ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେଇ ଭଞ୍ଜନଗର ଅଭିମୁଖେ ଯାଇଥିବା ୨୧ ରାଜ୍ୟ ରାଜପଥର ଓଡ଼ଗାଁ ଠାରେ ଥିବା ନୟାଗଡ଼ ଜିଲ୍ଲା ପଲ୍ଲୀଟେକନିକ ଶିକ୍ଷାନୁଷ୍ଠାନର ବାମପାର୍ଶ୍ବରୁ ଆରମ୍ଭ ହୋଇ ଦଲକ ଛକ ପର୍ଯ୍ୟନ୍ତ ଲମ୍ବି ରହିଥିବା ଗୟଳସିଂହ ଏବଂ ଭାଲୁ ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲର କବଲତ ଯାଗାକୁ ଲାଗିରହିଥିବା ତଳିଅଞ୍ଚଳ ଜବରଦଖଲ କାରିମାନଙ୍କ କବ୍ଜାରେ ରହୁଥିବା ଦେଖାଯାଇଛି । ଏହି ତଳିଅଞ୍ଚଳ ମାନଙ୍କରେ ମୂଲ୍ୟବାନ ବଉଳମାଳା ପଥର ଭରପୁର ମାତ୍ରାରେ ଦେଖାଯାଉଛି । ବହୁ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ପ୍ରତିଷ୍ଠିତ ଅନେକ ଦେବାଦେବୀ ମନ୍ଦିର ମାନଙ୍କରେ ପ୍ରସ୍ତର ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି ବଉଳମାଳା ପଥରରେ ନିର୍ମିତ ହୋଇଥିବା ବହୁ ପ୍ରମାଣ ରହିଛି । ଏଥିସହିତ କଂସା ପିତଳ ଆଦି ଧାତବ ବାସନକୁସନ ପୂର୍ବରୁ ଏହି ପଥରରେ ଅନେକ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ନିର୍ମାଣ କରାଯାଉଥିଲା । ଓଡ଼ଗାଁ ଏବଂ ମଶାବାରୀ ଇତ୍ୟାଦି ଗ୍ରାମ ମାନଙ୍କରେ ଏହି ପଥର କାରିଗରମାନେ ରହିଆସୁଥିବା ବେଳେ ବର୍ତ୍ତମାନ ମଧ୍ୟ ସେମାନଙ୍କ ବଉଳାମାଳା ପଥରର ବିଭିନ୍ନ କାର୍ଯ୍ୟ ଚାଲୁରଖିଥିବା ଦେଖିବାକୁ ମିଳୁଛି । ତେବେ ଗୟଳସିଂହ ଓ ଭାଲୁ ମୁଣ୍ଡିଆକୁ କେତେକ ନ୍ବେସ୍ତସ୍ବାର୍ଥ ବ୍ୟକ୍ତି ଜବରଦଖଲ ଭାବେ ନିଜ କବ୍ଜଜାକୁ ଆଣି ପ୍ରଚୁର ପରିମାଣରେ ଗଛିତ ଥିବା ବଉଳମାଳା ପଥରକୁ ଧୀରେ ଧୀରେ ନିଜ ଅକ୍ତିଆରକୁ ନେବାରେ ଲାଗିପଡିଛନ୍ତି ।
ଏନେଇ ଜିଲ୍ଲା କିମ୍ବା ତହସିଲ ପ୍ରଶାସନର ତତ୍ପରତା ନଥିବା ଫଳରେ ଏହା ସେମାନଙ୍କ ପାଇଁ ଅଧିକ ସହଜ ସାଧ୍ୟ ହୋଇପାରିଛି । ସମସ୍ତ ଅଂଚଳ ଓଡ଼ଗାଁ ଏନ୍ଏସି ଅନ୍ତର୍ଭୁକ୍ତ ହୋଇଥିବାରୁ ପ୍ରଶାସନିକ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାର ନିତାନ୍ତ ଆବଶ୍ୟକତା ରହିଛି । ଅନ୍ୟଥା ଦିନେ କୋମଣ୍ଡ, ଭଗବତୀ ପ୍ରସାଦ, ଜାରିଙ୍ଗି ମାଙ୍କଡ଼ା ଖଣିପରି ଏଠାରୁ ବେଆଇନ ଭାବେ ଚୋରାଲୁଚାରେ କେତବେଳେ ବଉଳମାଳା ପଥର ଚାଲାଣ ନହେବ କିଏ କହିପାରିବ । ଏଣୁ ସମୟକୁ ଅପେକ୍ଷା ନକରି ଆଗୁଆ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଗଲେ ଏହାକୁ ସହଜରେ ଏଡାଇଦେଇ ହେବ । ଅନ୍ୟପକ୍ଷରେ ଏହିପାହାଡର ବିଶେଷତା ହେଲା ଚତୁଃପାର୍ଶ୍ଵରେ ବଉଳମାଳା, ଚୂନପଥର, ମୁଗୁନି ଓ ମାଙ୍କଡ଼ା ପରି ୪ ପ୍ରକାର ଖଣିଜ ପଥର ଦେଖିବାକୁ ମିଳିଥାଏ ।
ସୂଚନା ଥାଉକି ଓଡ଼ଗାଁ ମନ୍ଦିର ରୋଡ଼ ଟ୍ରାଫିକ ଛକରେ ପୂଜାପାଉଥିବା ହନୁମାନଙ୍କ ମୂର୍ତ୍ତିଙ୍କୁ ଏହି ପାହାଡ଼ ସଂଗ୍ରହ ପଥରରେ ନିର୍ମାଣ କରାଯାଇଛି । ଏଥିସହିତ ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପ୍ରତିମା ନିମ୍ବ ଦାରୁରେ ନିର୍ମିତ ହୋଇଥିବା ବେଳେ ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ବଉଳମାଳା ପଥର ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥାଏ ।








