ହେଡଲାଇନସ୍:

ନୟାଗଡ଼ ଟାଉନ ଷ୍ଟେସନରେ ଅବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶୌଚାଳୟ ଏବଂ ପିଇବା ପାଣି ପାଇଁ ଯାତ୍ରୀ ଡହଳ ବିକଳ

ନୟାଗଡ଼,୧୩/୩(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଟାଉନ ରେଳ ଷ୍ଟେସନ ୨୦୧୭ ମସିହା ଜୁନ ୧୯ ତାରିଖରୁ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ଆନୁସଙ୍ଗିକ ବ୍ୟବସ୍ଥା ଏଠାରେ ନାହିଁ। ବର୍ତ୍ତମାନ ରୌଦ୍ର ତାପ ବୃଦ୍ଧି ପାଉଥିବା ବେଳେ ଯାତ୍ରୀ ମାନଙ୍କ ପାଇଁ ପିଇବା ପାଣିର ବିଶେଷ ବ୍ୟବସ୍ଥା ନାହିଁ । ପିଇବା ପାଣି ପାଇଁ ଦୁଇଟି ପାଣିପୋଷ୍ଟ ଥିବା ବେଳେ ଗୋଟିଏ ପୋଷ୍ଟ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି। ଏଥିରେ ଲାଗିଥିବା ତିନୋଟି ଯାକ ଟ୍ୟାପ ଭାଙ୍ଗି ଯାଇଥିବା ବେଳେ ଏଥିରୁ ପାଣି ବାହାରୁ ନାହିଁ। ଅନ୍ୟ ପୋଷ୍ଟରେ ନିୟମିତ ପାଣି ଆସୁନାହିଁ। ଅନ୍ୟପକ୍ଷରେ ନୟାଗଡ଼ ଅଞ୍ଚଳରେ ପିଇବାପାଣିରେ ଫ୍ଲୋରାଇଡ଼ର ମାତ୍ରା ଅଧିକ ରହୁଥିବା ବେଳେ ଏହା ପାନୀୟ ଉପଯୋଗୀ ନୁହେଁ। ତେଣୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଏକ ଆକ୍ୱାଗାର୍ଡର ଆବଶ୍ୟକତା ରହିଛି। ବାରମ୍ବାର ଦାବି ସତ୍ୱେ ବିଭାଗ ପକ୍ଷରୁ ଅକ୍ୱାଗାର୍ଡ ଲଗାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ନୟାଗଡ଼ ଟାଉନ ଷ୍ଟେସନରୁ ସକାଳେ ପୁରୀ ଏବଂ ଭୁବନେଶ୍ୱରକୁ ଦୁଇଟି ଟ୍ରେନ, ମଧ୍ୟାହ୍ନ ଏବଂ ଅପରାହ୍ନରେ ନୂଆଗାଁ ରୋଡ଼ ଏବଂ ଭୁବନେଶ୍ୱର ମଧ୍ୟରେ ଦୁଇଟି ଟ୍ରେନ ଚଳାଚଳ କରିଥାଏ।

ତେବେ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟ କିମ୍ବା ବିଶ୍ରାମଗାରର ବ୍ୟବସ୍ଥା କରାଯାଉ ନାହିଁ । ପୁରୁଷ ଯାତ୍ରୀମାନେ ଷ୍ଟେସନ ମଧ୍ୟରେ ବିଭିନ୍ନ ସ୍ଥାନରେ ପରିସ୍ରା କରୁଥିବା ବେଳେ ମହିଳା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଷ୍ଟେସନ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହେବାର ୫ବର୍ଷରୁ ଅଧିକ ସମୟ ବିତିଯାଇ ଥିବାବେଳେ ଏଠାରେ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ସେହିପରି ମୁଖ୍ୟ ରାସ୍ତାରୁ ଷ୍ଟେସନକୁ ଆସିଥିବା ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ବାରମ୍ବାର ଦାବି ସତ୍ୱେ ମରାମତି କରାଯାଉ ନାହିଁ। ନୟାଗଡ଼ ଟାଉନ ରେଳ ଷ୍ଟେସନ ପ୍ରତି ବିଭାଗର ଏପରି ବୈମାତୃକ ମନୋଭାବ ପାଇଁ ନୟାଗଡ଼ ନାଗରିକ ମଞ୍ଚ ସମେତ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

0
0
0
s2sdefault