ମହାବିଦ୍ୟାଳୟ ଆମର ଓ ଏହି ଅନୁଷ୍ଠାନଟି ଆମର । ଆମେ ଯଦି ଶୃଙ୍ଖଳିତ ରକ୍ଷା କରି ଭଲ ପାଠ ପଢିବା , ତା ହେଲେ ଆମପାଇଁ କଲେଜ ଗର୍ବାନ୍ଵିତ ହେବା ସହ ଆମ ଭବିଷ୍ୟତ ମଧ୍ୟ ଉଜ୍ଜଳମୟ ହେବ।
ଅନ୍ୟ ପକ୍ଷରେ ଏହି ମହାବିଦ୍ୟାଳୟର ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ଜିଲ୍ଲାବାସୀ ତଥା ସବୁ ସ୍ତରର ବ୍ୟକ୍ତି ବିଶେଷ ଏକଜୁଟ ହୋଇ ଉଦ୍ୟମ ଜାରୀ ରଖିଲେ ସୁଫଳ ନିଶ୍ଚିତ ଭାବେ ମିଳିବ ବୋଲି କହିଥିଲେ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ କଲେଜର ବିକାଶ ଓ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ନିଆ ଯାଇଥିବା ପ୍ରାଶାସନିକ ପଦକ୍ଷେପ ଉପରେ କହିଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଅଜୟ କୁମାର ତ୍ରିପାଠୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁଙ୍କୁ ପୁରାତନ ଛାତ୍ର ସଂସଦ ଓ ମହାବିଦ୍ୟାଳୟର ଛାତ୍ର ସମାଜ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।
ଏହି ବୈଠକ କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ଡ. ଶଙ୍କର ପ୍ରସାଦ ବକ୍ସି ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ ସ୍ଵାଗତ ସମ୍ଭାଷଣ , ଶ୍ରୀ ନାସିର ବେଗ ଅତିଥି ମାନଙ୍କ ପରିଚୟ ପ୍ରଦାନ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଦିବଂଗତ ପୁରାତନ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଆଦର୍ଶ ଦାସ ଓ ବସନ୍ତ ପଣ୍ଡା ପରିଚାଳନା କରିଥିବା ବେଳେ ଶ୍ରୀ ହରି ମୋହନ ପଟ୍ଟନାୟକ , ସନ୍ତୋଷିନୀ ପାଢ଼ୀ , ଝୁଲା ଦାସ , ନିହାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଶତାୟୁ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
- Hits: 331