ଅଧା ରାତିରେ ଅସହାୟଙ୍କ ପାଖରେ ପହଞ୍ଚି ସମ୍ମାନଜନକ ଭାବେ ସମ୍ପନ୍ନ କଲା ଶେଷକୃତ୍ୟ ।
ଭୁବନେଶ୍ୱର : ଅନେକଙ୍କ ପାଇଁ ଭରସାଏ ଅନ୍ୟ ନାଁ ପାଲଟି ଯାଇଛି ଓଡିଶା ମୋ ପରିବାର | ରାଜ୍ୟରେ ହେଉ ବା ପ୍ରବାସରେ, ଦିନରେ ହେଉ ରାତି ଅଧାରେ ଚିକିତ୍ସା ପାଇଁ ହେଉ କି ଶବସତ୍କାର ହେଉ, ଅସହାୟ ଲୋକଙ୍କ ପାଇଁ ଭରସାର ଆଶାବାଡ଼ି ପାଲଟିଛି ଓଡିଶା ମୋ ପରିବାର | ଆପଣା ଲୋକକୁ ଅସୁବିଧାରେ ପଡି ଖୋଜିଲା ଭଳି ଓଡିଶା ମୋ ପରିବାରକୁ ଖୋଜୁଛନ୍ତି ଲୋକେ | ମିଶନ ମୋଡ଼ରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲାଗିପଡିଛନ୍ତି ମୋ ପରିବାରର ସଦସ୍ୟ ମାନେ | ଏବେ ସେମିତି ଏକ ଘଟଣା ଘଟିଛି | ଅସହାୟ ପରିବାରଙ୍କ ଠାରୁ ସାହାଯ୍ୟ ପାଇଁ ଡାକରା ପାଇ ମଧ୍ୟରାତ୍ରରେ ଅସହାୟଙ୍କ ପାଖରେ ପହଞ୍ଚିଲା ଓଡ଼ିଶା-ମୋ ପରିବାର | ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ସମ୍ମାନଜନକ ଭାବେ ଶେଷକୃତ୍ୟ ସମ୍ପନ୍ନ କଲେ ଓଡିଶା ମୋ ପରିବାର କର୍ମକର୍ତ୍ତା । ସୂଚନାନୁସାରେ, ଭୁବନେଶ୍ୱର ସହର ୱାର୍ଡ ନଂ ୧୩, ସିଅନ ଶ୍ରମିକ ବିଜୁ ଆଦର୍ଶ କଲୋନିର ୭୭ବର୍ଷିୟ ବାସିନ୍ଦା ଦ୍ଵିଜବର ସାହୁ ଗତ ୭ମାସ ପୂର୍ବେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଏକ ଛୋଟ ବାସନ ଦୋକାନ ଏବଂ ପରିବା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସ୍ଵଭାବରେ ସେ ଅତ୍ୟନ୍ତ ଦୟାଳୁ,ସାହାଯ୍ୟକାରୀ ଏବଂ ଆକର୍ଷଣୀୟ ବ୍ୟକ୍ତି ଥିଲେ ଯେଉଁଥିପାଇଁ ସିଅନ ଶ୍ରମିକ ବିଜୁ ଆଦର୍ଶ କଲୋନୀର ସମସ୍ତ ବାସିନ୍ଦା ତାଙ୍କୁ ଭଲ ପାଉଥିଲେ। ଦୁର୍ଭାଗ୍ୟବଶତଃ, ଗତ ମାର୍ଚ୍ଚ ୧୨ତାରିଖ ରାତିରେ ହଠାତ୍ ତାଙ୍କର ଦେହାନ୍ତ ହୋଇଗଲା । ପରିବାରବର୍ଗ ଏତେ ଶୀଘ୍ର ଦ୍ଵିଜବରଙ୍କୁ ହରାଇଦେବେ ବୋଲି କେବେ କଳ୍ପନା କରିନଥିଲେ । ତାଙ୍କର ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡ଼ିଥିଲେ ଏବଂ ଶେଷ ରୀତିନୀତି କିପରି କରିବେ ସେ ବିଷୟରେ ଭାବି ହତାଶ ଅନୁଭବ କରିଥିଲେ । ଘଟଣା ସମ୍ପର୍କରେ ୱାର୍ଡ ନମ୍ବର ୧୩ କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ ଜାଣିବା ପରେ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡିଶା-ମୋ ପରିବାର)ଙ୍କ ସହ ଯୋଗାଯୋଗ କରିଥିଲେ। ଏହା ଜାଣିବା ପରେ, ଶ୍ରୀ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଦ୍ଵିଜବରଙ୍କର ଶବକୁ ସତ୍ୟନଗର ଶ୍ମଶାନକୁ ନେଇଥିଲେ ଏବଂ ସସମ୍ମାନେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ସାମନ୍ତରାୟ ସାନ୍ତ୍ଵନା ଦେଇଥିଲେ । ଏହି ସମୟରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।











