ନୟାଗଡ଼ ଜିଲ୍ଲା ଦୌରାଜଜଙ୍କ ଦ୍ୱାରା ପ୍ରତ୍ୟେକଙ୍କୁ ୭ ବର୍ଷ ଜେଲ ଏବଂ ୨୪ ହଜାର ଟଙ୍କା ଜରିମାନା ଆଦେଶ
ନୟାଗଡ଼ (ବିଶ୍ଵଜିତ ନାୟକ) - ଅଧିକ ଯୌତୁକ ଲୋଭରେ ନବବଧୁକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କୁ ଶୁକ୍ରବାର ନୟାଗଡ଼ ଜିଲ୍ଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ପ୍ରତ୍ୟେକଙ୍କୁ ୭ ବର୍ଷ ଜେଲ ଏବଂ ୨୪ ହଜାର ଟଙ୍କା ଜରିମାନାର ରାୟ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ଆହୁରି ଅଧିକ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଇଟାମାଟି ଥାନା ନାଗପୁର ଗ୍ରାମର ଅଶୋକ କୁମାର ସାହୁଙ୍କ କନ୍ୟା ସସ୍ମିତା କୁମାରୀ ଗତ ୨୦୨୦ ମାର୍ଚ୍ଚ ୩ ତାରିଖରେ ରଣପୁର ଥାନା ରଙ୍କଦେଉଳୀ ଗ୍ରାମର ଗୋଲକ ବିହାରୀ ସାହୁଙ୍କ ପୁତ୍ର ଦୀପକଙ୍କୁ ବିବାହ କରିଥବଲେ । ବିବାହ ସମୟରେ ବର ପକ୍ଷର ଦାବି ଅନୁଯାୟୀ ଯୌତୁକ ବାବଦରେ ଅଶୋକ ନଗଦ ୮୦ ହଜାର ଟଙ୍କା ସହିତ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ । ବିବାହର ଏକମାସ ଦାମ୍ପତ୍ୟ ଜୀବନ ଭଲରେ କଟିଥିଲା ବେଳେ ପରବର୍ତ୍ତୀ ସମୟରେ ବାପଘରୁ ଆହୁରି ୩ ଲକ୍ଷ ଟଙ୍କା ଯୌତୁକ ବାବଦରେ ଆଣିବା ପାଇଁ ସସ୍ମିତା ଉପରେ ଶ୍ୱଶୁର ଗୋଲକ ଏବଂ ଶାଶୁ ବିଳାସିନୀ ଚାପ ପକାଇ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ଏ ସମ୍ପର୍କରେ ସସ୍ମିତା ବାପ ଘରକୁ ଜଣାଇଥିଲେ । ତାଙ୍କ ପିତା ଅଶୋକ ସସ୍ମିତାଙ୍କ ଶାଶୁ ଘରକୁ ଆସି ଶାଶୁ, ଶ୍ୱଶୁରଙ୍କୁ ବୁଝାବୁଝି କରିବା ସହିତ ୩ ଲକ୍ଷ ଟଙ୍କା ଯୋଗାଡ଼ କରୁଛି ବୋଲି କହିଥିଲେ । ଏହା ସତ୍ୱେ ସସ୍ମିତାଙ୍କ ଉପରେ ଅତ୍ୟାଚାର କମିନଥିଲା । ବେଳକୁ ବେଳ ଅତ୍ୟାଚାର ବଢ଼ି ଚାଲିଥିଲା । ସସ୍ମିତା ପୁଣି ତା ବାପାକୁ ଘରକୁ ସବୁ ବିଷୟ ଜଣାଇଥିଲେ । ସସ୍ମିତା ଫୋନ କରିବାର କିଛି ସମୟ ପରେ ସ୍ୱାମୀ ଦୀପକ ଶଶୁରଙ୍କୁ ଫୋନ କରି ଜଣାଇଥିଲା ଯେ, ସସ୍ମିତା ମରିଯାଇଛି । ଏହି ଖବର ପାଇ ସସ୍ମିତାର ପିତା ଅଶୋକ ରଙ୍କଦେଉଳି ଗ୍ରାମରେ ପହଞ୍ଚିଥିଲେ । ତାଙ୍କ ଝିଅକୁ ଯୌତୁକ ଲୋଭରେ ତାର ସ୍ୱାମୀ, ଶ୍ୱଶୁର, ଶାଶୁ ହତ୍ୟା କରିଛନ୍ତି ବୋଲି ଅଶୋକ ରଣପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ଅଦାଲତକୁ ଚାର୍ଜସିଟ ପଠାଇଥିଲା । ଏହି ମାମଲାରେ ସାକ୍ଷୀଙ୍କ ଜମାନବନ୍ଦୀ, ଡାକ୍ତରୀ ଓ ପୁଲିସ ରିପୋର୍ଟ ଏବଂ ସରକାରୀ ଆଇନଜୀବୀ ବିଷ୍ଣୁ ପ୍ରସନ୍ନ ମହାପାତ୍ରଙ୍କ ଯୁକ୍ତିକୁ ତର୍ଜମା କରି ଦୌରାଜଜ ରୂପଶ୍ରୀ ଚୌଧୁରୀ ୩ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ୨୪ ହଜାର ଟଙ୍କା ଜରିମାନା କରିଛନ୍ତି ।